ରାଉରକେଲା (ଅବିନାଶ ଶୁକ୍ଳା): ଇଚ୍ଛା ଥିଲା ଭଲ ପାଠ ପଢ଼ି ବଡ଼ ଚାକିରି କରିବି। କିନ୍ତୁ କୁସଂଗରେ ପଡ଼ି ଏଭଳି ଭୁଲ୍ କରିଦେଲି ଯେ ଜୀବନର ଗତି ସଂପୂର୍ଣ୍ଣ ବଦଳି ଗଲା। ସେହି ଅପରାଧ ପାଇଁ ଅଦାଲତ ଆଜୀବନ ସଜା ଶୁଣାଇଥିଲେ। ସେଦିନର ଭୁଲ୍ ପାଇଁ ଆଜି ଅନୁତପ୍ତ। ହେଲେ କାରାଗାର ଭିତରେ ଖାଲି ସମୟକୁ ନଷ୍ଟ କରୁନି। ମୋଭଳି ସଜା କାଟୁଥିବା ଅନ୍ୟ କଏଦୀଙ୍କୁ ପାଠ ପଢ଼ାଉଛି। ଅନେକ ନିରକ୍ଷରଙ୍କୁ ପାଠପଢ଼ାଇ ସାକ୍ଷର କରାଇଛି। ବିଗତ ଦିନମାନଙ୍କରେ ଆମେ ସମସ୍ତେ କରିଥିବା ଭୁଲ୍ ପାଇଁ ସଚେତନ କରାଉଛି। କାରାଗାରରୁ ମୁକୁଳିଲା ପରେ ଯେପରି ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ବାବଦରେ ମୋର ବୁଦ୍ଧି ମୁତାବକ ପରାମର୍ଶ ଦେଉଛି। ଏହା ହେଉଛି ରାଉରକେଲା ସ୍ବତନ୍ତ୍ର କାରାଗାରରେ ଆଜୀବନ ସଜା ଭୋଗୁଥିବା କଏଦୀ ତାରକେଶ୍ବର ଚୌଧୁରୀ (୫୭)ଙ୍କ ମନର କଥା।
ରାଉରକେଲା ପାନପୋଷ ଅଞ୍ଚଳରେ ତାରକେଶ୍ବରଙ୍କ ଘର। ୧୯୮୮ ବେଳକୁ ସେ ରାଉରକେଲା ଇସ୍ପାତ କଲେଜରେ ରାଜନୀତି ବିଜ୍ଞାନ ସମ୍ମାନ ରଖି ପାଠ ପଢ଼ୁଥିଲେ। ପାଠପଢ଼ା ଶେଷ ବର୍ଷ ରାଉରକେଲା ଇସ୍ପାତ କାରଖାନାର ଏକ ଠିକା ସଂସ୍ଥାରେ ଭଲ ଦରମାରେ ଚାକିରିଟିଏ ପାଇବାରୁ ସ୍ନାତକ ଡିଗ୍ରି ସଂପୂର୍ଣ୍ଣ କରିପାରି ନଥିଲେ। ପରିବାର ଲୋକେ ୧୯୯୩ରେ ତାରକେଶ୍ବରଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଲେ। ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ସଂସାର ବେଶ କିଛି ବର୍ଷ ସୁଖ, ଶାନ୍ତିରେ ଚାଲିଥିଲା। ହେଲେ ୨୦୧୪ରେ ଅଭାବ ଓ କୁସଙ୍ଗ କାରଣରୁ ୩ଜଣ ବନ୍ଧୁଙ୍କ ସହ ମିଶି ସେକ୍ଟର-୫ରେ ବ୍ୟାଙ୍କର ଟଙ୍କା ଯାଉଥିବା ଗାଡ଼ି ଲୁଟ୍ ଓ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ହତ୍ୟା କରିଥିଲେ। ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତି ଯୋଗୁ ଅଦାଲତ ଆଜୀବନ ସଜା ଶୁଣାଇଥିଲେ।
ନିଜ ଦୋଷ ପାଇଁ ଅନୁତାପ କରିବାବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ହେଲେ ପରେ ଜେଲ୍ ଭିତରେ ତାଙ୍କୁ ନିଜ ଭୁଲ୍ର ପଶ୍ଚାତାପ କରିବା ପାଇଁ ଏକ ମାଧ୍ୟମ ମିଳି ଯାଇଥିଲା। ଜେଲ୍ର ଅନ୍ଧାର କୋଠରି ଭିତରେ ଶିକ୍ଷାର ଆଲୋକ ବୁଣିଲେ ତାରକେଶ୍ବର।
ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଓପନ୍ ସ୍କୁଲ (ଏନ୍ଆଇଓୟୁଏସ୍) ଯୋଜନାରେ ୨୦୨୨ ମସିହାରେ ରାଉରକେଲା ଜେଲ୍ର ୧୦ ଜଣ କଏଦୀ ମାଟ୍ରିକ୍ ପଢ଼ିବା ପାଇଁ ନାମ ଲେଖାଇଥିଲେ। ସେମାନଙ୍କ ମଧ୍ୟରୁ ୯ଜଣ ପରୀକ୍ଷା ଦେଇ ୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀମାନେ ତାଙ୍କ ପାଖରେ ପାଠପଢ଼ି ପରୀକ୍ଷା ଦେଇଥିଲେ। ପରେ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି। କଏଦୀମାନଙ୍କୁ ସାହିତ୍ୟ, ଇଂରାଜୀ, ଗଣିତ, ବିଜ୍ଞାନ, ଇତିହାସ, ଭୂଗୋଳ ଆଦି ବିଷୟ ପଢ଼ାଉଛନ୍ତି ତାରକେଶ୍ବର। ପ୍ରତିଦିନ ସକାଳେ ୩୦ରୁ ୩୫ ଜଣ କଏଦୀ ପାଠ ପଢ଼ିବା ତାଙ୍କ ପାଖକୁ ଆସୁଛନ୍ତି। ଯେଉଁମାନେ ନିରକ୍ଷର ସେମାନଙ୍କୁ ମଧ୍ୟ ଅକ୍ଷର ଶିଖାଉଛନ୍ତି। ସେଥିପାଇଁ ଜେଲରେ ସମସ୍ତେ ତାଙ୍କୁ ମାଷ୍ଟର୍ ଡ଼ାକୁଛନ୍ତି ଓ ସମ୍ମାନ ଦେଉଛନ୍ତି। ଏଥିରୁ ସେ ଗଭୀର ଆତ୍ମସନ୍ତୋଷ ଲାଭ କରୁଛନ୍ତି।
ଅନେକ କଏଦୀ ଅଛନ୍ତି ଯେଉଁମାନେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନଙ୍କୁ ବୁଝାଇ ପାଠପଢ଼ା ପ୍ରତି ଆକର୍ଷିତ କରୁଛନ୍ତି। କାହାକୁ ପଢ଼ିବା ପାଇଁ ବାଧ୍ୟ କରୁନାହାନ୍ତି। ଯାହାର ଇଚ୍ଛା ହେଲା ଆସୁଛନ୍ତି। ସନ୍ଧ୍ୟାବେଳେ ମଧ୍ୟ କେତେକ ଆସି ପାଠ ବୁଝନ୍ତି।
କିଛି ନକଲେ ମନ ଭିତରେ ଦୁଶ୍ଚିନ୍ତା ଆସେ। ହେଲେ ପାଠପଢ଼ାଇବା ଯୋଗୁ ସମୟ କେମିତି ବିତି ଯାଉଛି ଜାଣିହେଉନି ବୋଲି କହନ୍ତି ତାରକେଶ୍ବର। ତାଙ୍କଠୁ ପାଠ ପଢ଼ିଥିବା କଏଦୀମାନେ ଜେଲ୍ରୁ ବାହାରିବା ପରେ ମନେ ରଖିବେ ବୋଲି ଆଶା ରଖିଛନ୍ତି। ଜେଲ କର୍ତ୍ତୃପକ୍ଷ ଖାତା, ବହି, କଲମ ଆଦି ଯୋଗାଇ ଦେଉଥିବା କହିଛନ୍ତି। ପରିବାର ସଂପର୍କରେ ସେ କହନ୍ତି, ଝିଅର ବିବାହ ହୋଇଯାଇଛି। ଘରେ ପତ୍ନୀ, ପୁଅ ଅଛନ୍ତି। ମଝିରେ ମଝିରେ ଭେଟିବାକୁ ଆସନ୍ତି। ଜେଲରୁ କେବେ ବାହାରିବେ ତାଙ୍କୁ ଜଣା ନାହିଁ ବୋଲି କହନ୍ତି ତାରକେଶ୍ବର। ସରକାରଙ୍କ ପକ୍ଷରୁ ଜେଲ ଭିତରେ କଏଦୀମାନଙ୍କ ପାଠପଢିବା ପାଇଁ ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଓପନ୍ ସ୍କୁଲ (ଏନ୍ଆଇଓୟୁଏସ୍) ଯୋଜନା ରହିଛି। ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷକ ଜେଲ୍ ଭିତରେ ନିଯୁକ୍ତି ପାଇବା କଥା। କିନ୍ତୁ୨୦୧୦ ଏପ୍ରିଲ୍ ପରଠାରୁ ଏଠାରେ କୌଣସି ଶିକ୍ଷକ ନିଯୁକ୍ତି ପାଇ ନାହାନ୍ତି। ହେଲେ ଶିକ୍ଷକଙ୍କ ଅଭାବକୁ କିଛିମାତ୍ରାରେ ଦୂର କରି ପାରିଛନ୍ତି ତାରକେଶ୍ବର।