ସରକାରଙ୍କ ନିଦ ଭାଙ୍ଗିଲା : ଜଙ୍ଗଲ ନିଆଁ ପାଇଁ ଟାସ୍କଫୋର୍ସ

୯ ଜଣିଆ ଟିମ୍‌ର ନେତୃତ୍ବ ନେବେ ପୂର୍ବତନ ପିସିସିଏଫ୍‌
ନିଆଁ ଲଗାଇଲେ କାର୍ଯ୍ୟାନୁଷ୍ଠାନ
ନିୟୋଜିତ ହେବେ ଓଡ୍ରାଫ୍‌
‘ଅଗ୍ନି ଋତୁ’ ଯୋଗୁଁ ନିଆଁ ଲାଗୁଛି: ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ବର : ଚାରି ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଜଙ୍ଗଲ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶୀ ପଲ୍‌, ଡେରାଡୁନ୍‌ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପଙ୍କଜ ଅଗ୍ରଓ୍ୱାଲ, ଡେରାଡୁନ୍‌ସ୍ଥିତ ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ଫରେଷ୍ଟ୍ର ରିସର୍ଚ୍ଚ ଆଣ୍ଡ ଏଜୁକେସନ ମହାନିର୍ଦ୍ଦେଶକଙ୍କ ପ୍ରତିନିଧି, ନ୍ୟାସନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର, ହାଇଦ୍ରାବାଦର ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ, ଓର୍‌ସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି କେ ମଲ୍ଲିକ, ଓଡ଼ିଶା ଏନ୍‌ଭର୍ଣ୍ଣମେଣ୍ଟ ସୋସାଇଟିର ସମ୍ପାଦକ ଜେ. କେ ପାଣିଗ୍ରାହୀ ଓ ବାରିପଦାର ବିଜୟ ଅଗ୍ରୱାଲ ଏହାର ସଦସ୍ୟ ରହିଛନ୍ତି। ଭାରପ୍ରାପ୍ତ ପିସିସିଏଫ୍‌(ସାଧାରଣ) ଜିତେନ୍ଦ୍ର କୁମାର ଏହି ଟାସ୍କଫୋର୍ସର ସଦସ୍ୟ ସହ ଆବାହକ ଭାବେ ଦାୟିତ୍ବ ତୁଲାଇବେ।

ଏହି ଟାସ୍କଫୋର୍ସ ବନାଗ୍ନି ଘଟଣାବଳୀ, କାରଣ ଓ ତୁରନ୍ତ ଅଗ୍ନି ନିର୍ବାପନର ସମୀକ୍ଷା, ପ୍ରଚଳିତ ଅଗ୍ନିନିର୍ବାପକ ପ୍ରୋଟୋକଲ୍‌ ଓ ଜିଓମାଟ୍ରିକ୍ସ ଆଧାରିତ ଅଗ୍ନି ସୂଚନା ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଉପରେ ପ୍ରସ୍ତାବ ରଖିବେ। ଏଥିସହ ବନାଗ୍ନି ପରିଚାଳନା ଓ ପ୍ରତିରୋଧ କ୍ଷେତ୍ରରେ ଅଧିକରୁ ଅଧିକ ଗୋଷ୍ଠୀ ସଶକ୍ତି ପାଇଁ ପ୍ରସ୍ତାବ, ବନାଗ୍ନି ପ୍ରଭାବିତ ଅଞ୍ଚଳରେ ବନ୍ୟପ୍ରାଣୀ ଓ ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ଏବଂ ଏହି ସମସ୍ୟାର ସମୁଚିତ ସମାଧାନ ପାଇଁ ପ୍ରସ୍ତାବ, ଅଗ୍ନି ପ୍ରତିରୋଧକ ଓ ସୁପରିଚାଳନା ବ୍ୟବସ୍ଥାର ଉନ୍ନତୀକରଣ ଦିଗରେ ପ୍ରସ୍ତାବ ଦେବା ପରେ ତୁରନ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଫେବ୍ରୁଆରି ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ସମୟକୁ ‘ଅଗ୍ନି ଋତୁ’ ଭାବେ ବିବେଚନା କରାଯାଇଥାଏ। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି। ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା। ତାହାକୁ ନିୟନ୍ତ୍ରଣ ପାଇଁ ୧୧୭୫ ଜଣ ବ୍ୟକ୍ତି, ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି। ୩୫୯୧ କିମି ଫାୟାର ଲାଇନ ତିଆରି ସହ ୭ ଜଣ ନୋଡାଲ ଅଫିସର ଓ ୪୦ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଞ୍ଚଳରେ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି। ଗତ ମାର୍ଚ୍ଚ ୩ରେ ଅତିରିକ୍ତ ମ୍ୟାନ୍‌ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବନାଗ୍ନିକୁ ନେଇ ପିସିସିଏଫ୍‌(ସାଧାରଣ) ଜିତେନ୍ଦ୍ର କୁମାର କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗିବା ନିୟମିତ ଓ ସ୍ବାଭାବିକ ପ୍ରକ୍ରିୟା। ତେ‌ଣୁ ବନାଗ୍ନି ରୋକିବା ଓ ଏହାର ବିସ୍ତାରକୁ ପ୍ରତିହତ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି। ୪୫୦୦ ଲମ୍ବର ଅଗ୍ନିନିରୋଧକ ରେଖା ସୃଷ୍ଟି କରାଯାଇଛି। ୧୩ ହଜାର ୫୦୦ଟି ବନ ସଂରକ୍ଷଣ ସମିତି ଓ ଯୁଗ୍ମ ବନ ପରିଚାଳନା କମିଟି ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଭୁବନେଶ୍ବରରେ ଭୌଗଳିକ ଭିତ୍ତିକ ବନ ସୂଚନା ପ୍ରଯୁକ୍ତି ବିଦ୍ୟା ଜିଓମେଟିକ ସେଲ୍‌ ସହ ବନାଗ୍ନି ନିରାକରଣ ଓ ପରିଚାଳନା ବ୍ୟବସ୍ଥା ହୋଇଛି। କ୍ଷେତ୍ର କର୍ମଚାରୀଙ୍କୁ ୭ ହଜାର ଜିପିଏସ୍‌ ପିଡିଏ ଓ ସ୍ମାର୍ଟ ଫୋନ୍‌ ଆଧାରିତ ପ୍ରଯୁକ୍ତିବିଦ୍ୟା ଯୋଗାଇ ଦିଆଯାଇଛି। ଏଥର ଆଗୁଆ ଗ୍ରୀଷ୍ମ ଋତୁର ଆଗମନ ଓ ଅହେତୁକ ତାପମାତ୍ରା ବୃଦ୍ଧି ଏବଂ ମଧ୍ୟବର୍ତ୍ତୀକାଳୀନ ବୃଷ୍ଟିହୀନତା ଯୋଗୁଁ ରାଜ୍ୟବ୍ୟାପୀ ବନାଗ୍ନି ବଢ଼ିଛି। ଏହାର ମୁକାବିଲା ଲାଗି ୬ ହଜାରରୁ ଅଧିକ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲିପ୍ତ ଅଛନ୍ତି। ୨୪ ଘଣ୍ଟିଆ ବନାଗ୍ନି ସେଲ୍‌ ଖୋଲିଛି। ରାଜ୍ୟବ୍ୟାପୀ ବନାଗ୍ନି ନିର୍ବାପନ କାର୍ଯ୍ୟରେ ଓଡ୍ରାଫ୍‌କୁ ନିୟୋଜିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ପିଆରଆଇ ଅନୁଷ୍ଠାନଗୁଡ଼ିକ ମଧ୍ୟ ବନାଗ୍ନି ହ୍ରାସ କରିବା କାର୍ଯ୍ୟରେ ସାମିଲ ହେବାକୁ ଯାଉଥିବା ଶ୍ରୀ କୁମାର କହିଛନ୍ତି।

ଟ୍ରାସ୍କଫୋର୍ସର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବନାଗ୍ନିର କିଭଳି ମୁକାବିଲା କରାଯାଇପାରିବ ସେଥିପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ପ୍ରତିଦିନ ସ୍ଥିତିର ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ। ଜଙ୍ଗଲ ନିଆଁକୁ କେଉଁଭଳି ଭାବେ ନିୟନ୍ତ୍ରଣାଧୀନ କରାଯାଇପାରିବ ସେନେଇ ବି ଆଲୋଚନା ହେବ।

ସମ୍ବନ୍ଧିତ ଖବର