କଂଗ୍ରେସ ଓ ବିଜେପିର ବିରୋଧ ଭିତରେ ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପସ୍ଥାପିତ

ବିଶ୍ୱବିଦ୍ୟାଳୟ ବିଲ୍‌କୁ ‘କଳା ବିଲ୍‌’ କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର: କରୋନା ମହାମାରୀ ଜନିତ ସତର୍କତା ମଧ୍ୟରେ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଆଜି ପ୍ରାରମ୍ଭରେ ଦିବଂଗତ ସଦସ୍ୟ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗର ୭ଟି ଅଧ୍ୟାଦେଶକୁ ବିଲ୍ ଭାବେ ଉପସ୍ଥାପିତ କରାଯାଇଥିଲା। ତେବେ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଉପସ୍ଥାପନ କରିବା ସମୟରେ ବିରୋଧୀ ଦଳ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଥିଲା ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଗୃହରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟ ବିଲ୍‌କୁ ‘କଳା ବିଲ୍‌’ କହିବା ସହ  କଂଗ୍ରେସ ବିଧାୟକ ତାରା ବାହିନୀପତି ଗୃହ ଭିତରେ ବିଲ୍‌କୁ ପକାଇଥିଲେ । ଏଥି ସହିତ ସେ ବିଲ୍‌କୁ ସିଲେକ୍ସନ କମିଟିକୁ ପଠାଇବାକୁ ଦାବି କରିଥିଲେ । ସେହିପରି ବିଜେପି ବିଧାୟକମାନେ ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲେ।  କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି ଯେ, କରୋନା ଭାରଇସ ମହାମାରୀ ସମୟରେ ଅତି ତରବରିଆ ଭାବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାସ କରିବାକୁ ସରକାର ଚାହୁଁଛନ୍ତି।  କରୋନା ସହିତ ଏହାର କି ସଂପର୍କ ରହିଛି? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି

ଏହାସହ ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି । ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧିନରେ ରଖିବାକୁ ଚାହୁଁଛନ୍ତି ବୋଲି  କହିବା ସହ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଅନ୍ୟ ପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ବିଲ୍‌ ଯୋଗୁଁ ବିଶ୍ୱବିଦ୍ୟାଳୟ ଅଟୋନୋମିରେ ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ଆକ୍ଟ ଅନୁସାରେ ପରିଚାଳିତ ହେବ। ବିଶ୍ୱବିଦ୍ୟାଳୟ ବିଲ୍‌ରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ରହିବ ନାହିଁ।

ଆଜି ଉପସ୍ଥାପିତ ହୋଇଥିବା ଅନ୍ୟ ବିଲ୍‌ ଗୁଡ଼ିକ ମଧ୍ୟରେ ରହିଛି ସଂକ୍ରାମକ ରୋଗ (ଓଡ଼ିଶା ସଂଶୋଧନ) ବିଲ୍‌,ନ୍ୟାୟାଳୟ-ଫିସ୍‌ (ଓଡ଼ିଶା ସଂଶୋଧନ) ବିଲ୍‌, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍‌, ଶିଳ୍ପ ବିବାଦ (ଓଡ଼ିଶା ସଂଶୋଧନ) ବିଲ୍‌, ଓଡ଼ିଶା ପୌର ବିଧି (ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର (ସଂଶୋଧନ) ବିଲ୍‌।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ଅଧିବେଶନକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର