ନବରଙ୍ଗପୁର: ଖରିଫ ମଣ୍ଡିରେ ଧାନ କ୍ରୟ ପାଇଁ ନବରଙ୍ଗପୁର ଜିଲ୍ଲାକୁ ମିଳିଥିବା ଟାର୍ଗେଟ ସରିଆସୁଛି। ପ୍ରାୟ ୯୦ପ୍ରତିଶତ ଧାନ ଆଜିସୁଦ୍ଧା କିଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୧୨ଲକ୍ଷ ୭୮ହଜାର ୬୪୦ କୁଇଣ୍ଟାଲ ଟାର୍ଗେଟ ମିଳିଥିଲା। ସେଥିରୁ ୧୧ଲକ୍ଷ ୪୭ହଜାର ୨୯୦ କୁଇଣ୍ଟାଲ ପୂରଣ ହୋଇସାରିଛି ବୋଲି ସୂଚନା ମିଳିଛି। ଯେଉଁ ଗତିରେ ମଣ୍ଡି ଚାଲିଛି ଆଉ କିଛି ଦିନ ଭିତରେ ଟାର୍ଗେଟ ପୂରଣ ହୋଇଯିବ। ଅନ୍ୟ ପକ୍ଷରେ ଜିଲ୍ଲାର ୫ ବ୍ଲକ୍ର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଦା ହୋଇଛି।
ଜିଲ୍ଲାର ବହୁ ଲ୍ୟାମ୍ପସରେ ଟାର୍ଗେଟ୍ ସରିଥିବାରୁ ମଣ୍ଡିରେ ଧାନ କିଣା ବିଳମ୍ବ ହେଉଛି। ଆଉ କିଛି ମଣ୍ଡିରେ ମିଲର ଗାଡ଼ି ବ୍ୟବସ୍ଥା କରିନଥିବାରୁ ଧାନ ଉଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଅଞ୍ଚଳଗୁମ୍ମା, ମଇଦଲପୁର ଓ ଡାବୁଗାଁ ଲ୍ୟାମ୍ପସ ଅଧୀନରେ ରହିଥିବା ମଣ୍ଡିରେ ବିଶେଷ ସମସ୍ୟା ନାହିଁ। କୋଡ଼ିଙ୍ଗା, କୋଷାଗୁମୁଡା, ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଲ୍ୟାମ୍ପସ ଅଧୀନରେ ରହିଥିବା ମଣ୍ଡିରେ ଧାନ ଉଠିବାରେ ବିଳମ୍ବ ହେଉଛି। କୋଷାଗୁମୁଡା ଲ୍ୟାମ୍ପସ ଅଧୀନସ୍ଥ କୋଷାଗୁମୁଡା, ବଡ଼ଆମଡ଼ା, ରାଜଡା, କୋଡିଙ୍ଗା ଲ୍ୟାମ୍ପସ ଅଧୀନସ୍ଥ କୋଡିଙ୍ଗା, ଆଟିଗାଁ, ଚିରମା, ତାରାଗାଁ, ମଦେଗାଁ, ଉମରକୋଟ ଲ୍ୟାମ୍ପସ ଅଧୀନସ୍ଥ ସିଂସାରୀ, ବେହେଡା, ଜାମରୁଣ୍ଡା, କାରାଗାଁ, ଝରିଗାଁ ଲ୍ୟାମ୍ପସ ଅଧୀନସ୍ଥ ଝରିଗାଁ, ଚଚ୍ଚା, ଧୋଡ୍ରା, ଚାଟିଗୁଡା, ଏକମ୍ବା, ବେଲଗାଁ, ଚନ୍ଦାହାଣ୍ଡି ଲ୍ୟାମ୍ପସ୍ ଅଧୀନସ୍ଥ ଚନ୍ଦାହାଣ୍ଡି, ଧୋଡିପାଣି, ପୂଜାରୀଗୁଡା, କୋଇଲିମୁଣ୍ଡା, ଚିଲିଗାଁ, ସର୍ଦ୍ଦାପୁର, ରାଇଘର ବ୍ଲକର ରାଇଘର, ମହଣ୍ଡ, ଗୋନା, ଯୋଡିଗାଁ, ହାଟଭରାଣ୍ଡି ଆଦି ମଣ୍ଡିରେ ଗତକାଲି ସୁଦ୍ଧା ପ୍ରାୟ ୨ଲକ୍ଷ ବସ୍ତା ଧାନ ବିକ୍ରି ପାଇଁ ରହିଥିଲା।
ଯେଉଁ ବ୍ଲକରେ ଧାନ ମିଲ୍ ନାହିଁ ସେହି ବ୍ଲକ୍ରେ ଧାନ ଉଠିବାରେ ବିଳମ୍ବ ହେଉଛି। ଝରିଗାଁ, ରାଇଘର ଓ ଚନ୍ଦାହାଣ୍ଡିସ୍ଥିତ ମିଲ୍ କ୍ଷମତା ତୁଳନାରେ ଅଧିକ ଧାନ ମଣ୍ଡିକୁ ଆସିବାରୁ ଉମରକୋଟରୁ ମିଲର ଆସି ଧାନ ଉଠାଉଛନ୍ତି। ସେହିପରି କୋଷାଗୁମୁଡ଼ା ବ୍ଲକରୁ ଧାନ ଉଠାଇବା ପାଇଁ ନବରଙ୍ଗପୁର ମିଲର୍ ଯାଉଛନ୍ତି। ଏହି କାରଣରୁ ଧାନ ଉଠିବା ବିଳମ୍ବ ହେଉଥିବା କୁହାଯାଉଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଆଜି ଗୁରୁବାର ହୋଇଥିଲେ ମଧ୍ୟ ବିଭିନ୍ନ ମଣ୍ଡିରୁ ୧୩,୬୪୮ କୁଇଣ୍ଟାଲ ଧାନ ଉଠିଛି। ମଣ୍ଡିରେ ଯାହା ଧାନ ରହିଛି ତାହାକୁ ଅଳ୍ପ ଦିନ ଭିତରେ ଉଠିଯିବ। ଆଉ ୧ଲକ୍ଷ ୩୧ ହଜାର କୁଇଣ୍ଟାଲ ଧାନ କିଣିଲେ ଟାର୍ଗେଟ ପୂରଣ ହୋଇଯିବ। ସେଥିପାଇଁ ଆଉ ୧୦.୫୦ ଲକ୍ଷ କୁଇଣ୍ଟାଲ ଧାନ କିଣିବା ନିମନ୍ତେ ଟାର୍ଗେଟ ଦେବାକୁ ଚିଠି ଲେଖାଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ୨୪,୧୧୯ ଚାଷୀ ଧାନ ବିକ୍ରି କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/17/T730wBXhmHOXCxG4QbjP.jpg)