ଭୁବନେଶ୍ବର: ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବେ। ତାରା ବାହିନୀପତି ବେକ କାଟିଦେବେ ବୋଲି ଧମକ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତି ରୁଲିଂ ଦେବା ପରେ ଏନେଇ ଗୃହରେ ୨ ଦିନ ଭିତରେ ଉତ୍ତର ରଖିବେ ଗଣଶିକ୍ଷାମନ୍ତ୍ରୀ ।

Advertisment

କାହିଁକି ସ୍କୁଲ ବନ୍ଦ ହେବ ଓ ପିଲା କୁଆଡ଼େ ଯିବେ ଏବଂ ୧୪ ହଜାର ସ୍କୁଲ ବନ୍ଦ ହେଲେ ଶିକ୍ଷକ କ’ଣ କରିବେ ସେ ନେଇ ମନ୍ତ୍ରୀ ସମୀର ରଂଜନ ଦାଶ ଗୃହରେ ଉତ୍ତର ରଖିବେ । ୟୁପି ସ୍କୁଲ ବନ୍ଦ ନେଇ ବିଜେପି ଓ କଂଗ୍ରେସ ସଭ୍ୟ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଛନ୍ତି । ହଟ୍ଟଗୋଳ ଯୋଗୁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ। ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ସ୍କୁଲ ବନ୍ଦ ନହେବା ନେଇ ସରକାର ନିର୍ଦ୍ଦେଶ ଦିଅନ୍ତୁ । ପିଲା ଏତେ ଦୂର କେମିତି ପଢିବାକୁ ଯିବେ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ସେ କହିଥଲେ । ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ, ୟୁପି ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ। ରାଜ୍ୟରେ ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି। ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ। ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।