ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ତ୍ରୀଙ୍କ ଶରୀରର ନବେ ଭାଗ ଅଂଶ ଜଳିଯାଇଥିବା ବେଳେ ଦୁଇ ପୁଅ-ଝିଅ ଗୁରୁତର

ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲାର ତରଭା ସହରର ଏକ ପରିବାରରେ ଘଟିଛି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ତରଭା ସହରର ନୂଆପଡାରେ ରହୁଥିବା ଟିକୁ ସଲମା ସମେତ ପରିବାରର ୪ ଜଣ ସଦସ୍ୟଙ୍କ ଦେହରେ ନିଆଁରେ ପୋଡ଼ି ହୋଇ ଗଭୀର ଭାବେ ଆହତ ହୋଇଛନ୍ତି। ଟିକୁ ଜଣେ ମଦ୍ୟପ। ସେ ପ୍ରତିଦିନ ଘରକୁ ମଦ୍ୟପାନ କରି ଆସୁଥିବା ହେତୁ ତା’ର ସ୍ତ୍ରୀ କୌଶଲ୍ୟା ସଲମା ସବୁବେଳେ ଏହାକୁ ବିରୋଧ କରି ଆସୁଥିଲେ। ଗତକାଲି ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା।

ଆଜି ସକାଳେ ୮ଟା ବେଳେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସେ ଭିତରପଟୁ ଘରେ ତାଲା ପକାଇ ଦେଇଥିଲେ। ଯେଉଁ ସମୟରେ କୌଶଲ୍ୟାଙ୍କ ଦେହରେ ନିଆଁ ଲାଗିଥିଲା, ସେହି ସମୟରେ ଘର ଭିତରେ ତାଙ୍କର ୪ବର୍ଷର ପୁଅ ଓ ୮ବର୍ଷର ଝିଅ ଶୋଇଥିଲେ। ଟିକୁ ଘରେ ନିଆଁ ଲାଗିବା ଦେଖି ପିଲାମାନଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା।

ପରିବାରର ଦୁଇ ପୁଅ-ଝିଅଙ୍କ ଚିତ୍କାର ଶୁଣି ପଡୋଶୀମାନେ ଧାଇଁ ଆସିଥିଲେ। ସେମାନେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ,ସ୍ତ୍ରୀ ଓ ପୁଅ-ଝିଅକୁ ଉଦ୍ଧାର କରିଥିଲେ। ଏବେ ଏହି ଚାରି ଜଣକଯାକ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖବର ମିଳିଛି। କୌଶଲ୍ୟାଙ୍କର ଶରୀରର ନବେ ଭାଗ ଅଂଶ ଜଳିଯାଇଥିବା ବେଳେ ଦୁଇ ପୁଅ-ଝିଅ ଗୁରୁତର ଅଛନ୍ତି।

ସମ୍ବନ୍ଧିତ ଖବର