ସମ୍ବଲପୁର: ଖେଳ ଓ ସଂଗୀତର ଏକ ବିରଳ ସମନ୍ବୟ, ସମ୍ବଲପୁରର ଅସାଧାରଣ ବ୍ୟକ୍ତିତ୍ବ ଅରୁଣ ପ୍ରସନ୍ନ କୁମାର ସେଠ୍ ଆଉନାହାନ୍ତି। ମଙ୍ଗଳବାର ସକାଳ ୯ଟା ୩୦ରେ କୁଞ୍ଜେଲପଡ଼ାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଶେଷଶଯ୍ୟା ନିକଟରେ ପତ୍ନୀ ଅଶୋକୀ, ୨ ପୁଅ କିରଣ ଏବଂ କଲ୍ୟାଣ ଓ ନାତି, ନାତୁଣୀ ଉପସ୍ଥିତ ଥିଲେ। ଅପରାହ୍ନରେ ରାଜଘାଟରେ ତାଙ୍କର ଦାହସଂସ୍କାର କରାଯାଇଥିଲା। ପୁଅ କିରଣ ସେଠ୍ ମୁଖାଗ୍ନି ଦେଇଥିଲେ।
ଶ୍ରୀ ସେଠ୍ ୧୯୫୪ ମସିହାରେ ଓଡ଼ିଶା ଦଳର ତାରକା ଫରୱାର୍ଡ ଭାବେ ପୂର୍ବବର୍ଷ ଚାମ୍ପିଅନ୍ ପଞ୍ଜାବ ବିପକ୍ଷ ସନ୍ତୋଷ ଟ୍ରଫି ମ୍ୟାଚ୍ରେ ୨ଟି ଚମତ୍କାର ଗୋଲ୍ କରିଥିଲେ। ସେ ମଧ୍ୟ ବାଙ୍ଗାଲୋର ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଶ୍ରୀ ସେଠ୍ ୧୦୦ ମିଟର୍, ୨୦୦ ମିଟର୍ ଦୌଡ଼ ଓ ହାଇଜମ୍ପ୍ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଓ ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ବ କରି ବହୁ ପଦକ ଜିତିଥିଲେ। ଶ୍ରୀ ସେଠ୍ଙ୍କୁ କିନ୍ତୁ କ୍ରୀଡ଼ାଠୁ ଅଧିକ ପରିଚୟ ଦେଇଥିଲା ତାଙ୍କର କଳା ଓ ସଂଗୀତ। ସେ ତାର୍ ସାହାନାଇ, ଦିଲରୁବା, ଭାଓଲିନ୍, ତବଲା, ମେଣ୍ଡୋଲିନ୍, ସିତାର୍, ଢ଼ୋଲକ୍, ପଖାୱଜ ପ୍ରଭୃତି ବିଭିନ୍ନ ବାଦ୍ୟଯନ୍ତ୍ରରେ ପାରଙ୍ଗମ ଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର ଶ୍ରୀ ସେଠ୍ ବିଶ୍ବପ୍ରସିଦ୍ଧ ‘ରଂଗବତୀ’ ଓ ‘ଝୁମ୍ଝୁମ୍ ବାଜେ ମୋର୍ ଝୁମ୍କା ପଏଁରି’ ଗୀତର ବାଦ୍ୟକାର ଥିଲେ। ସଂଗୀତ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ୧୯୮୫ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କରିଥିଲା।
ଏହାଛଡ଼ା ସେ ଆକାଶବାଣୀ ଦିଲ୍ଲୀ ତରଫରୁ ମ୍ୟୁଜିକ କମ୍ପୋଜର୍ ପୁରସ୍କାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ, ‘ସମ୍ବାଦ’ ତରଫରୁ ଜୁଗାର ସମ୍ମାନ, ସମ୍ବଲପୁର ଲୋକ ମହୋତ୍ସବ ସମ୍ମାନ, ସମ୍ବଲପୁର ପୁସ୍ତକ ମେଳା ତରଫରୁ ସେତୁ ସମ୍ମାନ, ଇମ୍ଫା ତରଫରୁ ‘ବଂଶୀଧର-ଇଲା ପଣ୍ଡା ସମ୍ମାନ’ ସମେତ ଅଗଣିତ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ଶ୍ରୀ ସେଠ୍। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।