ଚା’ ବଗିଚାରେ ଚରିଲେଣି ଛେଳି : ବିଦେଶକୁ ଚା’ ରପ୍ତାନି ପାଇଁ ସୁନାମ ଅର୍ଜିଥିଲା କେନ୍ଦୁଝରର ତରମାକାନ୍ତ, ୧୫ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି, ପୁନରୁଦ୍ଧାର ପାଇଁ ଆଗ୍ରହ ନାହିଁ

0

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ଦିନ ଥିଲା ଦେଶ ବିଦେଶରେ ତରମାକାନ୍ତ ଚା’ର ଖୁବ୍‌ ଆଦର ଥିଲା। ଜାପାନ, ଜର୍ମାନୀଠୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ତରମାକାନ୍ତ ଚା’ ରପ୍ତାନି ହେଉଥିଲା। ଏହି ଚା’ ବଗିଚା ପାଇଁ ସରକାର ରାଜସ୍ୱ ପାଉଥିବା ବେଳେ ହଜାର ହଜାର ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବିକା ଉପାର୍ଜନ କରୁଥିଲେ। ତେବେ ପରିଚାଳନାଗତ ଅବ୍ୟବସ୍ଥା, ପ୍ରଶାସନିକ ତଥା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଧୀରେ ଧୀରେ ବନ୍ଦ ହୋଇଗଲା ଏହି ଚା’ ବଗିଚା। ଏବେ ଏହି ଚା’ ବଗିଚାରେ ଛେଳି, ଗୋରୁଗାଈ ଚରୁଛନ୍ତି। ବର୍ତ୍ତମାନ ସମୟରେ ସରକାର ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ବେଳେ ହାତ ପାଖରେ ପଡ଼ି ରହିଥିବା ଏହି ବଗିଚାର ପୁନରୁଦ୍ଧାର ନ କରିବା ଅନେକଙ୍କୁ ବିସ୍ମିତ କରିଛି।

କେନ୍ଦୁଝର ଜିଲ୍ଲାର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ବିବେଚନା କରାଯାଉଥିବା ବାଂଶପାଳ ବ୍ଲକ୍‌ରେ ରହିଛି ପ୍ରସିଦ୍ଧ ତରମାକାନ୍ତ ଚା’ ବଗିଚା। ଚା’ ଚାଷ ପାଇଁ ଅନୁକୂଳ ଜଳବାୟୁ ଓ ପର୍ଯ୍ୟାପ୍ତ ଉପତ୍ୟକା ଥିବା ଯୋଗୁଁ ଏଠାରେ ଆରମ୍ଭ ହୋଇଥିଲା ଚା’ ବଗିଚା। ୧୯୮୨ ମସିହାରେ ଓଡ଼ିଶା ସରକାରଙ୍କର ଇପିକଲ ସଂସ୍ଥା ଓ କୋଲକତାର ଶିଳ୍ପପତି ବସନ୍ତ କୁମାର ଦୁବେଙ୍କ ମିଳିତ ସହଯୋଗରେ ଓଟିପିଏଲ୍ ନାଁରେ ଏହି ଚା’ ବଗିଚା ଆରମ୍ଭ ହୋଇଥିଲା। ସେତେବେଳେ ଏହି ବଗିଚା ପାଇଁ ପ୍ରାୟ ୨କୋଟି ୨୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିପାଇଁ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଋଣ କରାଯାଇଥିଲା। ତରମାକାନ୍ତଠାରେ ଚା’ ବଗିଚା କରିବା ପାଇଁ ସ୍ଥାନୀୟ ଆଦିବାସୀଙ୍କର ଜମି ସହିତ କିଛି ଜଙ୍ଗଲ ଜମିକୁ ମିଶାଇ ମୋଟ ୮୯୬.୫୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ପ୍ରାୟ ୨୧୪ ହେକ୍ଟର ଜମିରେ ପ୍ରଥମେ ଉନ୍ନତମାନର ଚା’ ଚାରା ରୋପଣ କରାଯାଇଥିଲା। ଓଡ଼ିଶା ସରକାର ଓ ଉକ୍ତ କମ୍ପାନିର ମିଳିତ ଉଦ୍ୟମରେ ଗଢ଼ାଯାଇଥିବା ‘ଓଡ଼ିଶା ଟି ପ୍ଲାଣ୍ଟେସନ ଲିଃ’ ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଚା’ ରପ୍ତାନି କରି ବେଶ୍ ଲାଭବାନ ହୋଇଥିଲା। ଅଫିସ କାର୍ଯ୍ୟ ପାଇଁ ୧୨ଜଣ, ବୈଷୟିକ କାର୍ଯ୍ୟ ପାଇଁ ୨୯ଜଣ, ନିୟମିତ ଶ୍ରମିକ ୧୪୯ଜଣଙ୍କୁ ପ୍ରାଥମିକ ନିଯୁକ୍ତି ଦିଆଯାଇ ଚା’ ବଗିଚା କାମ ଆରମ୍ଭ କରାଯାଇଥିଲେ ମଧ୍ୟ ଏହି ବଗିଚାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏକହଜାର ଶ୍ରମିକ କାମ କରୁଥିଲେ ।

ବିଶେଷକରି ଏଠାକାର ଜଳବାୟୁ ଚା’ ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ବେଶ୍ ଭଲ ଚା’ ଉତ୍ପାଦନ ହେଉଥିଲା। ଏହି ଅଞ୍ଚଳଟି ସମୁଦ୍ରପତ୍ତନଠାରୁ ୧୮୦୦ ଫୁଟରୁ ୨୨୦୦ ଫୁଟ ଉଚ୍ଚତାରେ ଥିବା ସହିତ ଏଠାରେ ପୁଣ୍ୟତୋୟା ବୈତରଣୀ ଓ ଏହାର ଉପନଦୀ ରାଣୀମା ନାଳ ଏବଂ ଅନ୍ୟ ଏକ ଜଳ ଉତ୍ସ ଚାଷ ପାଇଁ ସହାୟକ ହୋଇଥିଲା। ୧୯୮୩ ମସିହାରୁ ଏଠାରେ କାରବାର ଆରମ୍ଭ ହୋଇ ୨୦୦୨ ମସିହା ବେଳକୁ ବ୍ୟବସାୟ ସଫଳତାର ଶୀର୍ଷକୁ ଛୁଇଁ ପାରିଥିଲା। ଚା’ ବଗିଚା ଯୋଗୁ ଏହି ଆଦିବାସୀ ତଥା ଅନୁନ୍ନତ ଅଂଚଳର ହଜାର ହଜାର ଲୋକ ରୋଜଗାରକ୍ଷମ ହୋଇ ପାରିଥିଲେ। ଏହି ବଗିଚାକୁ ଅନୁଧ୍ୟାନ ପାଇଁ ଦେଶ ବିଦେଶର ବିଭିନ୍ନ ଅଂଚଳର ବ୍ୟବସାୟୀ ଏବଂ ପ୍ରଶାସନିକ ଅଧିକାରୀ ଆସି ଏହାର ଚାଷ ପ୍ରଣାଳୀ ବି ଦେଖୁଥିଲେ। ତେବେ ଲାଭରେ ଚାଲି ଆସିଥିବା ଏହି ପ୍ରକଳ୍ପ ୨୦୦୩ ମସିହା ବେଳକୁ କ୍ଷତି ସହିବାକୁ ଆରମ୍ଭ କରିଥିଲା। ଆଉ ପରିଚାଳନାଗତ ତ୍ରୁଟି କାରଣରୁ ଏହି ପ୍ରକଳ୍ପ ୨୦୦୩-୦୪ ମସିହାରେ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ଫଳରେ ଏହି ପ୍ରକଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲୋକେ କର୍ମସଂସ୍ଥାନ ହରାଇଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତରମାକାନ୍ତରେ ଗଢ଼ି ଉଠିଥିବା ଫ୍ୟାକ୍ଟ୍ରିର ମୂଲ୍ୟବାନ ଯନ୍ତ୍ରାଂଶ,କର୍ମଚାରୀଙ୍କ କ୍ୱାର୍ଟର୍ସ,ବେଲଜିୟମ କାଚରେ ନିର୍ମିତ ଆକର୍ଷଣୀୟ ତଥା ବିଳାସପୂର୍ଣ୍ଣ ଅତିଥି ଗୃହ ଏବଂ ସର୍ବୋପରି ହଜାର ହଜାର ହେକ୍ଟର ପରିମିତ ଚା’ ବଗିଚା ଧ୍ୱଂସ ପାଇବାକୁ ବସିଲା।

ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ଏଠାରେ ଥିବା ବଗିଚା ଏବେ ଜଂଗଲରେ ପରିଣତ ହୋଇଥିବା ବେଳେ ଚା’ ପତ୍ର ତୋଳିବା ବଦଳରେ ଏଠାରେ ଲୋକେ ଛେଳି, ଗାଈଗୋରୁ ଚରାଉଛନ୍ତି। ବଗିଚାର ବାଡ଼ଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ କିଛି ନାହିଁ। ଦିନେ ହଜାର ହଜାର ଆଦିବାସୀଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ତରମାକାନ୍ତ ଚା’ ବଗିଚା ଏବେ ଶ୍ରୀହୀନ ହୋଇପଡ଼ିଛି। ସରକାର ଏବେ ବିଭିନ୍ନ ପ୍ରକାର ଶିଳ୍ପକୁ ପ୍ରୋତ୍ସାହନ ଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରୁଛନ୍ତି । ଡିଏମ୍ଏଫ୍ ଦ୍ୱାରା ଜିଲ୍ଲା ପ୍ରଶାସନ ମଧ୍ୟ ଅନେକଗୁଡିଏ ପ୍ରକଳ୍ପ ହାତକୁ ନେଇଛନ୍ତି । କିନ୍ତୁ ଭିତ୍ତିଭୂମି ଥିବା ସତ୍ତ୍ବେ ତରମାକାନ୍ତ ଚା’ ବଗିଚାର ପୁନରୁଦ୍ଧାର ପାଇଁ କାହିଁକି ଉଦ୍ୟମ ହେଉନି ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ନିକଟସ୍ଥ ଜମ୍ଭିରିପଶି ଗ୍ରାମର ଡମ୍ବରୁଧର ପଲେଇ କହିଛନ୍ତି, ଏଠାରେ ଚା’ ବଗିଚା ଚାଲୁଥିବା ବେଳେ ଲୋକେ କାମ ଧନ୍ଦା ପାଉଥିଲେ । କିନ୍ତୁ ଏହା ବନ୍ଦ ହେବା ପରେ ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର