ଫେବ୍ରୁଆରି ୧୫ ସୁଦ୍ଧା ୫୬୦୦ କୋଟିର ଶସ୍ୟଋଣ ଲକ୍ଷ୍ୟ

୧.୨ ଲକ୍ଷ ଭାଗଚାଷୀଙ୍କୁ ମିଳିଛି ୬୪୫.୧୦ କୋଟି

ଭୁବନେଶ୍ବର: ଗତ ଖରିଫ ଋତୁରେ ଚାଷୀଙ୍କୁ ୬ ହଜାର କୋଟିର ଶସ୍ୟଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏ ବାବଦରେ ଦିଆଯାଇଛି ୬୮୦୬.୧୦ କୋଟି। ତେବେ ଚଳିତ ରବି ଋତୁ ପାଇଁ ୫୬୦୦ କୋଟିର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ଚାଷୀଙ୍କୁ ମିଳିଛି ୧୩୧୪.୦୯ କୋଟି। ଆସନ୍ତା ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ରବି ପାଇଁ ଧାର୍ଯ୍ୟ ଶସ୍ୟଋଣ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି। ଆଜି ସମବାୟ ବିଭାଗ ସଚିବ ରଂଜନା ଚୋପ୍‌ଡ଼ାଙ୍କ ଦ୍ବାରା ହୋଇଥିବା ଭିଡିଓ କନ୍‌ଫରେନ୍ସିଂରୁ ଏଭଳି ସୂଚନା ମିଳିଛି। ୨୦୧୮-୧୯ ଧାନ ସଂଗ୍ରହ ବର୍ଷ ନିମନ୍ତେ ୧୫ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିମଧ୍ୟରୁ ଗତ ୧୫ ତାରିଖ ସୁଦ୍ଧା ୧୨ ଲକ୍ଷ ୪୮,୨୦୨ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ସମୟସୀମା ଚଳିତ ମାସ ୩୧ ତାରିଖକୁ ଘୁଞ୍ଚାଯାଇଛି। ଗତ ବର୍ଷ ଖରିଫ ଋତୁ ତୁଳନାରେ ଏଥର ଅଧିକ ସଂଖ୍ୟକ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଛି ସତ, କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ କି ବୋଲି ପ୍ରଶ୍ନ ଉଠୁଛି। ଧାନ ସଂଗ୍ରହ ନେଇ ଭିଡିଓ କନ୍‌ଫରେନ୍ସିଂର ସୂଚନାନୁସାରେ ୨୦୧୭-୧୮ ଖରିଫ ଋତୁରେ ୪୯.୦୬ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗୃହୀତ ହୋଇଥିଲା। ଚଳିତ ଖରିଫ ଋତୁର ପ୍ରଥମ ପର୍ଯ୍ୟାୟରେ ୩୪.୯୧ ଲକ୍ଷ ମେଟ୍ରିକ ଟନ୍‌ର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗତ ୧୫ ତାରିଖ ସୁଦ୍ଧା ୬୮୫୧ଜଣ ଚାଷୀଙ୍କଠାରୁ ୬.୭୨ ଲକ୍ଷ ମେଟ୍ରିକ ଟନ୍‌ର ଧାନ ୧୦ ଲକ୍ଷ ସଂଗୃହୀତ ହୋଇଛି। ଏଥର ୨୬୦୩ଟି ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପସ୍‌ଙ୍କୁ ଧାନ ସଂଗ୍ରହରେ ନିୟୋଜିତ ହେବ ବୋଲି କୁହାଯାଇଛି। ନାମମାତ୍ର, କ୍ଷୁଦ୍ର, ଭୂମିହୀନ ଓ ଭାଗଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ନେଇ ଏହି ସମୀକ୍ଷାରେ ଆଲୋଚନା ହୋଇଥିଲା। ଭାଗଚାଷୀଙ୍କୁ ନେଇ ୧ ଲକ୍ଷ ୧୮୦୨ଟି ଯୁଗ୍ମ ଋଣ ଗୋଷ୍ଠୀ ବା ଜେଏଲ୍‌ଜି ଗଠିତ ହୋଇଛି। ସେହି ଗୋଷ୍ଠୀଙ୍କୁ ୬୪୫.୧୦ କୋଟିର ସହାୟତା ଦିଆଯାଇଛି। ତେବେ ଅଧିକ ସଂଖ୍ୟକ ଗୋଷ୍ଠୀଙ୍କୁ ସାମିଲ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ଭିଡିଓ କନ୍‌ଫରେନ୍ସିଂରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ସମବାୟ ବ୍ୟାଙ୍କ, ସମବାୟ ନିବନ୍ଧକ, ଉପ ନିବନ୍ଧକ, ଜିଲ୍ଲାସ୍ତରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ସିଇଓ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର