କରୋନା ଠାରୁ ବଡ ମହାମାରୀ ବେକାରୀ; ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିବୃତି ଦେଇଛନ୍ତି । କରୋନା ମହାମାରୀଠୁ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ପ୍ରିୟାପ୍ରୀତିରେ ଚାଲିଛି ରାଜ୍ୟର ନିଯୁକ୍ତି ପ୍ରକ୍ରିୟା । ୧୮ ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ସ୍ୱଳ୍ପ ବେତନରେ ଏମାନଙ୍କୁ ନିଯୁକ୍ତି ଦେଉଛନ୍ତି ।

କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଲେ । ନା ତାଙ୍କର ସ୍କିଲ ମ୍ୟାପିଂ କରାଗଲା ନା ନିଯୁକ୍ତି ଦିଆଗଲା, ଯେଉଁଥିପାଇଁ ସ୍ଥିତିରେ ଟିକିଏ ସୁଧାର ଆସିବା ମାତ୍ରେ ଏହି ପ୍ରବାସୀମାନେ ପୁଣିଥରେ ନିଯୁକ୍ତି ଆଶାରେ ବାହାରକୁ ଚାଲିଗଲେ । ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥି ମଧ୍ୟରୁ ୩୧ ପ୍ରତିଶତ ପିଲା ନିଯୁକ୍ତି ପାଇଁ ଅଯୋଗ୍ୟ । ଏଥିରୁ ଜଣାପଡୁଛି ରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୋହନ ମାଝି ।

ସେହିଭଳି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟରେ ଯୁବକ ଯୁବତୀମାନେ ଚାକିରି ନ ପାଇ ମାଓବାଦୀ ସଂଗଠନରେ ସାମିଲ ହେଉଛନ୍ତି । ବିଭିନ୍ନ ଆଇଟି ଶିଳ୍ପକୁ ୫୦ ଏକର ଜାଗା ଭୁବନେଶ୍ୱରରେ ଦିଆଗଲା । ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଗଲା । ମାତ୍ର ୧୫ ପ୍ରତିଶତ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ନିଯୁକ୍ତି କେବଳ କାଗଜ କଲମରେ ଚାଲିଛି । ମନ୍ତ୍ରୀ ବିଧାନସଭାରେ ଗୋଲାପି ଚିତ୍ର ଦେଖାଉଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ତାରା କହିଛନ୍ତି, ସରକାର ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି କହିଥିଲେ । ଆଉ ସେହି ହିସାବରେ ୭ ବର୍ଷରେ ୧୪ କୋଟି ଚାକିରି ସରକାର ଦେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସେହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା ।

ଅନ୍ୟପଟେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ରାଜ୍ୟ ସରକାର ଯୁବକଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆଇଟିଆଇ , ପଲିଟେକିନିକ ଓ ଇଂଜିନିୟରିଂ ତାଲିମରେ ପ୍ରୋତ୍ସାହିତ କରାଯାଉଛି। ୪୯ଟି ସରକାରୀ ଆଇଟିଆଇରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ସରକାର ବଦ୍ଧ ପରିକର ବୋଲି ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର