ବାଚସ୍ପତିଙ୍କ ରୁଲିଂ ନେଇ ତାରା ଅସନ୍ତୁଷ୍ଟ

ଭୁବନେଶ୍ୱର : ଆଜି ଗୃହରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ରୁଲିଂ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ଉପରେ ଆଲୋଚନା ଆରମ୍ଭ ବେଳକୁ ଶ୍ରୀ ବାହିନୀପତି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଧାୟକମାନେ ଗୃହରେ ଉପସ୍ଥିତ ଅଛନ୍ତି। କିନ୍ତୁ ଆସନ୍ତାକାଲି କ୍ରୀଡା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କୋରାପୁଟ ଜିଲ୍ଲା ଗସ୍ତ କରିବେ। ସେଠାରେ ତାଙ୍କର ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଧ୍ୟ ସେ ସେଠାକୁ ଯାଇ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିଥିଲେ। ଏହା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟ ସଚେତକ କହିଥିଲେ। ଏହା ଉପରେ ସେ ରୁଲିଂ ଦାବି କରିଥିଲେ। କିନ୍ତୁ ବାଚସ୍ପତି ଆଲୋଚନା ପାଇଁ ଡାକିବାରୁ ପ୍ରତିବାଦରେ ଶ୍ରୀ ବାହିନୀପତି, ବିଧାୟକ ଡା. ପ୍ରଫୁଲ୍ଲ ମାଝୀ, ବିଧାୟକ ଚନ୍ଦ୍ରଶେଖର ମାଝୀ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ। ଏହାକୁ ସମର୍ଥନ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି ଆଜି ରୁଲିଂ ଦେବାକୁ ଅନୁରୋଧ କରିଥିଲେ। ଗୃହର ଶେଷ କାର୍ଯ୍ୟ ସ୍ୱରୂପ ବାଚସ୍ପତି ରୁଲିଂ ଦେଇ କହିଲେ ଯେ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ନିମନ୍ତେ ମନ୍ତ୍ରୀ ତାଙ୍କଠାରୁ ଆଗୁଆ ଅନୁମତି ନେଇଛନ୍ତି। ଏଣୁ, ମନ୍ତ୍ରୀଙ୍କୁ ସେଠାକୁ ଯିବା ନେଇ ବାରଣ କରାଯାଇନାହିଁ। ତେବେ ଏହି ରୁଲିଂକୁ ନେଇ ଶ୍ରୀ ବାହିନୀପତି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଗୃହ ବାହାରେ ସେ କହିଥିଲେ ଯେ ଆସନ୍ତାକାଲି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର