ଭୁବନେଶ୍ୱରରେ ଟାଟା ମେମୋରିଆଲ କ୍ୟାନସର ସେଣ୍ଟର ପ୍ରତିଷ୍ଠା ପାଇଁ ସାଂସଦ ଅପରାଜିତାଙ୍କ ଦାବି

ଭୁବନେଶ୍ୱର  : ଓଡ଼ିଶାରେ ଏକ ଟାଟା ମେମୋରିଆଲ ସେଣ୍ଟର ଫର କ୍ୟାନସର ପ୍ରତିଷ୍ଠା କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ଓ ଆଣବିକ ଶକ୍ତି ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ଏକ ପତ୍ର ଲେଖି ସେ ଦର୍ଶାଇଛନ୍ତି ଯେ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ କର୍କଟ ରୋଗ ଚିକିତ୍ସା ଯୋଗାଇବା ପାଇଁ ଓଡ଼ିଶାରେ ଏକ  ଟାଟା ମେମୋରିଆଲ ସେଣ୍ଟର ପ୍ରତିଷ୍ଠା କରାଯାଉ । ଏବେ ସଙ୍ଗରୁର, ବିଶାଖାପାଟଣା, ବାରାଣାସୀ ଆଦି ସ୍ଥାନରେ ଟାଟା ମେମୋରିଆଲ ସେଣ୍ଟର ପ୍ରତିଷ୍ଠା କରିବାକୁ ଯୋଜନା ରହିଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ସ୍ଥାପନ କରାଯାଉ । ଭୁବନେଶ୍ୱରସ୍ଥିତ ନାଇସର ପରିସରରେ ଏହା ସ୍ଥାପନ କରିବାକୁ ସେ ଦାବି କରିଛନ୍ତି । ଏହା ଦ୍ୱାରା ସାଧାରଣ କର୍କଟ ରୋଗୀ ଉପକୃତ ହୋଇପାରିବେ ଓ କର୍କଟ କ୍ଷେତ୍ରରେ ଗବେଷଣା ମଧ୍ୟ ହୋଇପାରିବ ।

ନିଜର ପତ୍ର ସେ ଓଡ଼ିଶା ସରକାରଙ୍କ ଏକ ସୁପାରିଶ ପତ୍ର ମଧ୍ୟ ସଂଲଗ୍ନ କରିଛନ୍ତି । ଓଡ଼ିଶା ସରକାର ଗତ ୨୦୧୭ ମସିହାରେ ଏଥିପାଇଁ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ ଟାଟା ମେମୋରିଆଲ ହସପିଟାଲ ୧୯୪୧ ମସିହାରେ ସାରା ଦୋରାବଜୀ ଟାଟା ଟ୍ରଷ୍ଟ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ୧୯୫୭ ମସିହାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନକୁ  ଏହାର ପରିଚାଳନା ଦାୟିତ୍ୱ ଗଲା । ତେବେ ୧୯୬୨ ମସିହାରେ ଭାରତ ସରକାରଙ୍କ ଆଣବିକ ଶକ୍ତିମନ୍ତ୍ରାଳୟ ଅଧିନକୁ ଟାଟା ମେମୋରିଆଲ ସେଣ୍ଟର ଗଲା ।

ସମ୍ବନ୍ଧିତ ଖବର