୧୩୦ ଲକ୍ଷ ଚାରା ରୋପଣ ଲକ୍ଷ୍ୟ

ପୁରୀ ଜିଲ୍ଲାରେ ୯ ହଜାର ଉପଭୋକ୍ତାଙ୍କୁ ମିଳିଛି ବିଜୁଳି

ଭୁବନେଶ୍ବର : ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୯ହଜାର ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ମିଳିଛି। ଗତକାଲିଠାରୁ ପୁରୀ ଜିଲ୍ଲାରେ ବିଜୁଳି ସଂଯୋଗ ଆରମ୍ଭ ହୋଇଥିଲେ ହେଁ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ପିଇଡି ଡିଭିଜନ୍ ଅନ୍ତର୍ଗତ ୫୬ଟି ଫିଡର୍‌ରୁ ୭ଟି ଫିଡର୍‌ କାର୍ଯ୍ୟକ୍ଷମ ହୋଇଛି। ନିମାପଡ଼ା ଅଞ୍ଚଳରେ କାର୍ଯ୍ୟ କରୁଥିବା ଏନ୍‌ଇଡି ଡିଭିଜନ୍‌ ଅନ୍ତର୍ଗତ ୨୮ଟି ଫିଡର୍‌ରୁ ୫ଟି ଫିଡର୍‌ କାର୍ଯ୍ୟକ୍ଷମ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ବିସିଡିଡି-୧ ଅଧୀନରେ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିସିଡିଡି-୨ ଅଧୀନରେ ଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ଲକ୍ଷ ୪୭ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୧୪ ହଜାର ୩୭ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଫଳରେ ଏହି ସଂଖ୍ୟା ୧ଲକ୍ଷ ୩୫ହଜାର ୪୦ରେ ପହଞ୍ଚିଛି। ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ଲକ୍ଷ ୯ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୮୨୫୯ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେବା ଫଳରେ ଏହି ସଂଖ୍ୟା ୧ଲକ୍ଷ ୮ହଜାର ୫୦ରେ ପହଞ୍ଚିଛି। କଟକ ସିଡିଡି-୧ ଡିଭିଜନ୍‌ରେ ଥିବା ସମସ୍ତ ଉପଭୋକ୍ତାଙ୍କୁ ଶତପ୍ରତିଶତ ବିଜୁଳି ସଂଯୋଗ ଦିଆଯାଇଛି। ସିଡିଡି-୨ରେ ପ୍ରାୟ ୬୯ହଜାର ୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୦ହଜାର ୬୮୫ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ଏବେ ସୁଦ୍ଧା ୭୧ହଜାର ୨ଶହ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ଜଗତସିଂହପୁର ଅଞ୍ଚଳରେ ଥିବା ଜେଇଡି ଡିଭିଜନ୍‌ ଅଧୀନରେ ୪୩ଟି ଫିଡର ମଧ୍ୟରୁ ୩୮ଟି କାର୍ଯ୍ୟକ୍ଷମ ହେବା ଫଳରେ ଏହି ଡିଭିଜନ୍‌ର ୧ ଲକ୍ଷ ୧୬ ହଜାର ୨୧୫ ଉପଭୋକ୍ତାଙ୍କ ମଧ୍ୟରୁ ୮୫ହଜାର ୯୦୩ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପୁନଃକ୍ଷମ ହୋଇଛି। ପାରାଦୀପ ଅଞ୍ଚଳରେ ଥିବା ପିଇଡି ଡିଭିଜନ୍‌ର ସମସ୍ତ ୨୪ଟି ଫିଡର୍‌ କାର୍ଯ୍ୟକ୍ଷମ ହୋଇଛି। ଏହି ଡିଭିଜନ୍ ଅନ୍ତର୍ଭୁକ୍ତ ୧ଲକ୍ଷ ୧ହଜାର ୨୨୮ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ହଜାର ୩୯୪ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ବାତ୍ୟା ଯୋଗୁଁ ୨୨ଲକ୍ଷ ଗଛ ସହ ବନୀକରଣ ଭିତ୍ତିଭୂମି ନଷ୍ଟ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୩୭ କୋଟି ଟଙ୍କା ହେବ ବୋଲି ବନ ବିଭାଗ ଆକଳନ କରିଛି। ତେବେ ସବୁଜିମା ବଳୟର ପୁନରୁଦ୍ଧାର ଓ ନୂତନ ସବୁଜିମା ସୃଷ୍ଟି କରିବା ପାଇଁ ୨୦୧୯/୨୦ ଆର୍ଥିକ ବର୍ଷରେ ୧୩୦.୫୦ ଲକ୍ଷ ଚାରାରୋପଣ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ସେଥିରୁ ୮୦.୫ଲକ୍ଷ ଚାରା ବିଭାଗ ମାଧ୍ୟମରେ ରୋପଣ କରାଯିବ ଓ ୫୦ଲକ୍ଷ ଚାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ, ଘରୋଇ ଜମିବାରିରେ ରୋପଣ ପାଇଁ ବଣ୍ଟାଯିବ। ଏଥିପାଇଁ ୧୨ଟି ଫରେଷ୍ଟ ଡିଭିଜନ୍‌ରେ ୧୦୪ଲକ୍ଷ ଚାରା ପ୍ରସ୍ତୁତି ରହିଥିବା ସୂଚନା ଦେଇଛନ୍ତି ପ୍ରଧାନ ମୁଖ୍ୟ ବନସଂରକ୍ଷକ ସଂଦୀପ ତ୍ରିପାଠୀ।

ସବୁଜିମାର ପୁନଃସ୍ଥାପନ ପାଇଁ ପ୍ରାୟ ୧ଲକ୍ଷ ଅପେକ୍ଷାକୃତ ବଡ଼ ବଡ଼ ଗଛ ରୋପଣ କରିବା ପାଇଁ ଯୋଜନା ହୋଇଛି। ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ, ପୁରୀ-ଭୁବନେଶ୍ବର-କଟକ ଆଦିର ସହରର ପାର୍କ, ରାସ୍ତା ପାର୍ଶ୍ବ ଆଦିରେ ଏହି ବୃକ୍ଷରୋପଣ କରାଯିବ। ଏଥିପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାର କରାଯିବ। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନ୍ବୟନ କମିଟି ଗଠନ କରାଯାଇଛି। ବିଦ୍ୟୁତ ତାର ଯାଇଥିବା ସ୍ଥାନରେ ଅପେକ୍ଷାକୃତ କମ୍ ଉଚ୍ଚ ଜାତୀୟ ବୃକ୍ଷ ରୋପଣ କରାଯିବ। ଫଳରେ ଗଛର ଡାଳ ବିଦ୍ୟୁତ ତାର ସ୍ପର୍ଶ କରିବ ନାହିଁ କି କୌଣସି କାରଣରୁ ଗଛ ଭାଙ୍ଗିଲେ ତାହା ବିଦ୍ୟୁତ ଯୋଗାଯୋଗ ନଷ୍ଟ କରିବ ନାହିଁ। ବାଲୁଖଣ୍ଡ ଅଭୟାରଣ୍ୟ, ସହରାଞ୍ଚଳ ଓ ଘରୋଇ ଜମିରେ ଉପୁଡ଼ି ପଡ଼ିଥିବା ଏସବୁ ବୃକ୍ଷରାଜିର ପୁନଃସ୍ଥାପନ ପାଇଁ ପ୍ରାୟ ୨୪କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ବୃକ୍ଷରୋପଣ ଓ ନୂତନ ସବୁଜିମା ସୃଷ୍ଟି କାର୍ଯ୍ୟରେ ଜନସାଧାରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହଯୋଗର ଆବଶ୍ୟକତା ରହିଛି।

ସେହିପରି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଟେଲି ଯୋଗାଯୋଗ ଓ ମୋବାଇଲ ସେବା ତ୍ବରାନ୍ବିତ ହୋଇଛି। ଖୋର୍ଧା ଜିଲ୍ଲାରେ ୮୫ ପ୍ରତିଶତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୫୯ ପ୍ରତିଶତ ଓ କଟକ ଜିଲ୍ଲାରେ ୯୩ ପ୍ରତିଶତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ‌ହୋଇଛି। ସେହିପରି ଭୁବନେଶ୍ବରରେ ୮୬ ପ୍ରତିଶତ, ପୁରୀ ସହରରେ ୬୦ ପ୍ରତିଶତ ଓ କଟକ ସହରରେ ୯୩ ପ୍ରତିଶତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ପୁରୀ ସହରରେ ଏବେ ୨୩ଟି ଭ୍ରାମ୍ୟମାଣ ମୋବାଇଲ୍‌ ଟାୱାର (କାଓ) କାର୍ଯ୍ୟ କରୁଛି। ଆଜିଠାରୁ ବ୍ରହ୍ମଗିରିଠାରେ ବିଏସ୍ଏନ୍‌ଏଲ କାଓ କାର୍ଯ୍ୟ କରିଛି। ଏୟାରଟେଲର ୧୦ଟି, ଜିଓର ୬ଟି ଓ ଭୋଡାଫୋନ୍‌ର ଆଇଡିଆର ୬ଟି କାଓ କାର୍ଯ୍ୟ କରୁଛି। ପୁରୀରେ ୨୩ଟି ବେସ୍ ଟ୍ରାନ୍‌ସରିସିଭର ଷ୍ଟେସନ୍ କାର୍ଯ୍ୟ କରୁଛି। ଖୋର୍ଧା ଓ କଟକରେ ବିଏସଏନ୍‌ଏଲ ଫିକ୍ସଡ ଲ୍ୟାଣ୍ଡଲାଇନ୍ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି। ପୁରୀରେ ୪୧ଟି ୩୪ଟି କାର୍ଯ୍ୟ କରୁଛି। ପୁରୀ ଜିଲ୍ଲା ପାଇଁ ଇଣ୍ଟ୍ରାସର୍କଲ ରୋମିଂ ସେବା ଚାଲୁ ରହିଛି। ପୁରୀର ସମସ୍ତ ବ୍ଲକ୍ ସଦର ମହକୁମାରେ ବିଏସଏନ୍‌ଏଲ ଏବଂ ଜିଓ ମୋବାଇଲ ସେବା ଶତପ୍ରତିଶତ କାର୍ଯ୍ୟ କରୁଛି। ଏୟାରଟେଲ ସତ୍ୟବାଦୀ ବ୍ୟତୀତ ୧୦ଟି ବ୍ଲକ୍‌ରେ ଓ ଭୋଡାଫୋନ୍ ଆଇଡିଆ ସତ୍ୟବାଦୀ ବ୍ୟତୀତ ୧୦ଟି ବ୍ଲକ୍‌ରେ କାର୍ଯ୍ୟ କରୁଛି। ଆଜି ସୁଦ୍ଧା ପୁରୀରେ ୯୩.୬୯ ପ୍ରତିଶତ, ଖୋର୍ଧାରେ ୯୮.୬୩, କଟକରେ ୯୯.୪, ଜଗତସିଂହପୁରରେ ୯୭.୫୬, ଗଞ୍ଜାମରେ ୯୯.୭୭ ପ୍ରତିଶତ ଓ କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି। ପୁରୀରେ ୩୪.୯୧ ପ୍ରତିଶତ, ଖୋର୍ଧା ୭୪.୨୪, କଟକରେ ୭୮.୯୨, ଜଗତସିଂହପୁରରେ ୭୮.୮୪, ଗଞ୍ଜାମରେ ୯୯.୬୨ ଓ କେନ୍ଦ୍ରାପଡ଼ାରେ ୮୩.୬୩ ପ୍ରତିଶତ ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଛି।

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ବିତରଣରେ ତତ୍ପରତା ପ୍ରକାଶ ପାଇଛି। ପୁରୀ ଜିଲ୍ଲାରେ ୯୪.୧ପ୍ରତିଶତ, ଖୋର୍ଧା ଜିଲ୍ଲାରେ ୯୮.୩, ଜଗତସିଂହପୁରରେ ୯୫, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୯.୩, କଟକ ଜିଲ୍ଲାରେ ୯୭.୭, ବିଏମ୍‌ସି ଅଞ୍ଚଳରେ ୮୭.୨ ପ୍ରତିଶତ ହୋଇଥିବା ବେଳେ ହାରାହାରି ୯୫ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ନଗଦ ଅର୍ଥ ଦିଆଯାଇଛି। ପୁରୀ ଜିଲ୍ଲାରେ ୯୬.୬, ଜଗତସିଂହପୁରରେ ୯୯, କେନ୍ଦ୍ରାପଡ଼ାରେ ୯୭.୩୪, କଟକ ଜିଲ୍ଲାରେ ୯୮.୫, ବିଏମ୍‌ସି ଅଞ୍ଚଳରେ ୭୭.୩, ଖୋର୍ଧା ଜିଲ୍ଲାରେ ୯୪.୬ ପ୍ରତିଶତ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ହାରାହାରି ୯୪ପ୍ରତିଶତରୁ ଅଧିକ ହିତାଧିକାରୀ ଏହି ସୁବିଧା ପାଇଛନ୍ତି। ପୁରୀ ଜିଲ୍ଲାରେ ୮୦.୪, ବିଏମ୍‌ସି ଅଞ୍ଚଳରେ ୮୭.୨, ଖୋର୍ଧା ଜିଲ୍ଲାରେ ୫୮.୮ ପ୍ରତିଶତ ହିତାଧିକାରୀଙ୍କୁ ପଲିଥିନ୍ କିମ୍ବା ପଲିଥିନ୍ ପରିବର୍ତେ ଅର୍ଥ ପ୍ରଦାନ କରାଯାଇଛି। ଖୋର୍ଧା ଜିଲ୍ଲାରେ ୯୨ପ୍ରତିଶତ, ବିଏମ୍‌ସି ଅଞ୍ଚଳରେ ୬୪.୩, କଟକ ଜିଲ୍ଲାରେ ୯୮.୮, ପୁରୀ ଜିଲ୍ଲାରେ ୮୩, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୭.୫ ଓ ଜଗତସିଂହପୁର ଜିଲ୍ଲାରେ ୯୮ ପ୍ରତିଶତ ଲୋକଙ୍କୁ ଅତିରିକ୍ତ ମାସିକ ଭତ୍ତା ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ପ୍ରାୟ ୮୮.୯୩ ପ୍ରତିଶତ ଲୋକଙ୍କୁ ଅତିରିକ୍ତ ମାସିକ ଭତ୍ତା ପ୍ରଦାନ କରାଯାଇିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର