ତପ୍ତପାଣି ଘାଟିରେ ଓଲଟିଲା ବସ୍‌ : ୬ ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ ପରେ ଉଦ୍ଧାର ହେଲେ ଝିଲି

ବ୍ରହ୍ମପୁର : କଥାରେ ଅଛି- ରଖେ ହରି ମାରେ କିଏ? ଆଜିର ଛାତିଥରା ଦୁର୍ଘଟଣାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ୬ ଘଣ୍ଟା ଧରି ଦୁର୍ଘଟଣାଗ୍ରସ୍ତ ବସ୍ ଭିତରେ ଚାପି ହୋଇ ରହିଥିବା ରାୟଗଡ଼ା ଜିଲ୍ଲା ଜେକେପୁରର ପୀତବାସ ସ୍ବାଇଁଙ୍କ ପତ୍ନୀ ଝିଲି ସ୍ବାଇଁ ଶେଷରେ ନୂଆ ଜୀବନ ପାଇଛନ୍ତି। ୬ ଘଣ୍ଟା କାଳ ମୃତ୍ୟୁ ସହ ତାଙ୍କର ସଂଘର୍ଷ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଭଣଜାର ବାହାଘରରେ ଯୋଗ ଦେବା ପାଇଁ ଝିଲି ଗତକାଲି ରାତିରେ ରାୟଗଡ଼ାରୁ ବସ୍‌ ଚଢ଼ିଥିଲେ। ରାତି ପାହିଲେ ବ୍ରହ୍ମପୁରରେ ଓହ୍ଲାଇ ଭଣଜା ଘର ହିଞ୍ଜିଳିକାଟୁ ବ୍ଲକ୍ ଗୋଠଗାଁକୁ ଯାଇ ବିବାହ ଉତ୍ସବରେ ଯୋଗ ଦେଇଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପାହାନ୍ତାରେ ବସ୍‌ ଘାଟିରେ ବ୍ରିଜ୍‌ ତଳକୁ ଖସି ପଡ଼ିବାରୁ ଏହା ଭିତରେ ସେ ଫସିଯାଇଥିଲେ। ଝିଲିଙ୍କ ଗୋଡ଼ ଦୁଇଟି ସିଟ୍‌ ମଝିରେ ଛନ୍ଦି ହୋଇ ରହିଯାଇଥିବା ବେଳ‌େ ବସ୍‌ର ଛାତ ଭାଙ୍ଗି ତାଙ୍କ ଶରୀର ଉପରେ ପଡ଼ିଥିଲା। ଛାତ ଉପରେ ଦୁଇଜଣ ମହିଳାଙ୍କ ଶବ ରହିଥିଲା। ଗୋଡ଼ ଚାପି ହୋଇ ରହିଥିବାରୁ ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବସ୍‌ ଭିତରୁ ‘ଉଦ୍ଧାର କର.. ଉଦ୍ଧାର କର… ବୋଲି ତାଙ୍କର ଚିତ୍କାର ଶୁଭୁଥିଲା।

ହେଲେ ତାଙ୍କୁ ଶୀଘ୍ର ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ଅଗ୍ନିଶମ ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ବସ୍‌ରୁ ଅନ୍ୟ ଆହତ ଏବଂ ମୃତକଙ୍କୁ ଉଦ୍ଧାର କରାଯାଉଥିଲେ ହେଁ ଝିଲିଙ୍କ କ୍ଷେତ୍ରରେ ଏହା କଷ୍ଟସାଧ୍ୟ ଥିଲା। ତଥାପି ଅଗ୍ନିଶମ କର୍ମଚାରୀମାନେ ଧୈର୍ଯ୍ୟ ହାରି ନଥିଲେ। ୫ଟି ଟିମ୍‌ର ଦକ୍ଷ କର୍ମଚାରୀମାନେ ଗ୍ୟାସ୍‌ କଟର୍‌ରେ ସାବଧାନତାର ସହ ଗୋଟିଏ ପରେ ଗୋଟିଏ ଲୁହା କାଟି ସକାଳ ପ୍ରାୟ ୯ଟା ବେଳେ ଝିଲିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଦିଗପହଣ୍ଡି ଅଗ୍ନିଶମ ବାହିନୀର ବଳରାମ ‌ବେହେରା କହନ୍ତି, ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଆଉ ୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସ୍କ୍ୟୁ ଅପରେସନ୍‌ ସଫଳ ହୋଇଥିବାରୁ ଖୁସି ଲାଗୁଛି। ଝିଲିଙ୍କୁ ଉଦ୍ଧାର ପରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିବାରୁ ଚାପି ହୋଇ ରହିଯାଇଥିଲେ। ଜଣେ ବୃଦ୍ଧ ବି ବସ୍‌ରେ ଚାପି ହୋଇ ରହିଥିଲେ ହେଁ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀକୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥିଲା।

ସମ୍ବନ୍ଧିତ ଖବର