କୋରାପୁଟରେ ବଢ଼ିଲା କଂଗ୍ରେସ କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି କଲେ ତାରା

ଡିସିସି ସଭାପତି ହଟନ୍ତୁ: କୈଳାସ

କୋରାପୁଟ : ବଢ଼ିବାରେ ଲାଗିଛି କୋରାପୁଟ କଂଗ୍ରେସର ଫାଟ। ଦଳ ଭିତରେ ରହିଥିବା ମନାନ୍ତର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆରୋପ, ପ୍ରତ୍ୟାରୋହ ଚାଲିଥିବାବେଳେ ବିଗିଡ଼ି ଯାଇଥିବା ସ୍ଥିତିକୁ ସୁଧାରିବା ପାଇଁ ଦଳର ଶୀର୍ଷ ନେତୃତ୍ବ କଣ ପଦକ୍ଷେପ ନେବେ ତାହାକୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି। ଗତକାଲି ସାଂସଦ ସପ୍ତଗିରି ଉଲାକାଙ୍କ ସାମ୍ବାଦିକ ସମ୍ମିଳନୀରୁ ଉଠି ଆସିଥିଲେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି। ତାଙ୍କୁ ଏବଂ ତାଙ୍କ ପତି ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଛି ତେଣୁ ଆବଶ୍ୟକ ପଡ଼ିଲେ ସେ ଇସ୍ତଫା ଦେବେ ବୋଲି ପ୍ରକାଶ କରିଥିଲେ। ଏହାପରେ ଗୁରୁବାର ଏହି ପ୍ରସଙ୍ଗରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି।

୨୦୧୯ ନିର୍ବାଚନରେ ପିସିସି ସଭାପତିଙ୍କ ନେତୃତ୍ବରେ କଂଗ୍ରେସ କେବଳ ୯ଟି ବିଧାନସଭା ଆସନରେ ବିଜୟ ହୋଇଥିଲା। ତେଣୁ ଦଳକୁ ସୁଦୃଢ଼ କରିବାକୁ ହେଲେ ପିସିସି ସଭାପତିଙ୍କୁ ହଟାଇବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଏଆଇସିସି ସଭାପତି ଓ ଉପସଭାପତିଙ୍କ ପାଖରେ ଦାବି କରିବୁ। ଯଦି ଦିଲ୍ଲୀରେ ଏଆଇସିସି ନ ଶୁଣନ୍ତି ତେବେ ରାଜଧାନୀରେ ଲଢେଇ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ବାହିନୀପତି। ସେହିପରି ବାହିନୀପତି କୋରାପୁଟ ସାଂସଦ ସପ୍ତଗିରିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ‌ଜାଣିଶୁଣି ଗତକାଲି କୋରାପୁଟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ତାଙ୍କୁ ଡକାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଗତକାଲି ପଟାଙ୍ଗି ବ୍ଲକ୍‌ର ୯ଟି ସ୍ଥାନରେ ଖଣି ଖନନ ନିମନ୍ତେ ପଲ୍ଲୀସଭା କରିବାକୁ ନିର୍ଦ୍ଧାରିତ ହୋଇଥିଲା। ଏହି ପଲ୍ଲୀସଭାକୁ ଯେମିତି କୌଣସି ସାମ୍ବାଦିକ ଯାଇପାରିବେ ନାହିଁ ସେହି ଉଦ୍ଦେଶ୍ୟରେ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ ସାଂସଦ କରିଥିଲେ। ନିର୍ବାଚନ ଜିତିବାର ଦୁଇ ବର୍ଷ ପରେ ସାଂସଦ କୋରାପୁଟରେ ସାମ୍ବାଦିକ ସମ୍ମିଳନୀ କରିବା ପଛରେ ଚକ୍ରାନ୍ତ ଥିଲା ବୋଲି ଅଭିଯୋଗ କରିଛନ୍ତି।

ବିବାଦ ବଢ଼ି ବଢ଼ି ଚାଲିଥିବା ବେଳେ ସାଂସଦ କିନ୍ତୁ ସଂପୂର୍ଣ୍ଣ ନିରବ ରହିଛନ୍ତି। ଯାହାକୁ ନେଇ କର୍ମୀ ବି ଚକିତ ହୋଇଛନ୍ତି। ତେବେ ବାହିନୀପତି ଦମ୍ପତିଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ଚେତାବନୀ ନ ଦେଇ ସାହସ ଥିଲେ ଡିସିସି ସଭାପତି ଏବଂ ବିଧାୟକ ଶ୍ରୀ ବାହିନୀପତି ନିଜ ନିଜ ପଦବିରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ଶ୍ରୀ ବାହିନୀପତି ଚତୁର ନେତା, ଯାହା କୁହନ୍ତି ତାହା କରନ୍ତି ନାହିଁ। ମୁଁ ଆଦିବାସୀ ପିଲା ସ୍ୱାଭିମାନ ସହ ବଞ୍ଚିଛି। ଆମ ପଛରେ ବି ହଜାର ହଜାର କର୍ମୀ ଅଛନ୍ତି। ଆମେ ବି ପିସିସି ସମ୍ମୁଖରେ ହଜାର ହଜାର କର୍ମୀଙ୍କୁ ଠିଆ କରାଇପାରିବୁ। କୋରାପୁଟ ଜିଲ୍ଲାର ପିଲାଙ୍କୁ ଚାକିରି ନ ମିଳିଲେ ବିଧାନସଭାରେ ଆତ୍ମାହୁତି ଧମକ ଦେଇଥିଲେ ଜୟପୁର ବିଧାୟକ। ଜିଲ୍ଲାର କେତେ ପିଲାଙ୍କୁ ଚାକିରି ମିଳିଛି ତାହାର ଉତ୍ତର କିମ୍ବା ଆତ୍ମାହୁତି ବାହିନୀପତି ଦେଲେ ନାହିଁ ବୋଲି ଶ୍ରୀ କୁଲେସିକା ତାଚ୍ଛଲ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର