ମଙ୍ଗଳବାରରୁ ଖୋଲିବ ମା’ତାରିଣୀ ମନ୍ଦିର, ଶ୍ରଦ୍ଧାଳୁଙ୍କୁ ଭୋଗ ମନା

ଶ୍ରାବଣ ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶିବ ମନ୍ଦିର

କେନ୍ଦୁଝର/ଘଟଗାଁ : ଆସନ୍ତାକାଲିଠାରୁ ସାଧାରଣ ଦର୍ଶନ ପାଇଁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଖୋଲିବ। କେବଳ ସେତିକି ନୁହେଁ ଜିଲ୍ଲାର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଆଜି ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମଙ୍ଗଳବାରଠାରୁ କେନ୍ଦୁଝର ଜିଲ୍ଲାରେ ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ ଏବଂ ଗୁରୁଦ୍ବାର ଖୋଲିବ। ଘଟଗାଁର ତାରିଣୀ ମନ୍ଦିରଠାରୁ ଆରମ୍ଭ କରି ସିଦ୍ଧ ବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଖୋଲିବ। ସେପରି ଗୁରୁଦ୍ବାରା, ଚର୍ଚ୍ଚ ଏବଂ ମସଜିଦ୍‌ ମଧ୍ୟ ଖୋଲିବ। ଏସବୁ ଖୋଲୁଥିଲେ ହେଁ ଶ୍ରଦ୍ଧାଳୁ କେବଳ ଦର୍ଶନ କରିବାର ସୁଯୋଗ ପାଇବେ। ‌‌ମନ୍ଦିର କିମ୍ବା ମସଜିଦ୍‌ରେ କୌଣସି ପୂଜା କାର୍ଯ୍ୟ କରାଯାଇପାରିବ ନାହିଁ। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ସମସ୍ତ ମନ୍ଦିର ଟ୍ରଷ୍ଟ ବୋର୍ଡ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛି। ବିଭିନ୍ନ ମନ୍ଦିରରେ ବ୍ୟାରିକେଡ଼ରୁ ଆରମ୍ଭ କରି ହାତ ଧୁଆ, ସାନି‌ଟାଇଜେସନ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷ କରିବେ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ପ୍ରତ୍ୟେକ ଧର୍ମାନୁଷ୍ଠାନରେ ସାମାଜିକ ଦୂରତା ୬ ଫୁଟ ପାଳନ କରାଯିବା ସହିତ ଏକାଥରେ ୫ ଜଣରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଧର୍ମାନୁଷ୍ଠାନରେ ପ୍ରବେଶ କରି ପାରିବେ ନାହିଁ। ପ୍ରତ୍ୟେକ ଧର୍ମାନୁଷ୍ଠାନର ପ୍ରବେଶ ଏବଂ ପ୍ରସ୍ଥାନରେ ସାନିଟାଇଜର ରଖାଯିବା ବ୍ୟବସ୍ଥା ହେବ। ଯଦି କୌଣସି ପୂଜକ କିମ୍ବା ସେବାୟତଙ୍କ ପାଖରେ ଜ୍ବର, ଥଣ୍ଡା ଭଳି ଲକ୍ଷଣ ଦେଖାଦେଲା, ତେବେ‌ ସେମାନଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆସନ୍ତା ୧୬ ତାରିଖ ସୋମବାର ପଡୁଥିବାରୁ ଶ୍ରବଣ ମାସ ଦୃଷ୍ଟିରୁ ସମସ୍ତ ଶିବ ମନ୍ଦିର ଉକ୍ତ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ମାତ୍ର ଏହି ଦିନ ମନ୍ଦିର ଭିତରେ ଯଥାରୀତି ପୂଜା ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାପ୍ରଶାସନର ତାରିଣୀ ମନ୍ଦିର ଖୋଲିବା ନେଇ ଘୋଷଣା ପରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ଏକ ଜରୁରୀ ବୈଠକ ବସି ଆଲୋଚନା କରାଯିବ ପରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଟ୍ରଷ୍ଟ ବୋର୍ଡର ସଦସ୍ୟ ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି ଏବଂ ଆନନ୍ଦଚନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ଏ ନେଇ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର