ଭୁବନେଶ୍ବର : ରାଜ୍ୟ ସରକାର ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିବା ମାତ୍ରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପାଲଟା ଆକ୍ରମଣ କରିଥିଲେ। ଏବେ ନିଜେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରଥମ ଥର ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ନିଜ ବିଭାଗ ସଂପର୍କରେ ବି ଧର୍ମେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବାକୁ ଭୁଲି ନାହାନ୍ତି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ଛଳରେ କହିଛନ୍ତି ଯେ, ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ କେତେ ପଦବି ଖାଲି ପଡ଼ିଛି ଓ କେତେ ନିଯୁକ୍ତି ଦିଆଯିବ ସେନେଇ ଶ୍ବେତପତ୍ର ପ୍ରକାଶ କରନ୍ତୁ।

Advertisment

ଗୁରୁତ୍ବପୂର୍ଣ୍ଣ ଦୁଇ ବିଭାଗରେ ଅନେକ ପଦବି ଖାଲି
ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି
ଶିକ୍ଷିତ ଯୁବବର୍ଗଙ୍କୁ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଯାଉନି?

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ଦ୍ୱନ୍ଦ୍ବ ସୃଷ୍ଟି କରିଛି। କିଛି ବର୍ଷ ପୂର୍ବେ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଚାକିରି କରିବା ସମୟରେ ସମୟ ଅବଧି ଆଧାରରେ ସ୍ୱାଭାବିକ ଭାବେ ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ନିଯୁକ୍ତି ପତ୍ରରେ ଲେଖା ଯାଇଥିଲା। କିଏ କେତେ ଦିନ ପରେ ସ୍ଥାୟୀ ହେବେ, ତାହା ନିଯୁକ୍ତି ପତ୍ରରେ କୁହାଯାଇଥିଲା। ଏବେ ଏହି ଘୋଷଣାରେ ସରକାର ଆଉ ନୂଆ କ’ଣ କଲେ? ପ୍ରାରମ୍ଭରୁ ଖାଲି ପଡ଼ିଥିବା ପଦବିରେ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଗଲା ନାହିଁ? ଏପ୍ରକାର ଅସାମଞ୍ଜସ୍ୟ ତିଆରି କରିବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ବିଶେଷ ଭାବେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ନିରାଶ ହୋଇଛି। ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ମାତ୍ର ସେହି ସବୁ ପଦବିଗୁଡ଼ିକରେ ଯୋଗ୍ୟ ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ। ସେହିଭଳି ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦବି ଖାଲି ପଡ଼ିଥିଲେ ହେଁ ନୂଆ ନିଯୁକ୍ତି ଦିଆଯାଉନାହିଁ। ମୂଳ ବିଷୟ ଏହା ଯେ ଖାଲି ପଡ଼ିଥିବା ପଦବିଗୁଡ଼ିକରେ ନୂଆ ନିଯୁକ୍ତି ଦେବା। କେନ୍ଦ୍ର ସରକାରଙ୍କ ପରି ଆରମ୍ଭରୁ ରାଜ୍ୟରେ କାହିଁକି ସ୍ଥାୟୀ ନିଯୁକ୍ତି ଦିଆଯିବ ନାହିଁ? ଏହାଦ୍ୱାରା ହିଁ କେବଳ ଓଡ଼ିଆ ଯୁବକ ଓ ଓଡ଼ିଆ ଲୋକଙ୍କୁ ନ୍ୟାୟ ମିଳିପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।