ପିସିସି ସଭାପତିଙ୍କ ଉପରେ ବର୍ଷିଲେ ତାରା, ମୋକିମ୍‌

ଭୁବନେଶ୍ବର : ପଦ୍ମପୁର ନିର୍ବାଚନରେ କଂଗ୍ରେସର ଅତି ଶୋଚନୀୟ ପ୍ରଦର୍ଶନ ପରେ ଦଳର ଶୀର୍ଷ ନେତୃତ୍ବଙ୍କ ଉପରେ ଅଙ୍ଗୁଳି ଉଠିଛି। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ୍ ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇ ନିଜ ଦଳକୁ ଅଡ଼ୁଆରେ ପକାଇଛନ୍ତି।

ବିଧାୟକ ମୋକିମ୍ କହିଛନ୍ତି ଯେ ଉପ-ନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି। ତାଙ୍କ ପକେଟ୍‌ ଗରମ କରୁଛି। ଦିଲ୍ଲୀରୁ ଦାୟିତ୍ବ ଦିଆଯାଉଛି ହେଲେ ସେମାନେ ଏଠାରେ କଂଗ୍ରେସକୁ ଜିତାଇବାକୁ ଚେଷ୍ଟା କରୁ ନାହାନ୍ତି। ବରିଷ୍ଠ ନେତାଙ୍କୁ ଦେଖି ଲୋକ ଆଉ ଭୋଟ୍ ଦେଉ ନାହାନ୍ତି। ସେମାନଙ୍କୁ ଗୋଲଡେନ୍ ହାର୍ଟ ଅବସର ଦେବାକୁ ପଡ଼ିବ। ସମ୍ବଳ ନ ଥିବାରୁ କଂଗ୍ରେସ ନିର୍ବାଚନ ହାରୁଥିବା କୁହାଯାଉଛି, ଯଦି ସମ୍ବଳ ନାହିଁ ତା’ହେଲେ ପ୍ରାର୍ଥୀ କାହିଁକି ଦିଆଯାଉଛି। ଯଦି ଏବେଠୁ ଗୁରୁତ୍ବ ଦିଆ ନ ଯାଏ ତାହାଲେ ସମୟ ଆସିବ କଂଗ୍ରେସକୁ ନୋଟା ସହିତ ନିର୍ବାଚନ ଲଢ଼ିବାକୁ ପଡ଼ିବ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ୯ରୁ ୯୦ ଟାର୍ଗେଟ୍‌ ହାସ୍ୟାସ୍ପଦ ‌ବୋଲି ଶ୍ରୀ ମୋକିମ୍ କହିଛନ୍ତି।

ଅପରପକ୍ଷରେ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ବାରମ୍ବାର ପରାଜୟ ବରଣ କରୁଛି, ଏହା ଦଳ ପାଇଁ ଲଜ୍ଜାର ବିଷୟ। ପିସିସି ସଭାପତି ଯଥାଶୀଘ୍ର ବୈଠକ ଡାକି ଏହାର ତର୍ଜମା କରିବା ଦରକାର। ପଦ୍ମପୁରରେ କଂଗ୍ରେସ ଭୋଟ୍ ବିଜେଡିକୁ ଯାଇଛି। ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ୍‌ ବିକି ଖାଇଦେଲେ। ତେବେ କିଏ ବିକ୍ରି ହେଲା ଓ କାହିଁକି ବିକ୍ରି ହେଲେ ତାହାର ତର୍ଜମା ଦେବା ଉଚିତ୍। ୨ଟି ଉପ-ନିର୍ବାଚନରେ ଆମର ଅମାନତ ଗଲାଣି। ଆଜି ଯାଏ ପିସିସି କମିଟି ଗଠନ ହୋଇପାରିନି। ଲୋକ କେମିତି କଂଗ୍ରେସକୁ ଭରସା କରିବେ। ଯଦି ଏପରି ଭୋଟ୍ ମିଳେ ତାହାଲେ ଓଡ଼ିଶାରେ କଂଗ୍ରେସ ଲୋପ ପାଇଯିବ। ଆଉ କଂଗ୍ରେସକୁ ସଜାଡ଼ିବାକୁ ହେଲେ ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। କଂଗ୍ରେସରେ ଗୋଷ୍ଠୀ ହେଲେ ଦଳ ଉଠି ପାରିବନି। ଗୋଷ୍ଠୀ ନ ହୋଇ ଏକାଠି ହୋଇ କାମ କଲେ ଦଳ ଆଗକୁ ବଢ଼ିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ସମ୍ବନ୍ଧିତ ଖବର