କାଳିଆପାଣି : କାଳିଆପାଣି ତାରିଣୀ ବଜାରର ଯୁବ ବ୍ୟବସାୟୀ ଜିତେନ୍ଦ୍ର କୁମାର ମହାପାତ୍ର ଓରଫ୍ କାହ୍ନା(୨୭)ଙ୍କୁ ଗତ ୨୯ ତାରିଖ ରାତିରେ ରାଁସୋଳ ଗାଁର ବିରେନ ସାମଲ ଓରଫ୍ ଶାନ୍ତନୁ(୩୬) ଖଣ୍ଡାରେ ହାଣି ହତ୍ୟା କରିଥିଲା। ଅଭିଯୁକ୍ତକୁ କେସ୍ ନମ୍ବର ୧୨୧/୨୨ ଦଫା ୩୦୨, ୩୦୭, ୨୯୪, ୩୭୯, ୫୦୬/୩୪ରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ପୁଅ ବେକରୁ ଏକ ସୁନାଚେନ୍ ଲୁଟି ନେଇଥିବା ମୃତ କାହ୍ନାଙ୍କ ବାପା ସନ୍ତୋଷ କୁମାର ମହାପାତ୍ର ଓରଫ ବାଇନ ଥାନାରେ ଏତଲା ଦେଇଥିଲେ। ଆକ୍ରମଣ ସମୟରେ ଶାନ୍ତନୁର ସାନଭାଇ ସମ୍ରାଟ ମଧ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ବାଇନ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅବୈଧ ପ୍ରେମ ସଂପର୍କ ହତ୍ୟାକାଣ୍ଡ ପଛର ପ୍ରମୁଖ କାରଣ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।
ବାଇନଙ୍କ ଝିଅ ସୀମା(ଛଦ୍ମନାମ) ସହ ବିବାହିତ ଶାନ୍ତନୁର ପ୍ରେମସଂପର୍କ ରହିଆସିଛି। ଏଥିପାଇଁ ୪ ବର୍ଷର ଶିଶୁକନ୍ୟାକୁ ଧରି ଶାନ୍ତନୁର ସ୍ତ୍ରୀ ଅଧିକାଂଶ ସମୟ ବାପଘରେ ରହୁଥିଲେ। ଅନ୍ୟପକ୍ଷରେ ଶାନ୍ତନୁ ଓ ସୀମା ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ବାଇନଙ୍କ ଘର ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଘରେ ଶାନ୍ତନୁ ଅଧିକାଂଶ ସମୟ ରହୁଥିଲା। ଉଭୟ ମଉକା ଦେଖି ମିଳାମିଶା କରୁଥିଲେ। ଏହାକୁ ବିରୋଧ କରି ବାପା ବାଇନ ଓ ବଡ଼ଭାଇ କାହ୍ନା ସୀମାଙ୍କୁ ତାଗିଦ୍ କରିଆସୁଥିଲେ। ଘଟଣାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବାରୁ ସୀମା ଏକାଧିକ ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତ ଅଗଷ୍ଟ ୧୯ ତାରିଖରେ ସୀମା ନିଖୋଜ ହୋଇଯାଇଥିଲେ। ଏ ସଂପର୍କରେ ବାଇନ ଥାନାରେ ଅଭିଯୋଗ କରି ଏଥିରେ ଶାନ୍ତନୁର ସଂପୃକ୍ତି ଥିବା ପୁଲିସକୁ ସୂଚନା ଦେଇଥିଲେ।
୨୨ ତାରିଖରେ କାଳିଆପାଣି ପୁଲିସ ଯୁବତୀଙ୍କୁ ଢେଙ୍କାନାଳର ସୂର୍ଯ୍ୟ ହୋଟେଲରୁ ଉଦ୍ଧାର କରିଥିଲା। ସେ ଏକାକୀ ଏକ ଭଡ଼ାକାରରେ ଢେଙ୍କାନାଳ ପଳାଇ ଆସିଥିବା ସଫେଇ ଦେଇଥିଲେ। ବାଇନଙ୍କୁ ପୁଲିସ ଥାନାକୁ ଡକାଇ ଝିଅର ଜିମା ନେବା ପାଇଁ କହିଥିଲା। ହେଲେ ବାଇନ ଓ ତାଙ୍କ ପରିବାର ଝିଅକୁ ଘରକୁ ନେବାକୁ ରାଜି ହୋଇନଥିଲେ। ଅଦାଲତ ନିର୍ଦ୍ଦେଶରେ ତାଙ୍କୁ ପୁଲିସ ଏକ ସ୍ବଧାର ଗୃହରେ ଥଇଥାନ କରିଥିଲା। ସେଦିନରୁ ସୀମା ସ୍ବଧାର ଗୃହରେ ରହି ଆସୁଛନ୍ତି। ଏହି କାରଣରୁ ସୀମା ଓ ଶାନ୍ତନୁ ମଧ୍ୟରେ ମିଳାମିଶାର ବାଟ ବନ୍ଦ ହୋଇଯାଇଥିଲା। ସୀମାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶାନ୍ତନୁ ବାଇନ ଓ କାହ୍ନାଙ୍କ ଉପରେ ଚାପ ପକାଇ ଆସୁଥିଲା। କିଛିଦିନ ତଳେ ଝିଅକୁ ଫେରାଇ ଆଣିବାକୁ ବାଇନ ରାଜି ହୋଇଥିଲେ ମଧ୍ୟ କାହ୍ନା ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ଘଟଣାକୁ ଭିତ୍ତିକରି ଶାନ୍ତନୁ ସହ ବାଇନ ଓ କାହ୍ନାଙ୍କ ଦୋକାନରେ ଧସ୍ତାଧସ୍ତି ହୋଇଥିଲା। ପାଖ ଦୋକାନୀ ପ୍ରକାଶ ସାହୁ ସେମାନଙ୍କ ମଝିରେ ପଶି ଗଣ୍ଡଗୋଳ ଟାଳି ଦେଇଥିଲେ। ଶାନ୍ତନୁ ଓ କାହ୍ନା ନିଜନିଜ ଘର ଓ ବାଇନ ଦୋକାନକୁ ପଳାଇ ଆସିଥିଲେ। ଏହାର କିଛି ସମୟ ପରେ ଘରୁ ଏକ କାର୍ଟୁନ କାନ୍ଧେଇ କାହ୍ନା ଦୋକାନକୁ ଆସୁଥିବା ବେଳେ ଶାନ୍ତନୁ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ପୁଲିସ ଉକ୍ତ ରକ୍ତଲଗା ଖଣ୍ଡାକୁ ଜବତ କରିଛି।