ଘାଟିରେ ଛକିଥିଲା ମୃତ୍ୟୁ

ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟି ଚାଲିଛି ବାରମ୍ବାର ଦୁର୍ଘଟଣା। ସେହି ଘାଟି କୋଳରେ ଛକି ବସିଛି ମୃତ୍ୟୁର ଫାଶ। ମନୁଷ୍ୟକୃତ ତ୍ରୁଟି ହେଉ କି ଅସାବଧାନତା, ସେହି ଫାଶ ନେଲାଣି ଶତାଧିକ ଜୀବନ। ଆଜି ସେହି ଫାଶରେ ପଡ଼ିଛି ଯାତ୍ରୀବାହୀ ବସ୍‌ ‘ମାରୁତି।’ ତପ୍ତପାଣି ଘାଟି ପାଲୁଖଳା ନିକଟସ୍ଥ ବ୍ରିଜ୍‌ ତଳକୁ ଖସି ପଡ଼ିବାରୁ ମୃତ୍ୟୁର ଫାଶ କାହାକୁ ପତ୍ନୀଶୂନ୍ୟ କରିଛି ତ କାହାର ଝିଅ ଓ ମା’କୁ ଛଡ଼ାଇ ନେଇଛି। ଘଟଣାସ୍ଥଳ ଓ ଡାକ୍ତରଖାନାରେ ମୃତ ଓ ଆହତମାନଙ୍କ ସମ୍ପର୍କୀୟଙ୍କ ବୁକୁଫଟା ଚିତ୍କାର ଓ କାନ୍ଦବୋବାଳି ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି। ସେଠାରୁ ସାଉଁଟିଥିବା କିଛି କରୁଣ ଚିତ୍ରକୁ ନେଇ ଆମର ଏହି ଉପସ୍ଥାପନା।

ପ୍ରଦୀପ କିଶୋର ସାହୁ,
ଲକ୍ଷ୍ମୀ ଚରଣ ବେଜ, ସୁଦୀପ୍ତ ଷଡ଼ଙ୍ଗୀ, ପ୍ରଶାନ୍ତ ତ୍ରିପାଠୀ, ନୀଳମାଧବ ପରମଗୁରୁ

ଘରକୁ ଫେରିଲା ଶିକ୍ଷୟିତ୍ରୀଙ୍କ ଶବ 
୩ ମାସ ପରେ ଝିଅ ଆସୁଥିବାରୁ ଘରେ ଥିଲା ଖୁସିର ମାହୋଲ୍‌। ସକାଳୁ ଝିଅକୁ ବସ୍‌ଷ୍ଟାଣ୍ଡ୍‌ରୁ ନେବା ପାଇଁ ବାପା ଓ ଭାଇ ପ୍ରସ୍ତୁତ ଥିଲେ। ହେଲେ ଝିଅ ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଜାଣିବା ପରେ ବାପାଙ୍କ ଗୋଡ଼ ତଳୁ ଯେମିତି ମାଟି ଖସି ଯାଇଥିଲା। ଏହାପରେ ଝିଅର ସ୍ଥିତି ଜାଣିବା ପାଇଁ ତୁରନ୍ତ ବାପା ଓ ଭାଇ ଦିଗପହଣ୍ଡି ଡାକ୍ତରଖାନାରେ ପହଞ୍ଚିଥିଲେ। ମୋବାଇଲ୍‌ରେ ଝିଅ ଫଟୋ ଦେଖାଇ ସମସ୍ତଙ୍କୁ ପଚାରି ବୁଝିଥିଲେ। ହେଲେ କୌଣସି ସୂଚନା ପାଇ ନ ଥିଲେ। ଏ ସମୟରେ ହଠାତ୍‌ ଦମକଳ ବାହିନୀ ଗାଡ଼ିରେ ପହଞ୍ଚିଥିଲା ଝିଅ କରିସ୍ମାଙ୍କ ଶବ। ଯାହା ଦେଖି ବାପା ଓ ଭାଇ ସମ୍ପୂର୍ଣ୍ଣ ଅବାକ୍‌ ହୋଇ ପଡ଼ିଥିଲେ। କବିସୂର୍ଯ୍ୟନଗର ଥାନା ବାଲିଆସରା ଗାଁର ବାମଦେବ ନାୟକଙ୍କ ଝିଅ କରିସ୍ମା ନାୟକ। ସେ ରାୟଗଡ଼ା ଜିଲ୍ଲା ରେଖାପଦର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ଗତ ୩ ମାସ ତଳେ ସେ ଘରକୁ ଆସିଥିଲେ। ଆଜି ପୁଣି ୩ ମାସ ପରେ ଘରକୁ ଫେରୁଥିଲେ। ବସ୍‌ ଚଢ଼ିବା ପୂର୍ବରୁ ବାପା, ମା’ଙ୍କୁ ଫୋନ୍‌ରେ ଘରକୁ ଫେରୁଥିବା ନେଇ କଥା ହୋଇଥିଲେ। ହେଲେ ସେ ଆଉ ଫେରି ନଥିଲେ, ତାଙ୍କ ଶବ ଘରକୁ ଫେରିଥିଲା।

ପରିବାରର ଜଣେ ମୃତ, ୧୨ ଆହତ
ଚମାଖଣ୍ଡି ଥାନା ପୁଟବଗଡ଼ ଗ୍ରାମର ସନ୍ୟାସୀ ବେହେରାଙ୍କ ଦାଦା ମୋହନ ବେହେରା। ସେ ଅସୁସ୍ଥ ଥିବାରୁ ତାଙ୍କୁ ଦେଖିବା ଲାଗି ସନ୍ୟାସୀ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାରର ସମୁଦାୟ ୧୩ଜଣ ସଦସ୍ୟ ସୋମବାର ଯାଇଥିଲେ ରାୟଗଡ଼ା। ତାଙ୍କୁ ଦେଖି ଗତକାଲି ରାତିରେ ମାରୁତି ବସ୍‌ରେ ବ୍ରହ୍ମପୁର ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ଏଥିରେ ସନ୍ୟାସୀଙ୍କ ପତ୍ନୀ ଝୁନୁ ଆରପାରିକୁ ଚାଲି ଯାଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମଙ୍ଗୁଳୁ ବେହେରା, ନମିତା ବେହେରା, ଅରୁଣ ବେହେରା, ସଂଗୀତା ବେହେରା, ଗୀତା ବେହେରା, ଚୁମୁକି ବେହେରା, ଶୁଭମ ବେହେରା ଆହତ ହୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଛୁଟି ଛାଡ଼ି ସେବା ପାଇଁ ଦୌଡ଼ି ଆସିଲେ ଫାର୍ମାସିଷ୍ଟ
ଦିଗପହଣ୍ଡି ଡାକ୍ତରଖାନା କ୍ବାର୍ଟର୍ସରେରେ ରହୁଛନ୍ତି ଫାର୍ମାସିଷ୍ଟ ବି. କାମରାଜୁ। ପୁଅ ବାହାଘର ଥିବାରୁ ସେ ଛୁଟିରେ ଥିଲେ। ଭୋର୍‌ ୫ଟାରେ ଡାକ୍ତରଖାନା ପରିସରରେ କୋଳାହଳ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା। ବାହାରକୁ ଆସି ଦୁର୍ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ତୁରନ୍ତ ସବୁ କାମ ପଛରେ ପକାଇ ଆହତଙ୍କ ସେବା ପାଇଁ ସେ ଡାକ୍ତରଖାନାକୁ ଛୁଟି ଆସିଥିଲେ। ଛୁଟିରେ ଥାଇ ମଧ୍ୟ ମଧ୍ୟାହ୍ନ ୧୨ଟା ଯାଏ ରୋଗୀଙ୍କ ସେବା କରିଥିଲେ। ଗୋଟିଏ ପଟେ ଏତେବଡ଼ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଦେଖା ମିଳି ନଥିବା ବେଳେ ଜଣେ ଫାର୍ମାସିଷ୍ଟ ଛୁଟି ଓ ବ୍ୟକ୍ତିଗତ କାମକୁ ପଛରେ ପକାଇ ରୋଗୀଙ୍କ ସେବା ଯୋଗାଇବାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ମା’, ଭଉଣୀଙ୍କୁ ହରାଇଲେ ଅଙ୍କିତା
୨ମାସ ତଳେ ମା’ ଓ ସାନ ଭଉଣୀକୁ ଦେଖିଥିଲେ। ଆଜି ମା’ ସଂଘମିତ୍ରା ଓ ଭଉଣୀ ଅନ୍ବେଷାଙ୍କୁ ବ୍ରହ୍ମପୁରରେ ‌ଅପେକ୍ଷା କରି ରହିଥିଲେ ବଡ଼ ଝିଅ ଅଙ୍କିତା। ହେଲେ ନିୟତିର ଇଚ୍ଛା ଥିଲା କିଛି ଅଲଗା। ସେମାନେ ଆସୁଥିବା ‘ମାରୁତି’ ବସ୍‌ ଦୁର୍ଘଟଣା ଖବର ପାଇ ଅଙ୍କିତା ମା’ ଓ ଭଉଣୀଙ୍କ ସ୍ଥିତିକୁ ନେଇ ଚିନ୍ତିତ ହୋଇ ଉଠିଥିଲେ। ସେ ତୁରନ୍ତ କଲେଜରୁ‌ ଫେରି ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଦେଖିବା ବେଳକୁ ମା’ ଓ ଭଉଣୀ ଆଉ ଜୀବିତ ନଥିବା ଜାଣିବାକୁ ପାଇଥିଲେ। ଏହା ଶୁଣି ମର୍ମାହତ ହୋଇ ପଡ଼ିଥିଲେ ଅଙ୍କିତା। ଶେଷଥର ପାଇଁ ମା’ ଓ ଭଉଣୀଙ୍କୁ ଦେଖି ପାରିଲେ ନାହିଁ ବୋଲି କାନ୍ଦି କାନ୍ଦି ବେଦମ୍ ହୋଇ ପଡ଼ୁଥିଲେ। ଅଙ୍କିତା ବ୍ରହ୍ମପୁର ଗୌତମନଗରରେ ତାଙ୍କର ମାମୁ ଘରେ ରହି ପାଠ ପଢ଼ୁଥିଲେ। ଆସନ୍ତା କାଲି ସପରିବାର ଭୁବନେଶ୍ବରରେ ସମ୍ପର୍କୀୟଙ୍କ ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥା’ନ୍ତେ।

ମୃତ୍ୟୁମୁଖରୁ ବର୍ତ୍ତିଲେ ମା’-ପୁଅ
ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଆସୁଥିଲେ ମା’ ସଂଘମିତ୍ରା ପତି ଓ ପୁଅ ଶ୍ୟାମାପ୍ରସାଦ ପତି। ଗତକାଲି ରାତିରେ ରାୟଗଡ଼ାରୁ ସେମାନେ ‌ବାହାରିଥିଲେ। ହେଲେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଲେ। ବସ୍‌ଟି ଯେଭଳି ଭାବେ ଓଲଟି ପଡ଼ିଲା ସେହି ଘଟଣା ଭାବିଲେ ଛାତି ଥରି ଉଠୁଛି ବୋଲି କହିଛନ୍ତି ଶ୍ୟାମାପ୍ରସାଦ। ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖା ଯାଉନଥିଲା। ବସ୍‌ର ବେଗ ଅଧିକ ଥିବା ବେଳେ ଡ୍ରାଇଭର୍‌ ବ୍ରେକ୍‌ ଫେଲ୍‌ ହୋଇଗଲା ବୋଲି ଚିତ୍କାର କରିଥିଲା। ଠିକ୍‌ ଏହାର କିଛି କ୍ଷଣ ମଧ୍ୟରେ ବସ୍‌ଟି ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା। ବସ୍‌ରେ ବସିଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ। ଚାରିଆଡ଼େ ଅନ୍ଧାର ଥିଲା, କେହି କାହାକୁ ଦେଖିପାରୁ ନଥିଲେ। ବହୁ ଲୋକେ ବସ୍‌ ତଳେ ଚାପି ହୋଇ ରହି ଯାଇଥିଲେ। ସେହି ଦୃଶ୍ୟ ମନେ ପଡ଼ିଲେ ଲୋମ ଟାଙ୍କୁରି ଯାଉଛି ବୋଲି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ମା’-ପୁଅ କହିଛନ୍ତି।

ସାବାସ୍‌ ଶ୍ରୀକର
ମୁନିଗୁଡ଼ାର ଜି. ଶ୍ରୀକର। ବ୍ରହ୍ମପୁରରେ ଏକ ଘରୋଇ କଲେଜରେ ପାଠ ପଢ଼ୁଛନ୍ତି। ସେ ଛୁଟିରେ ଘରକୁ ଯାଇଥିଲେ। ଗତକାଲି ରାତି ବ୍ରହ୍ମପୁର ଆସିବା ପାଇଁ ‘ମାରୁତି’ ବସ୍‌ରେ ରାୟଗଡ଼ାରୁ ଚଢ଼ିଥିଲେ। ହେଲେ ତପ୍ତପାଣି ଘାଟି ରାସ୍ତାରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଶ୍ରୀକରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ବସ୍‌ରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଶ୍ରୀକର ସାହସ ଦେଖାଇଥିଲେ। ନିଜେ ଆହତ ହୋଇଥିବା ସତ୍ବେ ଦୁଇ ଜଣଙ୍କୁ ସେ ଉଦ୍ଧାର କରିଥିଲେ। ଆହତଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଏପଟେ ଶ୍ରୀକର ଆହତ ହୋଇଥିବା ଖବର ପାଇ ବ୍ରହ୍ମପୁରରୁ ତାଙ୍କ ବନ୍ଧୁମାନେ ମଧ୍ୟ ଡାକ୍ତରଖାନରେ ପହଞ୍ଚିଥିଲେ। ଶ୍ରୀକର ଆହତ ହୋଇ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିଥିବାରୁ ସମସ୍ତେ ତାଙ୍କୁ ସାବାସି ଦେଇଥିଲେ।

ସମ୍ବନ୍ଧିତ ଖବର