ଟାସ୍କଫୋର୍ସର ଦାବି, ନିୟନ୍ତ୍ରଣରେ ରହିଛି ବନାଗ୍ନି

ଭୁବନେଶ୍ବର : ଗତକାଲି ରାଜ୍ୟରେ ୭୦୦ଟି ଅଗ୍ନିକାଣ୍ଡ ସତର୍କତା ସୂଚନା ମିଳିଥିଲା। ରାଜ୍ୟରେ ବନାଗ୍ନି ନିୟନ୍ତ୍ରଣରେ ରହିଛି। ଶିମିଳିପାଳ ଜଙ୍ଗଲ ସମେତ ରାଜ୍ୟ କିଛି ସ୍ଥାନରେ ବର୍ଷା ହୋଇଛି; ଯାହା ରାଜ୍ୟରେ ବନାଗ୍ନି ବିସ୍ତାରକୁ ରୋକିବ। ଟାସ୍କଫୋର୍ସ ଆଜି ଏଭଳି ସୂଚନା ଦେଇଛନ୍ତି।

ଏକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ କୁହାଯାଇଛି, ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଙ୍ଗଲରେ ବନାଗ୍ନି ଯେପରି ବିସ୍ତାର ନ ହୁଏ, ସେଥିପାଇଁ ସତର୍କ ରହିବାକୁ ବନ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ରାତିରେ ପାଟ୍ରୋଲିଂ ସହିତ ଅଗ୍ନି ସତର୍କତା ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ବର୍ତମାନ ଯାଏ ୯୫ ପ୍ରତିଶତ ସ୍ଥାନରେ ଅଗ୍ନି ନିରାକରଣ କରାଯାଇଛି। ପ୍ରଧାନ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ, ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ସମସ୍ତ ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ବନାଗ୍ନି ସେଲ୍ କାର୍ଯ୍ୟ କରୁଛି। ଏ ସଂକ୍ରାନ୍ତରେ ଗୋଟିଏ ନିଃଶୁକ୍ଳ ନମ୍ବର (୧୮୦୦-୩୪୫୭-୧୫୮) ଜାରି କରାଯାଇଛି।

ସରକାର ଗୋଟିଏ ପଟେ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି, ଅନ୍ୟପଟେ ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ନିୟୋଜିତ ଅଗ୍ନି ନିରୀକ୍ଷକ ଏବଂ ଭିତ୍ତିଭୂମି ବଢ଼ାଯାଇଛି। ଲିଫ୍ ବ୍ଲୋୟର୍‌ ସଂଖ୍ୟା ଦୁଇଗୁଣ ବୃଦ୍ଧି କରାଯାଇଛି। ପଞ୍ଚାୟତ ପ୍ରତିନିଧି ଏବଂ ଏସ୍‌ଏଚ୍‌ଜି ସହାୟତାରେ ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନକୁ ସୁଦୃଢ କରିବାକୁ ଡିଏଫ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସାରା ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ୍ ଦଳ, ଜଙ୍ଗଲ କର୍ମଚାରୀଙ୍କ ସହିତ ଜଙ୍ଗଲରେ ନିଆଁ ଦମନରେ ଲାଗିଛନ୍ତି ବୋଲି ଟାସ୍କଫୋର୍ସ କହିଛି।

ସମ୍ବନ୍ଧିତ ଖବର