ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଜେଡି ତା’ର ସାଂଗଠନିକ ରଣନୀତି ଜୋର୍ଦାର କରିଛି। ପୂର୍ବରୁ ୧୧ଟି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା ବେଳେ ଆଜି ନବୀନ ନିବାସରେ ଆଉ ୬ଟିର ପାଳି ପଡ଼ିଥିଲା। ପଶ୍ଚିମ ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଓ ସମ୍ବଲପୁର ସହ ଉପକୂଳ ଓଡ଼ିଶାର ଯାଜପୁର, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଲୋକସଭା ଏବଂ ଏହା ଅଧୀନସ୍ଥ ୪୨ ବିଧାନସଭା ଆସନ ନିର୍ବାଚନମଣ୍ଡଳୀ ୱାରି ରଣନୀତି ପ୍ରସ୍ତୁତ କରାଯାଇଥିଲା। ଗତ ଲୋକସଭା ନିର୍ବାଚନର ସବୁ ତ୍ରୁଟିବିଚ୍ୟୁତିକୁ ଏଡ଼ାଇ ବିଜୟର ନୂଆ ରେକର୍ଡ଼ ସୃଷ୍ଟି ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇଥିଲା ସମୀକ୍ଷା ବୈଠକ। ଏହାପରେ ସୁନ୍ଦରଗଡ଼ ଓ ଢେଙ୍କାନାଳ ଏବଂ ଅପରାହ୍ନରେ ଯାଜପୁର, ଜଗତସିଂହପୁର ଓ କଟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦଳୀୟ ପର୍ଯ୍ୟବେକ୍ଷକ ଓ ଅନ୍ୟ ନେତାମାନଙ୍କ ସହ ଜଣ ଜଣ କରି ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିବା ସୁନ୍ଦରଗଡ଼ ଓ ସମ୍ବଲପୁର ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଲୋକସଭା ଆସନ ବିଜୟ ପାଇଁ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଯେଉଁ ଆସନରେ ବିଜେଡି ଗତ ନିର୍ବାଚନରେ ପରାଜିତ ହୋଇଥିଲା, ସେଠାରେ ବିଜୟ ପାଇଁ ଦଳୀୟ ନେତାମାନଙ୍କୁ କଠୋର ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ, ୫-ଟି ରୂପାନ୍ତରଣ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ନବୀନ ନିବାସରେ ଦଳୀୟ ନେତାଙ୍କୁ ନବୀନଙ୍କ ମନ୍ତ୍ର
ସମସ୍ତଙ୍କୁ ସାଙ୍ଗରେ ନେଇ ଲଢ଼: ପାଣ୍ଡିଆନ
ସମ୍ବଲପୁର, ସୁନ୍ଦରଗଡ଼ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି
ସେହିପରି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଦଳୀୟ ନେତାମାନଙ୍କୁ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ଆଗାମୀ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଉଲ୍ଲେଖ କରି ଏଥିପାଇଁ ଅବିରତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନରେ ବିଜେଡି କ୍ରମାଗତ ଭାବରେ ଷଷ୍ଠ ଥର ଓଡ଼ିଶାରେ ସରକାର ଗଠନ କରିବ। ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବାଲାଗି ଦଳୀୟ ନେତୃବୃନ୍ଦଙ୍କୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତିଙ୍କଠାରୁ ୱାର୍ଡ ସ୍ତରରେ ସକ୍ରିୟ କର୍ମୀଙ୍କ ସହ ସମନ୍ୱୟ ରଖି ନିର୍ବାଚନ ପ୍ରସ୍ତୁତି କରାଯିବ। ଅଧିକରୁ ଅଧିକ ଲୋକଙ୍କୁ ବିଜେଡି ସହିତ ଯୋଡ଼ାଯିବ ଏବଂ ଯୁବବର୍ଗ ତଥା ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ନିର୍ବାଚନ ରଣନୀତି କାର୍ଯ୍ୟକାରୀ କରାଯିବ। ଦଳ ପ୍ରତି ପ୍ରତିବଦ୍ଧ କର୍ମୀଙ୍କୁ ନେଇ ନେତାମାନେ ଆଗକୁ ବଢ଼଼ିବେ ଏବଂ ତାଲିମ ନେଇଥିବା ମାଷ୍ଟର ଟ୍ରେନରମାନଙ୍କ ସହ ମିଶି ବୁଥ୍ସ୍ତରରୁ ଦଳକୁ ଶକ୍ତିଶାଳୀ କରିବେ। ପୂର୍ବରୁ ପ୍ରସ୍ତୁତ ଯୋଜନା ଅନୁସାରେ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା ହେବ, ଆଉ ପ୍ରତ୍ୟେକ ଦିନର ବିବରଣୀ ସୁପ୍ରିମୋଙ୍କ ନିକଟକୁ ପଠାଇବେ। ସମ୍ବଲପୁର ସଂସଦୀୟ କ୍ଷେତ୍ର ବୈଠକରେ ବିଧାୟକ ରୋହିତ ପୂଜାରୀ, ସୁଶାନ୍ତ ବେହେରା ଓ କିଶୋର ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଭୀମସେନ ଚୌଧୂରୀ, ସଞ୍ଜୟ ବାବୁ, ନଳିନୀକାନ୍ତ ପ୍ରଧାନ, ବିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସୁନ୍ଦରଗଡ଼ ବୈଠକରେ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ଶାରଦା ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ଯୋଗେଶ ସିଂ, ବରିଷ୍ଠ ନେତା ମଙ୍ଗଳା କିସାନ ଓ ଦିଲ୍ଲୀପ ତିର୍କୀ ଉପସ୍ଥିତ ଥିଲେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ବୈଠକରେ ସାଂସଦ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍, ବିଧାୟକ ବ୍ରଜ କିଶୋର ପ୍ରଧାନ, ମୁକେଶ ପାଲ, ରଜନୀକାନ୍ତ ସିଂ, ସୁଧୀର ସାମଲ, ସୀମାରାଣୀ ନାୟକ, ନୃସିଂହ ସାହୁ ଓ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁର ସଂସଦୀୟ କ୍ଷେତ୍ର ବୈଠକରେ ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଶର୍ମିଷ୍ଠା ସେଠୀ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ପ୍ରଣବ ବଳବନ୍ତରାୟ, ଅଶୋକ ବଳ, ଅମର ପ୍ରସାଦ ଶତପଥୀ ଓ ସୁନନ୍ଦା ଦାସ ଉପସ୍ଥିତ ଥିଲେ।