ଭୁବନେଶ୍ବର : ଜଙ୍ଗଲ ନିଆଁ ରୋକିବାକୁ ହେଲେ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆଣିବାକୁ ପଡ଼ିବ। ଆବଶ୍ୟକ ହେଲେ ସେମାନଙ୍କ ଲାଗି ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଉ। ବନ ସୁରକ୍ଷା ସମିତି(ଭିଏସ୍ଏସ୍)ଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯାଇ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଫଳରେ ସେମାନେ ଜଙ୍ଗଲ ସୁରକ୍ଷା ଲାଗି ଆଗେଇ ଆସିବେ। ଏଥିପାଇଁ ପ୍ରତିବର୍ଷ ବଜେଟ୍ରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ବନାଗ୍ନି ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ଟାସ୍କଫୋର୍ସ ଆଜି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଅନ୍ତରୀଣ ରିପୋର୍ଟରେ ଏଭଳି ପ୍ରସ୍ତାବ ଦେଇଛି।
ଟାସ୍କଫୋର୍ସ ଆହୁରି କହିଛି ଯେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଜଙ୍ଗଲକୁ ଲାଗି ୨୬ ହଜାର ୫୦୦ ଗାଁ ରହିଛି। ସେଥିମଧ୍ୟରୁ ବନାଗ୍ନି ଦୃଷ୍ଟିରୁ ୫ ହଜାର ଗାଁ ଅଧିକ ସମ୍ବେଦନଶୀଳ ବା ହଟ୍ସ୍ପଟ୍। ତେଣୁ ସେଠାରେ ଥିବା ଭିଏସ୍ଏସ୍ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଅତି କମ୍ରେ ୧୦ ହଜାର ଟଙ୍କା ଦିଆଯାଉ। ଏହାବ୍ୟତୀତ ଜଙ୍ଗଲ ଭିତରେ ଓ ବାହାରେ ପେଟ୍ରୋଲିଂ ବଢ଼ାଇବାକୁ ହେବ। ଜଙ୍ଗଲ ନିକଟରେ ବସବାସ କରୁଥିବା ଲୋକଙ୍କ ସହ ବନ ବିଭାଗ ଅଧିକାରୀ ଭଲ ବ୍ୟବହାର କରିବାକୁ ପଡ଼ିବ। ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସହ ଗ୍ରାଉଣ୍ଡ ଜିରୋରେ ସଚେତନତା ବୃଦ୍ଧିକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି। ନିଆଁ ଋତୁ ଆସିବା ପୂର୍ବରୁ ପିସିସିଏଫ୍ଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ସେଲ୍ ଖୋଲାଯାଇ ବନ ଅଧିକାରୀଙ୍କ ସହ ନିୟମିତ ବୈଠକ ହେଉ।
ଜଙ୍ଗଲ ନିଆଁର ମୁକାବିଲା, କାରଣ, ନିରାକରଣ ଆଦି ବିଷୟରେ ଟାସ୍କଫୋର୍ସ ରିପୋର୍ଟରେ ଉଲ୍ଲେଖ ହୋଇଛି। ତେବେ କେତେ ପରିମାଣର ଜଙ୍ଗଲ ଜଳିଛି ସେନେଇ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଜୀବଜନ୍ତୁଙ୍କ ମୃତ୍ୟୁ ନେଇ ବି ସୂଚନା ମିଳିନି। ତେବେ ଜଙ୍ଗଲ ନିଆଁରେ ବ୍ୟାପକ ଔଷଧୀୟ ବୃକ୍ଷ ଜଳିଯାଉଛି। ଅଧିକାଂଶ ସ୍ଥାନରେ ଲୋକେ ଜଙ୍ଗଲରେ ନିଆଁ ଲଗାଇଥିବା ନେଇ ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଟାସ୍କଫୋର୍ସରେ ପିସିସିଏଫ୍(ବନ୍ୟପ୍ରାଣୀ) ଶଶୀ ପଲ୍, ଭାରପ୍ରାପ୍ତ ପିସିସିଏଫ୍ (ସାଧାରଣ) ଜିତେନ୍ଦ୍ର କୁମାର, ଡେରାଡୁନ୍ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପଙ୍କଜ ଅଗ୍ରୱାଲ, ଡେରାଡୁନ୍ସ୍ଥିତ ଇଣ୍ଡିଆନ କାଉନ୍ସିଲ୍ ଅଫ୍ ଫରେଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଏଜୁକେସନ ମହାନିର୍ଦ୍ଦେଶକଙ୍କ ପ୍ରତିନିଧି, ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର, ହାଇଦ୍ରାବାଦର ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ, ଓର୍ସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି କେ ମଲ୍ଲିକ, ଓଡ଼ିଶା ଏନ୍ଭର୍ଣ୍ଣମେଣ୍ଟ ସୋସାଇଟିର ସମ୍ପାଦକ ଜେ. କେ ପାଣିଗ୍ରାହୀ ଓ ବାରିପଦାର ବିଜୟ ଅଗ୍ରୱାଲ ସଦସ୍ୟ ରହିଛନ୍ତି।
ଏବେ ସୁଦ୍ଧା ଜଙ୍ଗଲ ନିଆଁ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଆଭ୍ୟନ୍ତରୀଣ ପଦକ୍ଷେପ ଯୋଗୁଁ ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତାଧୀନ କରାଯାଇପାରିଛି। ରାଜ୍ୟକୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷେତ୍ରୀୟ ପରିଦର୍ଶନ କରିସାରିବା ପରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଙ୍ଗଲ ନିଆଁ ମୁକାବିଲା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପରାମର୍ଶ ଦେଇଛନ୍ତି।