ଭୁବନେଶ୍ବର : ଫେବ୍ରୁଆରି, ୨୦୧୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ୫୧ଟି ବ୍ଲକରେ ଅତ୍ୟାଧୁନି ବସଷ୍ଟାଣ୍ଡ ନିର୍ମାଣ ହେବ। ଏହାପରେ ଏଥିରେ ଆଉ ୪ଟି ବ୍ଲକ ସାମିଲ୍ ହୋଇଥିଲା। ହେଲେ ଘୋଷଣାର ୪ ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲାନି। ଅଧାରୁ ଅଧିକ ବ୍ଲକରେ ବସଷ୍ଟାଣ୍ଡ ପାଇଁ ଜମି ନମିଳିବାରୁ ପ୍ରକଳ୍ପ ଆଗେଇ ପାରୁନି। ବହୁ ସମୀକ୍ଷା ପରେ ଅଧିକାରୀମାନେ ବସଷ୍ଟାଣ୍ଡ ନିର୍ମାଣ ନେଇ ବାଟ ଫିଟାଇପାରୁନାହାନ୍ତି। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବ ଓଏସ୍ଆର୍ଟିସିକୁ ଦିଆଯାଇଥିବାବେଳେ ଓଏସ୍ଆର୍ଟିସିର ନିଜସ୍ବ ଜମି ନଥିବାରୁ ଜମି ଅଧିଗ୍ରହଣ ହୋଇପାରୁନି। ଏପଟେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦେବାକୁ କୁହାଯାଇଥିଲେ ବି ଜିଲ୍ଲାପାଳମାନେ ସହଯୋଗ କରୁନାହାନ୍ତି। ଫଳରେ ଏହି ଯୋଜନା କେବଳ ଘୋଷଣାରେ ରହିଯାଇଛି।
୫୫ଟି ବ୍ଲକରେ ବସ୍ଷ୍ଟାଣ୍ଡ ନିର୍ମାଣ ବିଳମ୍ବ ହୋଇଚାଲିଥିବାରୁ ଏହାକୁ ତୁରନ୍ତ ନିର୍ମାଣ କରିବାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବସଷ୍ଟାଣ୍ଡ ପ୍ରକଳ୍ପ ଡିସେମ୍ବର, ୨୦୨୨ ସୁଦ୍ଧା ଶେଷ କରିବାକୁ ଟାର୍ଗେଟ୍ ଦିଆଯାଇଛି। ଯଦି ଜମି ଅଧିଗ୍ରହଣ ଏବଂ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ କିଛି ସମସ୍ୟା ହେଉଛି ତେବେ ତୁରନ୍ତ ପରିବହନ ବିଭାଗ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଣିକି କୌଣସି ପରିସ୍ଥିତିରେ ବି ଯେପରି ଜମି ପାଇଁ ବସ୍ଷ୍ଟାଣ୍ଡ ନିର୍ମାଣ କାମ ବାଧକ ସାଜିବନି ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି।
ସେହିପରି ଏହି ସବୁ ବସ୍ଷ୍ଟାଣ୍ଡର ଡିଜାଇନ୍ ଓ ଟେଣ୍ଡର ପ୍ରକିୟା ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ଏବଂ କଲ୍ୟାଣ ନିଗମ ଲିମିଟେଡ କରୁଥିବାରୁ ଜୁନ୍ ୨୫ ସୁଦ୍ଧା କାମ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ବସ୍ଷ୍ଟାଣ୍ଡ ନିର୍ମାଣ କାମ ୫ଟି ଅଧୀନରେ ହେବାକୁ ଥିବାରୁ ଧାର୍ଯ୍ୟ ସମୟରେ କାମ ଶେଷ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟର ୫୫ଟି ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଥିବାବେଳେ ପର୍ଯ୍ୟଟନ ଭିତ୍ତିଭୂମି ଦୃଷ୍ଟିରୁ ବ୍ଲକଗୁଡ଼ିକୁ ବଛାଯାଇଛି। ଏହି ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣ ସହ ଟିକେଟ କାଉଣ୍ଟର, ଆଲୋକୀକରଣ, ଡ୍ରେନେଜ୍, ଶୌଚାଳୟ, ପାର୍କିଂ, ଗ୍ୟାରେଜ୍, ରେଷ୍ଟ ରୁମ୍ ବ୍ୟବସ୍ଥା ଉପଲବ୍ଧ ହେବ। ଯେଉଁଠି ବସ୍ଷ୍ଟାଣ୍ଡ ଅଛି ସେଗୁଡ଼ିକୁ ତୁରନ୍ତ ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/baramunda.jpg)