ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟ ଉନ୍ଦେର ନଦୀରେ ୯ ବର୍ଷର ବାଳକ ଘନଶ୍ୟାମ ଓରଫ୍ ମିଥୁନ ରଣାଙ୍କ ମୁଣ୍ଡ କଟା ଶବ ଉଦ୍ଧାର କରିଛି ସିନ୍ଧେକେଲା ପୁଲିସ। ମୃତ ଶିଶୁର ବାପା ହୀରା ରଣାଙ୍କ ଅଭିଯୋଗ ଅନୁସାରେ, ତାଙ୍କର କାହା ସହ ଶତ୍ରୁତା ନାହିଁ। ଦଶହରା ପୂଜା ଥିବା ବେଳେ ପୁଅକୁ ଅପହରଣ କରିନେଇ ବଳି ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି। ଏଇଠୁ ହିଁ ଆରମ୍ଭ ହେଉଛି ବଙ୍ଗୋମୁଣ୍ଡା ଅଞ୍ଚଳରେ ବଳି ପ୍ରସଙ୍ଗ। ମଙ୍ଗଳବାର ମିଳିଥିବା ଶିଶୁର ମୁଣ୍ଡ କଟା ଶବ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି ଏହି ଅଞ୍ଚଳରେ। ୨ ବର୍ଷ ତଳେ ସେହି ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତର ଝାଲିପଦର ଗାଁର ଦାଶରଥୀ ପରାଭୁଏ(୭ ବର୍ଷ) ନିଖୋଜ ହୋଇ ଯାଇଥିଲେ। ଠିକ ଏହି ଦଶହରା ସମୟରେ। ତାଙ୍କର ମୁଣ୍ଡ କଟା ଶବ ଗାଁ ନିକଟରୁ ମିଳିଥିଲା। ବଙ୍ଗୋମୁଣ୍ଡା ପୁଲିସ ମାମଲାର ଅନୁସନ୍ଧାନ କରୁଥିବା ବେଳେ ଜଣାପଡ଼ିଥିଲା ଯେ, ମୃତ ଦାଶରଥୀକୁ ତନ୍ତ୍ର ସାଧନା କରୁଥିବା ବାଙ୍କ ବେହେରା ଅପହରଣ କରିନେଇ ବଳି ଦେଇଥିଲେ। ଏହି ଘଟଣାରେ ଗିରଫ ହୋଇଥିଲେ ବାଙ୍କ। ସେ ବର୍ତ୍ତମାନ ଜେଲରେ। କେବଳ ସେତିକି ନୁହେଁ, ପ୍ରାୟ ୩ ବର୍ଷ ତଳେ କଣ୍ଟାବାଞ୍ଜିରେ ଆଜାଦ କ୍ଲବ ପକ୍ଷରୁ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ଲୋକ ସମବେତ ହୋଇ ରାବଣ ପୋଡ଼ି ଉତ୍ସବ ଉପଭୋଗ କରୁଥିଲେ। କିନ୍ତୁ କୁକୁଡ଼ାହାଡ଼ ଗାଁର ୧୦ ବର୍ଷର ଝିଅ ସ୍ବପ୍ନା ସରାଫ ରାବଣ ପୋଡ଼ି ମେଳାରୁ ନିଖୋଜ ହୋଇଯାଇଥିଲେ। କଣ୍ଟାବାଞ୍ଜି ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲେ ବି ସ୍ବପ୍ନାର ଆଜି ଯାଏଁ କୌଣସି ଖୋଜଖବର ନାହିଁ। ସେ କେଉଁଠି? ମୃତ ନା ଜୀବିତ ତାହା କାହାରିକୁ ଜଣାନାହିଁ। ପୁଲିସ ତଦନ୍ତ କରିଥିଲେ ବି କିଛି ବି ସୁରାକ ପାଇ ପାରି ନାହିଁ। ସ୍ବପ୍ନାକୁ ବି ବଳି ଦିଆଯାଇଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। କିନ୍ତୁ ଏନେଇ ଠୋସ ପ୍ରମାଣ କିଛି ନାହିଁ। ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଶିଶୁ ମୃତଦେହ ମିଳିଲେ ବଳି ପ୍ରସଙ୍ଗ କାହିଁକି ପ୍ରଥମେ ଆସେ? ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପେଡ଼ାଶୀ ଛତିଶଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୁଣି ଗାରେଡ଼ି କାରବାର ଅଧିକ। ଏହାର ପ୍ରଭାବ ବଙ୍ଗୋମୁଣ୍ଡା ଅଞ୍ଚଳରେ ବି ରହିଛି। ତନ୍ତ୍ର ସାଧନା କରି ସିଦ୍ଧି ହାସଲ କରିବା ପାଇଁ ଦଶହରା ସମୟରେ ଏଭଳି ନର ବଳି ଦିଆଯାଉଛି। ଯାହା କି ଏହି ଅଞ୍ଚଳ ପାଇଁ ଏକ ଅପବାଦ। ଅନ୍ୟପଟେ ମଙ୍ଗଳବାର ଉନ୍ଦେର ନଦୀରେ ମିଳିଥିବା ନାବାଳକ ମିଥୁନର ମୁଣ୍ଡ କଟା ଶବ ମିଳିବା ପରେ ସିନ୍ଧେକେଲା ପୁଲିସ ଓ ଟିଟିଲାଗଡ ଏସଡିପିଓ ସରୋଜ ମହାପାତ୍ର ତଦନ୍ତ କରୁଛନ୍ତି। ପୂର୍ବ ଶତ୍ରୁତା ସହ ବଳି ପ୍ରସଙ୍ଗ ଉପରେ ପୁଲିସ ନଜର ରଖିଛି। ତଦନ୍ତ ଆଗେଇଲେ ଏହା ବଳି ନା ଅନ୍ୟ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ସୂଚନା ଦେଇଛି।
ତନ୍ତ୍ର ସାଧକଙ୍କ ଟାର୍ଗେଟରେ ଦଶହରା
୩ ବର୍ଷ ତଳୁ ସ୍ବପ୍ନାର ପତ୍ତା ମିଳୁନି, ବଙ୍ଗୋମୁଣ୍ଡା ବ୍ଲକରେ ଏକାଧିକ ଶିଶୁ ବଳି
/sambad/media/post_attachments/wp-content/uploads/2018/10/SBPHO16-Blg-Dasrath-Parabhue-Jhalipadar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)