ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଭୟଙ୍କର ସ୍ଥିତିରେ। ରୋଗୀ ସ˚ଖ୍ୟା ମଧ୍ୟ ପ୍ରତିଦିନ ବଢ଼ିବାରେ ଲାଗିଛି। ବର୍ତମାନ ଜିଲ୍ଲାର ସ୍ଥିତିକୁ ନଜରରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମି ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ଟାଟା-କୋଭିଡ଼୍-୧୯ ହସ୍ପିଟାଲର ଚିକିତ୍ସା ସେବାକୁ ଅଧିକ ସଦୃଢ଼ ଓ ଉନ୍ନତ ମାନର କରିବା ଲାଗି ଘରୋଇ ହସ୍ପିଟାଲ ହାଇଟେକ୍କୁ ଏହାର ପରିଚାଳନାରେ ସାମିଲ କରାଯାଇଛି। ଗତକାଲିଠାରୁ ହାଇଟେକ୍ ଗ୍ରୁପ୍ ଟାଟା କୋଭିଡ୍ ହସ୍ପିଟାଲ ପରିଚାଳନା ଦାୟିତ୍ବ ନେଇଛି। ଅନ୍ୟପକ୍ଷରେ ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ କାମ ଆରମ୍ଭ ହୋଇଛି। ଏଥିସହ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍ କନିଷି ନିକଟରେ ୧୫୦ ଶଯ୍ୟାର ଅଶ୍ବିନୀ କୋଭିଡ୍ ହସ୍ପିଟାଲ ଲାଗି କାମ ଆରମ୍ଭ ହୋଇଛି। ୭ ରୁ ୧୦ଦିନ ମଧ୍ୟରେ ଏହି ହସ୍ପିଟାଲ ଦ୍ବୟ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏପ୍ରିଲ ୧୦ରୁ ଆରମ୍ଭ ହୋଇଥିଲା ଟାଟା କୋଭିଡ଼୍-୧୯ ହସ୍ପିଟାଲ। ଟାଟା ମେଡିକାଲ ଗ୍ରୁପ୍ ଦ୍ବାରା ୨୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ଅତ୍ୟାଧୁନିକ ମେଡିକାଲରେ ୨୨୦ଟି ଶଯ୍ୟା ଓ ୫୪ଟି ଭେଣ୍ଟିଲେଟର୍ ରହିଛି। ଟାଟା ଆବଶ୍ୟକ ଭିତ୍ତିଭୂମି ଯୋଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ବଡ଼ମେଡିକାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ଙ୍କ ଦ୍ବାରା ରୋଗୀ ଚିକିତ୍ସା କରି ଆସୁଥିଲେ। କିନ୍ତୁ କ୍ରମାଗତ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା, ବ୍ୟାପକ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ହାଇଟେକ୍ ଗ୍ରୁପ୍କୁ ଏହି କୋଭିଡ୍ ହସ୍ପିଟାଲ୍ ପରିଚାଳନାରେ ସାମିଲ କରାଯାଇଛି।
ରୋଗୀ ସ˚ଖ୍ୟା ବୃଦ୍ଧିକୁ ନଜରରେ ରଖି ଆଉ ଦୁଇଟି କୋଭିଡ୍ ହସ୍ପିଟାଲ ସ୍ଥାପନ ଲାଗି ପଦକ୍ଷେପ ଆରମ୍ଭ ହୋଇଛି। କନିଷି ନିକଟ ଜାତୀୟ ରାଜପଥ-୧୬ ପାର୍ଶ୍ବସ୍ଥ ଅମିତ ହସ୍ପିଟାଲକୁ କଟକର ଅଶ୍ବିନୀ ହସ୍ପିଟାଲ୍ ସହାୟତାରେ କୋଭିଡ୍ ହସପିଟାଲ କରାଯିବ। ଏଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ୭ରୁ ୧୦ଦିନ ମଧ୍ୟରେ ଆନୁସଙ୍ଗିକ କାର୍ଯ୍ୟ ସରି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଓ ୨୪ଟି ଆଇସିୟୁ ରହିବ। ସେହିପରି ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ୱାର୍ଡ କୋଠାରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ ହେବ। ଏଥିରେ ୨୦ଟି ଆସିୟୁ ରହିବ। ଏହି ହସ୍ପିଟାଲ ମଧ୍ୟ ୧୦ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।