କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ନିମ୍ନ ଅଦାଲତଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଭରଣପୋଷଣ ବାବଦରେ ୧୭ ହଜାର ପରିବର୍ତ୍ତେ ସୁମିତ ମାସିକ ୧୦ ହଜାର ଟଙ୍କା ତପସ୍ଵିନୀଙ୍କୁ ଦେବେ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ମାସେ ଭିତରେ ତପସ୍ଵିନୀଙ୍କ ରହିବା ପାଇଁ ସୁମିତ ବିକଳ୍ପ ବ୍ୟବସ୍ଥା କରିବାକୁ ବି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ଏଠାରେ ସୂଚନା ଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦୌରାଜଜ ଗତ ଜାନୁଆରୀ ୪ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଏହି ଆବେଦନ କରିଥିଲେ ସୁମିତ। ତାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ସ୍ୱାମୀ ସ୍ତ୍ରୀଙ୍କ ମନୋମାଳିନ୍ୟ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ୍ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଉଭୟଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶନାମାର ପୂର୍ଣ୍ଣ ବିଚାର କରିବାକୁ ସୁମିତ ଆବେଦନରେ ପ୍ରାର୍ଥନା କରିଛନ୍ତି। ସେହି ଘରେ ରହିବା ପାଇଁ ହୋଇଥିବା ନିର୍ଦ୍ଦେଶନାମା ଓ ମାସିକ ୧୭ ହଜାର ଟଙ୍କା ଭରଣ ପୋଷଣ ନିର୍ଦ୍ଦେଶନାମା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ସୁମିତ।

ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାଜଜ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ତାଙ୍କର ସ୍ବାମୀଙ୍କ ଘରେ ରହୁଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କର ଶ୍ବଶୁର ପ୍ରମୋଦ ସାହୁ ଗତ ଜାନୁଆରି ୬ତାରିଖ ରାତିରୁ ଘର ଛାଡ଼ି ଚାଲି ଯାଇଛନ୍ତି। ଅନ୍ୟପଟେ ଡା.ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଛୁଟିରେ ରହିଛନ୍ତି।