ତାରା-ପ୍ରମିଳା ମୁହାଁମୁହିଁ

ଭୁବନେଶ୍ବର : ସଂସଦରେ ଏନ୍‌ଡିଏ ସରକାରଙ୍କ ବିଭିନ୍ନ ବିଲ୍‌କୁ ବିଜେଡିର ସମର୍ଥନ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ଶୂନ୍ୟକାଳରେ ଏ ନେଇ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଥିଲେ। ବିଜେଡି ସଭ୍ୟ ଅମର ଶତପଥୀ ବି ତାରାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ।

ଶୂନ୍ୟକାଳରେ ଶ୍ରୀ ବାହିନୀପତି କହିଲେ, ଏ ଗୃହ ହେଉଛି ପବିତ୍ର ଗୃହ। ଏଠାରେ ସମସ୍ତେ ସ୍ପଷ୍ଟ ମତ ରଖିବା ଆବଶ୍ୟକ। ସଂସଦରେ ତିନି ତଲାକ ବିଲ୍‌କୁ ବିଜେଡି ସମର୍ଥନ କଲା। ଏନ୍‌ଡିଏର ସହଯୋଗୀ ଦଳ ସମର୍ଥନ କରୁ ନ ଥିଲା ବେଳେ ବିଜେଡି ସମର୍ଥନ କରୁଛି। ନିର୍ବାଚନ ବେଳେ ପରସ୍ପର ବିରୋଧରେ ଉଭୟ ଦଳ ବହୁ କଥା କହୁଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବାରମ୍ବାର କହୁଥିଲେ ଯେ ବିଜେଡି ନିରପେକ୍ଷ ଭାବେ ସମଦୂରତା ଅବଲମ୍ବନ କରୁଛି। କିନ୍ତୁ ଏବେ ପ୍ରତ୍ୟେକ ବିଲ୍‌କୁ ନବୀନ ବାବୁ ସମର୍ଥନ କରୁଛନ୍ତି। ଏହା ବିଜେଡିର ଦୋମୁହାଁ ନୀତିକୁ ସୂଚାଉଛି। ତେଣୁ ଏଠି ବିଜେଡି-ବିଜେପି ମିଳିତ ସରକାର ଚାଲିଛି ନା କେବଳ ବିଜେଡି ଶାସନ କରୁଛି, ତାହା ସ୍ପଷ୍ଟ ହେବା ଦରକାର। ନିଜେ ମୁଖ୍ୟମନ୍ତ୍ରୀ ଗୃହରେ ତାହାକୁ ସ୍ପଷ୍ଟ କରନ୍ତୁ। ଏହାକୁ ପ୍ରତିବାଦ କରି ପ୍ରମିଳା ମଲ୍ଲିକ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବି ସମଦୂରତା ରଖି ଶାସନ କରୁଛନ୍ତି। ଜନହିତରେ ଯେଉଁ ବିଲ୍ ଆସୁଛି, ତାହାକୁ ହିଁ ବିଜେଡି ସମର୍ଥନ କରୁଛି। ବିଜେଡି କାହାକୁ ଡରିନି କିମ୍ବା କାହାକୁ ସମର୍ଥନ କରୁନି। କଂଗ୍ରେସକୁ ଆକ୍ଷେପ କରି ଶ୍ରୀମତୀ ମଲ୍ଲିକ କହିଲେ, ଆପଣମାନଙ୍କ ଭୋଟ୍‌ କୁଆଡ଼େ ଗଲା ? କାହିଁକି ଏତେ କମ୍ ଆସନ ପାଇଲେ? ପାଟକୁରାରେ ତ ଆପଣଙ୍କ ଭୋଟ୍‌ ବିଜେପିକୁ ଦେଇଦେଲେ। ତେଣୁ ଏଥିରୁ ଜଣାପଡ଼ୁଛି କିଏ କାହା ସହ ସମ୍ପର୍କରେ ଅଛି।

ପରେ ଅମର ଶତପଥୀ କହିଥିଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ସଶକ୍ତିକରଣ କଥା କହୁଛନ୍ତି। ତେଣୁ ମହିଳା ସଶକ୍ତିକରଣ ଦୃଷ୍ଟିରୁ ତିନି ତଲାକ୍ ବିଲ୍‌କୁ ବିଜେଡି ସମର୍ଥନ କରିଛି। ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ।

ସମ୍ବନ୍ଧିତ ଖବର