ଭୁବନେଶ୍ବର : ବ୍ରହ୍ମପୁର ନିକଟରେ ଥିବା େଦଶର ଅନ୍ୟତମ ପୁରାତନ ଶକ୍ତି ପୀଠ ତାରାତାରିଣୀ ମନ୍ଦିର ଓ ତାହାର ଆଖପାଖ ଅଞ୍ଚଳ ଖୁବ୍ ଶୀଘ୍ର ନୂଆ ରୂପରେ ଝଲ୍ସିବ। ବର୍ତ୍ତମାନ ଚାଲିଥିବା ଉନ୍ନତୀକରଣ କାର୍ଯ୍ୟ ସହ ଆହୁରି ଅନେକ ଆକର୍ଷଣୀୟ ପ୍ରକଳ୍ପକୁ ଯୋଡ଼ାଯାଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉନ୍ନତିମୂଳକ ଯୋଜନାଗୁଡ଼ିକୁ ଅନୁମୋଦନ ଦେଇଛନ୍ତି। ତାରାତାରିଣୀ ମନ୍ଦିରକୁ ଦେଶର ଏକ ଆକର୍ଷଣୀୟ ଧାର୍ମିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ବର୍ତ୍ତମାନ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ଯୋଡ଼ା ଯାଇଥିବା ନୂଆ ପ୍ରକଳ୍ପ ମଧ୍ୟରେ ଅଛି ସିଂହଦ୍ବାରର ନବୀକରଣ, ଚଲା ବାଟ ଓ ପିଇବା ପାଣିର ସୁବିଧା। ସେହିପରି ପ୍ରସାଦ ସେବନ ପାଇଁ ସ୍ବତନ୍ତ୍ର ଗୃହ, ବ୍ୟାଖ୍ୟାନ କେନ୍ଦ୍ର, ଯୋଗ ଓ ଧ୍ୟାନ କେନ୍ଦ୍ର, ବିଶ୍ରାମ ସ୍ଥଳ, ଖାଦ୍ୟ କିଓସ୍କ, ପାଦ ପ୍ରକ୍ଷାଳନ ସ୍ଥାନ, ବସିବା ପାଇଁ ବେଞ୍ଚ୍, ୱାଚ୍ ଟାୱାର୍, ପୁଲିସ ଆଉଟ୍ପୋଷ୍ଟ୍, ଫାଷ୍ଟ୍ ଏଡ୍ କେନ୍ଦ୍ର ଆଦି ପ୍ରତିଷ୍ଠା କରାଯିବ। ମନ୍ଦିର ପଛ ପଟେ ପାହାଡ଼ ଉପରେ ଏକ ଧ୍ୟାନ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଓଡ଼ିଶାର କଳା ସ୍ଥାପତ୍ୟକୁ ନଜରରେ ରଖି ସମସ୍ତ ବିକାଶମୂଳକ କାର୍ଯ୍ୟ କରାଯିବ। ଏସବୁ କାମକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଆଜି ଲୋକସେବା ଭବନରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ୍, ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ଜେନା, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ପୂର୍ତ୍ତ ସଚିବ କ୍ରିଷନ୍ କୁମାରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/taratarini.jpg)