୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ

ଉଦ୍ଧାର ପାଇଁ ଓଡ୍ରାଫର ୧୮ ଓ ଏନଡିଆରଏଫର ୨୫ ଟିମ୍ ମୁତୟନ, ୬୦୪ଜଣ ଗର୍ଭବତୀଙ୍କୁ ମା’ ଗୃହକୁ ସ୍ଥାନାନ୍ତର

ଭୁବନେଶ୍ବର : ବାତ୍ୟା ‘ଫନି’ର ମୁକାବିଲା କରିବାକୁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରଭାବିତ ହେବାକୁ ଥିବା ୧୫ଟି ଜିଲ୍ଲାର ତଳି ଅଞ୍ଚଳର ୧୧ ଲକ୍ଷ ୫୪ ହଜାର ୪୭୫ ଜଣଙ୍କୁ ରାତିସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀ ସମେତ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ନେଇ ସ୍ବତନ୍ତ୍ର ରିଲିଫ କମିସନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏସଆରସି କାର୍ଯ୍ୟାଳୟର ମୁଖପାତ୍ର ତଥା ବରିଷ୍ଠ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କ କହିବାଅନୁଯାୟୀ, ବିଶେଷକରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ରିପୋର୍ଟ ଲେଖାହେବା ବେଳକୁ ଦିନ ୩ଟା ସୁଦ୍ଧା ୩ ଲକ୍ଷ ୩୧ ହଜାର ୭୯୪ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା। ଏସବୁ ଲୋକଙ୍କୁ ସ୍ଥାନାନ୍ତର କରି ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ୪ ହଜାର ୮୫୨ଟି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୌଣସି ଧନଜୀବନ ଯେପରି ଏହି ବାତ୍ୟାରେ ହାନି ନୁହୁଏ ସେଥିପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବାତ୍ୟାରେ ପ୍ରଭାବିତ ହେବାକୁ ଭୁବନେଶ୍ବର ସମେତ ୧୫ଟି ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୨୮ଟି ଏନଡିଆରଏଫ ଟିମରୁ ୨୫ଟିକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିବାବେଳେ ୨୦ଟି ଓଡ୍ରାଫ୍ ଟିମରୁ ୧୮ଟିକୁ ମୁତୟନ କରାଯାଇଛି। ଗରୁତର ଭାବେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ ପାଇଁ ୧୨ ଜଣ ଆଇଏସଙ୍କ ସମେତ ୭୦ ଜଣ ବରିଷ୍ଠ ଓଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରଭାବିତ ଜିଲ୍ଲାରୁ ୬୦୪ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି।

ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ବଚ୍ଛ ପିଇବା ପାଣି ଯୋଗାଇବାକୁ ୩୨ ଲକ୍ଷ ୧ ହଜାର ୧୦୦ଟି ପାଣି ପାଉଚ ବ୍ୟବସ୍ଥା କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ୯୩୬ଟି ମେଡିକାଲ ରିଲିଫ କ୍ୟାମ୍ପ କରାଯିବା ସହ ୩୦୨ଟି ତ୍ବରିତ ଡାକ୍ତରୀ ଦଳ ମୁତୟନ କରାଯାଇଛି। ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇ ଆବଶ୍ୟକ ପଡ଼ିଲେ ଆକାଶ ମାର୍ଗରୁ ପକାଇବାକୁ ବ୍ୟବସ୍ଥା କରାଯାଇଛି। ବାତ୍ୟ ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ଜିଲ୍ଲାରେ ୨ଟି ଓଡ୍ରାଫ ସମେତ ୩ଟି ଏନଡିଆରଏଫ ଟିମ ମୁତୟନ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାରେ ୨ଟି ଓଡ୍ରାଫ ସମେତ ୩ଟି ଏନଡିଆରଏଫ, ବାଲେଶ୍ବର ପାଇଁ ୨ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ, ଭଦ୍ରକ ପାଇଁ ୨ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ, ଗଞ୍ଜାମରେ ୧ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ, ଖୋର୍ଦ୍ଧା ୧ଟି ଓଡ୍ରାଫ୍ ସମେତ ୨ଟି ଏନଡିଆରଏଫ, ଯାଜପୁର ଜିଲ୍ଲା ପାଇଁ ୧ଟି ଓଡ୍ରାଫ ସମେତ ୨ଟି ଏନଡିଆରଏଫ, ନୟାଗଡ଼ ଜିଲ୍ଲା ପାଇଁ ୧ଟି ଓଡ୍ରାଫ ଓ ୧ଟି ଏନଡିଆରଏଫ, କଟକ ପାଇଁ ୧ଟି ଓଡ୍ରାଫ ସମେତ ୧ଟି ଏନଡିଆରଏଫ, ଗଜପତିରେ ୧ଟି ଓଡ୍ରାଫ ଓ ୧ଟି ଏନଡିଆରଏଫ, ମୟୁରଭଞ୍ଜ ପାଇଁ ୧ଟି ଓଡ୍ରାଫ ଓ ୧ଟି ଏନଡିଆରଏଫ, ଢେଙ୍କାନାଳ ପାଇଁ ୧ଟି ଏନଡିଆରଏଫ, କେନ୍ଦୁଝର ପାଇଁ ୧ଟି ଏନଡିଆରଏଫ ଓ ଭୁବନେଶ୍ବର ପାଇଁ ୧ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି। ଓଡ୍ରାଫ ଓ ଏନଡିଆରଏଫ ଟିମ ସହିତ ଏସବୁ ପ୍ରଭାବିତ ଜିଲ୍ଲା ପାଇଁ ୫୨୫ଟିମ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଛି।

ବାତ୍ୟା ସମୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ଆଗାମି ୭ ଦିନ ପାଇଁ ୬ ମାସରୁ ୩ ବର୍ଷ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଛତୁଆ ଓ ଶୁଖିଲା ଖାଦ୍ୟ ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହାସହିତ ଗର୍ଭବତୀ ମହିଳାଙ୍କ ପାଇଁ ଅଣ୍ଡା ପୁଷ୍ଟିଯୁକ୍ତ ଖାଦ୍ୟ ମହଜୁଦ ରଖାଯାଇଛି। ଅପରାହ୍ନ ୩ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାରୁ ମୋଟ ୬୦୪ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ପ୍ରସୂତି କେନ୍ଦ୍ର ତଥା ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ବାଲେଶ୍ବର ଜିଲ୍ଲାରୁ ୧୬ଜଣ ଗର୍ଭବତୀ ମହିଳା ସ୍ଥାନାନ୍ତର ହୋଇଥିବାବେଳେ କଟକ ଜିଲ୍ଲାରୁ ୭୨ ଜଣ, ଢେଙ୍କାନାଳରୁ ୩, ଗଞ୍ଜାମରୁ ୨୧୧, ଗଜପତିରୁ ୧୨୪, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୪୭ଜଣ, ଖୋର୍ଦ୍ଧାରୁ ୨୨, ମୟୁରଭଞ୍ଜରୁ ୪୭, ପୁରୀରୁ ୨୪ ଓ ନୟାଗଡ଼ରୁ ୨୮ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଜିଲ୍ଲାରେ ଡାକ୍ତରୀ ସେବା ଯୋଗାଇବାକୁ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କ୍ୟାମ୍ପରେ ୨୪୨ଟି ପାଵାର ବ୍ୟାକଅପ ବ୍ୟବସ୍ଥା କରାଯାଇଥିବାବେଲେ ଜରୁରିକାଳିନ ସେବା ଯୋଗାଇବା ପାଇଁ ୪୯୪ଟି ଆମ୍ବୁଲାନ୍ସ ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେହିପରି ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ୭୩୪ଟି ପିଭିସି ଟାଙ୍କି ସହିତ ୬୬୮ଟି ଗାଡ଼ି, ୩୩୭ଟି ଡିଜେଲ ଜେନେରଟର ସେଟ୍, ୩ ହଜାର ୮୪୦ଟି ଓଭରହେଡ ଟାଙ୍କିର ବ୍ୟବସ୍ଥା କରାଯାଇଛି। ସେହିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରିବାକୁ ଜିଲ୍ଲା ଭେଟେରିନାରୀ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି। ପର୍ଯ୍ୟଟନସ୍ଥଳୀରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଆଗୁଆ ସ୍ଥାନାନ୍ତର କରିବାକୁ ମଧ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଏସଆରସିଙ୍କ ମୁଖପାତ୍ର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର