ତାରା ଦତ୍ତଙ୍କ ପୁସ୍ତକ ‘ହାଇଲ୍ୟାଣ୍ଡରସ୍‌ ପ୍ଲେନ୍‌ସ୍ପିକ୍’ ଲୋକାର୍ପିତ

ଭୟମୁକ୍ତ ଓ ଭାବଯୁକ୍ତ ହୋଇ କାର୍ଯ୍ୟ କରିବା ଦରକାର: ରାଜ୍ୟପାଳ
ଯୁବ ପ୍ରଶାସକ ଏହି ପୁସ୍ତକକୁ ନିଶ୍ଚିତ ପଢ଼ିବା ଦରକାର: ସୌମ୍ୟରଞ୍ଜନ

ଭୁବନେଶ୍ବର : ଜଣେ ଅଧିକାରୀ ଭୟମୁକ୍ତ ଓ ଭାବଯୁକ୍ତ ହୋଇ କାମ କଲେ ସାଧାରଣ ଲୋକ ଉପକୃତ ହୋଇପାରିବେ। ଏହା କହିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଆଜି ପ୍ରେସ୍‌ କ୍ଲବ୍ ଅଫ୍ ଓଡ଼ିଶାରେ ଅବସରପ୍ରାପ୍ତ ପ୍ରଶାସକ ତାରା ଦତ୍ତଙ୍କ ପୁସ୍ତକ ‘ହାଇଲ୍ୟାଣ୍ଡରସ୍‌ ପ୍ଲେନ୍‌ସ୍ପିକ୍: ଏକ ପ୍ରଶାସନିକ ଅଧ୍ୟୟନ’କୁ ଲୋକାର୍ପିତ କରି ରାଜ୍ୟପାଳ କହିଲେ ଯେ ଅନ୍ତଃକରଣରେ ପ୍ରେମ ପ୍ରବାହ ହିଁ ଭାବ। ସାଧାରଣ ଲୋକଙ୍କ ପ୍ରତି ଦୟା, କରୁଣା, ସହାନୁଭୂତି ଜଣେ ପ୍ରଶାସକଙ୍କ ଚରିତ୍ରରେ ପ୍ରତିଫଳିତ ହେବା ଦରକାର। ଏପରିକି ଅଧିକାରୀମାନେ ସାଧାରଣ ଲୋକଙ୍କ ହିତ ପାଇଁ କୌଣସି ନିଷ୍ପତ୍ତି ନେବା ବେଳେ ମନରେ କୌଣସି ଭୟ ନରଖିବା ଦରକାର।

ଧର୍ମ ହେଉଛି ଦକ୍ଷତା। ଜଣେ ପ୍ରଶାସକ ନିଜର ‘ଧର୍ମ’ ଯାହା ତାକୁ ପ୍ରାପ୍ତ ହୋଇଛି ତାହାକୁ ସୁଚାରୁ ରୂପେ ନିର୍ବାହ କରିବା ଦରକାର। ଜଣେ ପ୍ରଶାସକ ନିଜର ଦାୟିତ୍ବ ଓ କର୍ତ୍ତବ୍ୟକୁ ଏଭଳି ଭାବେ ନିର୍ବାହ କରିବା ଦରକାର ଯେପରି ଏହାଦ୍ବାରା ମାନବିକତାର ପରିପ୍ରକାଶ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଥିବା ବେଳେ ତାରା ଦତ୍ତ ମୋ ଛାତ୍ର ଥିଲେ। ମୁଁ ଗର୍ବିତ ଓ ଆନନ୍ଦିତ ଯେ ତାଙ୍କ ଭଳି ଛାତ୍ର ମୁଁ ପାଇଥିଲି। ଶ୍ରୀ ଦତ୍ତଙ୍କ ପୁସ୍ତକକୁ ମୁଁ ସ୍ବାଗତ କରୁଛି। ଏହି ପୁସ୍ତକଟି ଗୋଟିଏ ଆତ୍ମଜୀବନୀ ଭଳି। ସମକାଳୀନ ଇତିହାସ ଦୁର୍ବଳ ହୋଇଯାଉଥିବାରୁ ବର୍ତ୍ତମାନ ସମୟରେ ଆତ୍ମଜୀବନୀ ହିଁ ଆମ ପାଇଁ ଇତିହାସ କବଚ ସଦୃଶ ପାଲଟିବ। କିନ୍ତୁ ଆତ୍ମଜୀବନୀ ସତ୍ୟନିଷ୍ଠ ହେବା ଦରକାର।

ତାରା ଦତ୍ତଙ୍କ ପୁସ୍ତକରେ ଯେଉଁ ପ୍ରଶାସନିକ ବ୍ୟବସ୍ଥା କଥା ଉଲ୍ଲେଖ କରାଯାଇଛି ତାହା ଏବେ ଦେଖିବାକୁ ମିଳୁନି। ମନ୍ତ୍ରୀ ବଡ଼ କି ପ୍ରଶାସକ ବଡ଼ ସେନେଇ ଏବେ ଚର୍ଚ୍ଚା ହେଉଛି। ରାଜନୀତି ବିଜ୍ଞାନରେ ଆମେ ଯାହା ପଢ଼ିଥିଲୁ ଏବେ ତାହାର ଓଲଟା ଦେଖିବାକୁ ମିଳୁଛି।

ତାରା ଦତ୍ତ କିଭଳି ଜଣେ ଦକ୍ଷ ଅଧିକାରୀ ଥିଲେ ତାହା ତାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଥିବା ଯୁଗଳ କିଶୋର ମହାପାତ୍ର ଏହି ପୁସ୍ତକର ଫରୱାର୍ଡରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଶ୍ରୀ ଜଗନ୍ନାଥ ମନ୍ଦିରର ସଂସ୍କାର ପାଇଁ ସେ ତାରା ଦତ୍ତଙ୍କ ଭଳି ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଭାବିଥିଲେ। କେବଳ ଏତିକି ନୁହେଁ ନମାମି ଗଙ୍ଗା ଯୋଜନାରେ ଗଙ୍ଗାକୁ ପରିଷ୍କାର ପରିଛନ୍ନ କରିବାକୁ ଯେଉଁ ଯୋଜନା ହେଉଛି ତାହାକୁ ତାରା ଦତ୍ତଙ୍କ ଭଳି ଜଣେ ଅଧିକାରୀ ହିଁ ସୁଚାରୁ ରୂପେ କରିପାରିବେ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଏହି ପୁସ୍ତକଟିକୁ ଯୁବ ପ୍ରଶାସକ ଏବଂ ସବୁ ନୂଆପିଢ଼ି ନିଶ୍ଚିତ ପଢ଼ିବା ଦରକାର। ତାରା ଦତ୍ତ କିଭଳି ଶୃଙ୍ଖଳିତ ଥିଲେ, ନିଜର ଅଧ୍ୟବସାୟ ବଳରେ ଜଣେ ସଚ୍ଚୋଟ ପ୍ରଶାସକ ହୋଇପାରିଥିଲେ ତାହା ଲେଖା ହୋଇଛି। ଏହି ପୁସ୍ତକଟି ବହୁତ ଶିକ୍ଷଣୀୟ ହୋଇଥିଲେ ହେଁ ଏଥିରେ ତାରା ଦତ୍ତଙ୍କୁ କାହିଁକି ଟେରର୍‌ ଦତ୍ତ କୁହାଯାଉଥିଲା, ତାଙ୍କର କୌଣସି ମନ୍ତ୍ରୀ ଓ ରାଜନେତାଙ୍କ ସହ ବିବାଦ ଥିଲା କି ନାହିଁ, ତାଙ୍କର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ କିପରି ଥିଲା ତାହା କିଛି ସିଧାସଳଖ ଲେଖା ହୋଇନି। ହୁଏତ ତାରା ଦତ୍ତ ସୌଜନ୍ୟ ଦୃଷ୍ଟିରୁ ଏହା ଲେଖିନାହାନ୍ତି। ଏଣୁ ଖବର ପଛରେ ଗୋଡ଼ାଉଥିବା ସାମ୍ବାଦିକଙ୍କୁ ଏହା ବିଶେଷ ସହାୟକ ହେବନି।

ଏହି ଅବସରରେ ପୂର୍ବତନ ପ୍ରଶାସକ ସଞ୍ଜୀବ ହୋତା କହିଥିଲେ ଯେ ତାରା ଦତ୍ତ ତାଙ୍କ ଚାକିରି ଜୀବନର ଅଧିକାଂଶ ସମୟ ଓଡ଼ିଶାର ହାଇଲ୍ୟାଣ୍ଡରେ ବିତାଇଛନ୍ତି। ସେ ନିଜର ପ୍ରତିଶ୍ରୁତିବଦ୍ଧତା, ଆତ୍ମ ବିଶ୍ବାସ ଏବଂ ତୁରନ୍ତ ନିଷ୍ପତ୍ତି ନେବାର ଦକ୍ଷତା ପାଇଁ ରାଜ୍ୟରେ ଜଣେ ସଚ୍ଚୋଟ ପ୍ରଶାସକ ଭାବେ ପରିଚିତ ହୋଇପାରିଛନ୍ତି।

ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ କହିଥିଲେ ଯେ ଜଣେ ଲେଖକ ନିର୍ଭୀକ ନହେଲେ ସତ ଲେଖିପାରିବନି। ତାରା ଦତ୍ତଙ୍କ କଠିନ ପରିଶ୍ରମ, କାର୍ଯ୍ୟପ୍ରତି ମନୋନିବେଶ ନୂତନ ପିଢ଼ିଙ୍କୁ ଉତ୍ସାହିତ କରିବ।

ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର କହିଥିଲେ ଯେ ସମସ୍ତେ ତାରା ଦତ୍ତଙ୍କୁ ଜଣେ କଠୋର ବ୍ୟକ୍ତି ବୋଲି ଭାବନ୍ତି। କିନ୍ତୁ ସେ କେତେ ଉଦାର ତାହା ଅନେକ ଜାଣିନାହାନ୍ତି। ସେ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ତାଙ୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତିକ୍ତତା ଥିଲା। ଏପରିକି ଉକ୍ତ ଅଧିକାରୀ ଜଣଙ୍କ ତାରାଙ୍କ ନାମରେ ରାଜ୍ୟ ସରକାରଙ୍କୁ ଲେଖିକି ଦେଇଥିଲେ। ହେଲେ ଉକ୍ତ ଅଧିକାରୀ ବିୟୋଗ ପରେ ତାରା ହିଁ ସେଠାରେ ପ୍ରଥମ ପହଞ୍ଚିଥିଲେ। ତାଙ୍କର ପରିବାରକୁ ସମସ୍ତ ସହଯୋଗ କରିବା ସହ କିପରି ସମସ୍ତ ସରକାରୀ କାଗଜପତ୍ର ଯଥାସମ୍ଭବ ଶୀଘ୍ର ହୋଇପାରିବ ସେନେଇ ବହୁ ପଦକ୍ଷେପ ନେଇଥିଲେ।

ଏହି ପୁସ୍ତକ ନେଇ ତାରା ଦତ୍ତ କହିଛନ୍ତି ଯେ ଏ ବହିରେ ସବୁ କିଛି କୁହାଯାଇନି। ଜଣେ ପ୍ରଶାସନିକ ଅଧିକାରୀର କାର୍ଯ୍ୟକାଳର ଅଭିଜ୍ଞତାକୁ ଲେଖାଯାଇଛି। ତାଙ୍କର ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ ଆଣିଥିବା ସଂସ୍କାରମୂଳକ କାର୍ଯ୍ୟର ବିଶ୍ଲେଷଣ କରାଯାଇଛି। ଏହି ପୁସ୍ତକରେ ସାମାଜିକ- ଆର୍ଥିକ ବିକାଶ ପାଇଁ କିପରି ହିତାଧିକାରୀଙ୍କ ସହ ମିଶି କାମ କରିବାକୁ ହୁଏ, ଜଣେ ପ୍ରଶାସକ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ସେଥିପାଇଁ ଉତ୍ତରଦାୟୀ ହେବାର ଭୟ ରଖିନଥାଏ, ନିୟମକୁ ସମସ୍ତଙ୍କ ପାଇଁ ସମାନ ଭାବେ କାର୍ଯ୍ୟକାରୀ କରିଥାଏ, ନିରାଶ ଏବଂ ନିନ୍ଦା କେବେ ବିକଳ୍ପ ନୁହେଁ ଭାବି କାମ କରିଥାଏ, ଏହି ବସ୍ତୁବାଦୀ ଦୁନିଆଁରେ ସତ୍ୟ ସଦାବେଳେ ସଂପୂର୍ଣ୍ଣ ନୁହେଁ। ଏହା ବ୍ୟକ୍ତିରୁ ବ୍ୟକ୍ତିର ଅନୁଭୂତି ଉପରେ ନିର୍ଭର କରିଥାଏ ତାହା ଲେଖାଯାଇଛି। ବି‌ଜେବି କଲେଜର ଅବସରପ୍ରାପ୍ତ ଅଧ୍ୟାପକ ହୃଦୟ ନାରାୟଣ ଶତପଥୀ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ।

ଏହି ପୁସ୍ତକଟି ଜ୍ଞାନ ପବ୍ଲିସିଂ ହାଉସ୍‌ ଦ୍ବାରା ପ୍ରକାଶିତ ହୋଇଛି। ଏଥିରେ ୫୧୯ ପୃଷ୍ଠା ଥିବାବେଳେ ଏହାର ମୂଲ୍ୟ ୪୯୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର