୫୦୦ କୁଇଣ୍ଟାଲରୁ ଅଧିକ ଧାନ ବିକିବା ପ୍ରସଙ୍ଗ : ଅଡ଼ୁଆରେ ବିଧାୟକ ତାରା, ତଦନ୍ତ ଦାବି କଲା ୟୁଥ ଅର୍ଗାନାଇଜେସନ

୫ଥର ଆଇ ସ୍କାନ୍‌ କରି ବିକିଛି ଧାନ: ତାରା

ଜୟପୁର : ବିଧାୟକ ପଦମର୍ଯ୍ୟାଦାକୁ ଦୁରୁପଯୋଗ କରି ଧାନ ବିକିଥିବା ଅଭିଯୋଗ ଆସିବା ପରେ କଂଗ୍ରେସର ଟାଣୁଆ ବିଧାୟକ ତାରାପ୍ରସାଦ ବାହିନିପତି ଅଡ଼ୁଆରେ ପଡ଼ିଛନ୍ତି। ଜିଲ୍ଲାରେ ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ୍ ପାଉନଥିବା ବେଳେ ବିଧାୟକ ମଣ୍ଡିରେ ଅନୁପସ୍ଥିତ ରହି ବି କିଭଳି ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ୟୁଥ୍ ଅର୍ଗାନାଇଜେସନ୍‌ର ଆବାହକ ରବୀନ୍ଦ୍ର ମହାପାତ୍ର ।

ସ୍ଥାନୀୟ ବାବାସାହେବ କଲ୍ୟାଣ ମଣ୍ଡପରେ ଆୟ‌ୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଧାୟକ ଜାନୁଆରି ୩୦ ତାରିଖରେ ମହାଦେଇପୁଟ ମଣ୍ଡିରେ ଧାନ ବିକିଥିବା ନେଇ ଦର୍ଶାଯାଇଥିବା ବେଳେ ଉକ୍ତ ଦିନ ତମାମ ସେ ବିଭିନ୍ନ କାର୍ଯ୍ୟକ୍ରମରେ ରହିଥିଲେ। ସେ କିପରି ଜୟପୁର ସହର ଠାରୁ ୬୦ କିଲୋମିଟର ଦୂରରେ ଥିବା ଏହି ମଣ୍ଡିରେ ଧାନ ବିକ୍ରି କଲେ ? ସେଭଳି ଜାନୁଆରି ୧୩ ତାରିଖ ଦିନ ବିଧାୟକ ରାୟଗଡ଼ାରେ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର ତଦନ୍ତ ଦାବି କରି ଆନ୍ଦୋଳନରତ ଥିଲେ। କେତେବେଳେ ସେ ଆଇ ସ୍କାନର ଓ ଫିଙ୍ଗରପ୍ରିଣ୍ଟ ଦେଇ ଧାନ ବିକିଲେ ବୋଲି ପ୍ରଶ୍ନ କରିଛନ୍ତି। ସେଭଳି ରେଙ୍ଗାଗୁଡ଼ା ମୌଜାର ଖାତା ନମ୍ବର ୬୦/୧୧୮, ୮/୨୩ ଓ ୮/୨୪ରେ ୧୨ଟି ପ୍ଲଟ, ଯାହା ଡଙ୍ଗର-୨ ବୋଲି ‌ରାଜସ୍ବ ବିଭାଗ ତଥ୍ୟ ଦେଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେଥିରେ ପୂର୍ବ ଋତୁରେ ଧାନ ବିକା ହୋଇନାହିଁ । ଡୁମୁରିପୁଟ ଲ୍ୟାମ୍ପସରେ ତାରାପ୍ରସାଦ ବାହିନିପତି ୨୦ ଜାନୁଆରିରେ ଟୋକେନ ନମ୍ବର ୨୮, ୬ ଜାନୁଆରିରେ ଟୋକେନ ନମ୍ବର ୪୩, ୩ ଫେବ୍ରୁଆରିରେ ଟୋକେନ ନମ୍ବର ୪୨, ୨୭ ଜାନୁଆରିରେ ଟୋକେନ ନମ୍ବର ୨୯ ଓ ୧୩ ଜାନୁଆରିରେ ଟୋକେନ ନମ୍ବର ୨୭ରେ ମୋଟ ୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିବା କହିଥିଲେ। ଉକ୍ତ ଜମି ପାହାଡ଼ିଆ, ପଥୁରିଆ ହୋଇଥିବା ବେଳେ ଏଠି ଆମ୍ବବଗିଚା ରହିଥିବା ସେ କହିଛନ୍ତି । ଏହି ଜମି‌ରେ ଖରିଫ ଋତୁରେ ୫୦୦ କୁଇଣ୍ଟାଲ ଧାନ ଫଳାଇ ବିଧାୟକ ୯ଲକ୍ଷ ୭ ହଜାର ୫୦୦ଟଙ୍କା ସରକାରଙ୍କଠାରୁ ନେଇଛନ୍ତି। ଏହି ମଣ୍ଡିରେ ୮୬ଜଣ ଚାଷୀ ଟୋକେନ ପାଇବାକୁ ଅପେକ୍ଷା କରିଥିବା ବେଳେ ୧୭ଜଣ ଚାଷୀ ଟୋକେନ ପାଇ ୧୦୪୭.୫୦ କୁଇଣ୍ଟାଲ ଧାନ ବିକିଛନ୍ତି। ଏଥିରେ ବିଧାୟକଙ୍କର ୫୦୦ କୁଇଣ୍ଟାଲ ଧାନ ରହିଛି। ସରକାରୀ ଲୋକଙ୍କୁ ଧରି ବିଧାୟକ ବେଆଇନ ଭାବେ ଧାନ ବିକିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଶ୍ରୀ ମହାପାତ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋକ ନାଇକ, ଜଗା ହରିଜନ, କାହ୍ନୁ ହରିଜନ ଓ ସନ୍ତୋଷ ପୂଜାରୀ ପ୍ରମୁଖ ଉପସ୍ଥିତି ଥିଲେ। ଏନେଇ ବିଧାୟକ ତାରାପ୍ରସାଦ ବାହିନିପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କିଏ କହିଲା ମୁଁ ଆଇ ସ୍କାନ କରିନାହିଁ। ମୁଁ ୫ଥର ଆଇ ସ୍କାନ କରି ଧାନ ବିକ୍ରି କରିଛି। ଯେଉଁମାନଙ୍କର ସ୍ଥିତି ନାହିଁ, ବିଭିନ୍ନ ଲୋକଙ୍କ ବିରୋଧରେ ଯାଇ ଯେଉଁମାନେ ଆରଟିଆଇରେ ଚଳୁଛନ୍ତି ସେମାନଙ୍କ କଥାରେ ପ୍ରଭାବିତ ହେବା ଉଚିତ ନୁହେଁ। ଯୁଗ୍ମ କମିଟିର ତଦନ୍ତରେ ମୁଁ ସହଯୋଗ କରିବି ବୋଲି ବିଧାୟକ କହିଛନ୍ତି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ୧୨ଜଣ ଚାଷୀ ଚଳିତଋତୁରେ ୫୦୦କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ସେଥିମଧ୍ୟରୁ ଏକାଧିକ ଚାଷୀ ଅନୁପସ୍ଥିତ ରହି ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏବେ ସୁଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଯୁଗ୍ମ କମିଟି ରିପୋର୍ଟ ଦାଖଲ କରିଛି କି ନାହିଁ ତାହା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର