ଟାଟା ମୋଟର୍ସ ଠକେଇ: କ୍ରାଇମ୍‌ବ୍ରାଞ୍ଚ ଟାର୍ଗେଟରେ ୫ ବଡ଼ ମୁଣ୍ଡ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁରରେ ଦୁଇ ଦିନ ହେଲା ଡେରା ପକାଇ ଦ୍ବିତୀୟ ପର୍ଯ୍ୟାୟ ଖୋଳତାଡ଼ ଜାରି ରଖିଛି। ତେବେ ଗୋପାଳପୁର ବିଧାୟକଙ୍କ ଘନିଷ୍ଠ ୫ ବଡ଼ ମୁଣ୍ଡ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଟାର୍ଗେଟରେ ଥିବା ଚର୍ଚ୍ଚା ଜୋର୍ ଧରିଛି। ଏମାନଙ୍କ ମଧ୍ୟରେ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ, ବ୍ରହ୍ମପୁର ସିଟି କଲେଜର ପ୍ରାକ୍ତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ସର୍ବେଶ୍ବର ରାଓ ଓ ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନର ମାଲିକ ସୂର୍ଯ୍ୟସାହୁ ଓ ବ୍ରହ୍ମପୁରର ପ୍ରତିଷ୍ଠିତ ବିଲଡ୍‌ର ରବୀନ୍ଦ୍ର ସାହୁ । ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣିଙ୍କୁ କ୍ରାଇମବ୍ରାଞ୍ଚ୍‌ ଜେରା କରିସାରିଥିବା ବେଳେ ଖୁବଶୀଘ୍ର ଉପରୋକ୍ତ ୪ଜଣଙ୍କ ଜେରା କରିବ ବୋଲି କୁହାଯାଉଛି।

ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ ବ୍ରହ୍ମପୁର ସିଟି କଲେଜର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ। ୨୦୧୬ ଏପ୍ରିଲ ୩୦ରୁ ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ରହିଥିଲେ। ସେ ସମୟରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଉକ୍ତ କଲେଜର ପରିଚାଳନା ପରିଷଦ ସଭାପତି ଥିଲେ। ଏହା ପରେ ବିଧାୟକଙ୍କ ସହିତ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର ନିବିଡ଼ତା ବଢ଼ିଥିଲା। ଗୋପାଳପୁର ବିଧାୟକ ଟାଟା ମୋଟର୍ସ ମାମଲାରେ ଛନ୍ଦି ହେବା ପରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ବିବରଣୀ ଭାଇରାଲ୍‌ ହୋଇଥିଲା। ଉକ୍ତ ଆକାଉଣ୍ଟ୍‌ରେ ‌ଗତ ସେପଟେମ୍ବର ୧ ତାରିଖରେ କମ୍ବୁପାଣି ବିଧାୟକଙ୍କୁ ୨୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରିଥିବା ତଥ୍ୟ ପଦାକୁ ଆସିଥିଲା। ଏହା ପରଠାରୁ ସେ କ୍ରାଇମବ୍ରାଞ୍ଚ୍‌ ସ୍କାନରକୁ ଆସିଥିଲେ। ଗତକାଲି କମ୍ବୁପାଣିଙ୍କୁ କ୍ରାଇମବ୍ରାଞ୍ଚ ୮ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା।

ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଭି.ସର୍ବେଶ୍ବର ରାଓ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଅନୁଗତ ଓ ଅଘୋଷିତ ପରାମର୍ଶଦାତ ଥିଲା। ଗୋପାଳପୁର ବିଧାୟକ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ବେଳେ ଜିଲ୍ଲାରେ ସର୍ବେଶ୍ବରଙ୍କ ଦବ୍‌ଦବା ରହିଥିଲା। ଆକାଶ ପାଠକଙ୍କ ପିଏ ଡେଭିଡ଼୍‌ ପିଟର ସ‌ର୍ବେଶ୍ବରଙ୍କ ପୋଲ୍ ଖୋଲିବା ପରେ ସେ ଏବେ କ୍ରାଇମବ୍ରାଞ୍ଚଙ୍କ ଟାର୍ଗେଟରେ ରହିଛନ୍ତି।

ଗତ ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ଟିମ୍‌ କୁକୁଡ଼ାଖଣ୍ଡି ବ୍ଲକ୍‌ ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁଙ୍କୁ ଜେରା କରିଥିଲା। ସରପଞ୍ଚ ଶ୍ରୀ ସାହୁ ଗୋପାଳପୁର ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କୁ ଟାଟା ମୋର୍ଟସରେ ଚାକିରି କରାଇଦେବା ଲାଗି ତାଙ୍କ ପୁତୁରାଙ୍କ ବାୟୋଡାଟା ଦେଇଥିବା କହିଥିଲେ। ବୋରି ଗାଁ ସରପଞ୍ଚଙ୍କ ଏହି ବୟାନ୍‌ ଦିଲ୍ଲୀପ ପାଣିଗ୍ରାହୀଙ୍କୁ ଏହି ଠକେଇ ମଧ୍ୟକୁ ଟାଣି ଦେଇଛି। ଏଥିସହ ଦିଲ୍ଲୀପ ନାମରେ ଅଭିଯୋଗ ରହିଥିବାରୁ କ୍ରାଇମବ୍ରାଞ୍ଚ ଟାର୍ଗେଟରେ ସେ ମଧ୍ୟ ରହିଛନ୍ତି।

ଅନ୍ୟପକ୍ଷରେ ରବୀନ୍ଦ୍ର ସାହୁ ମଧ୍ୟ ଗୋପାଳପୁର ବିଧାୟକଙ୍କୁ ୭୫ଲକ୍ଷ ଟଙ୍କା ଦେଇଥିବା ବ୍ୟାଙ୍କ ବିବରଣୀରୁ ଜଣାପଡ଼ିଥିଲା। ସେ‌ତେବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀ ରବୀନ୍ଦ୍ରଙ୍କୁ ତାଙ୍କ ଭଣଜା ବୋଲି କହିଥିଲେ। ରବୀନ୍ଦ୍ର ଜଣେ ପ୍ରତିଷ୍ଠିତ ବିଲଡ୍‌ର ବୋଲି କୁହାଯାଉଛି। ତେବେ ରବୀନ୍ଦ୍ର ବିଧାୟକଙ୍କୁ ଏତେ ଅର୍ଥ କାହିଁକି ଦେଲେ ତାହାର କ୍ରାଇମବ୍ରାଞ୍ଚ୍‌ ଖୋଳତାଡ଼ କରୁଛି। ତେଣୁ ରବୀନ୍ଦ୍ରଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ପଚରାଉଚରା କରିପାରେ ବୋଲି କୁହାଯାଉଛି।

ଜଗନ୍ନାଥପୁର ଠାରେ ଥିବା ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ଆକାଉଣ୍ଟରୁ ବିଧାୟକଙ୍କ ଆକାଉଣ୍ଟକୁ ୪୦ଲକ୍ଷ ଟଙ୍କା ଯାଇଥିଲା। ଯାହାର ମାଲିକ ହେଉଛନ୍ତି ସୂର୍ଯ୍ୟ ସାହୁ। ବିଧାୟକ ଝିଅ ବାହାଘର ଲାଗି ଉକ୍ତ ଅର୍ଥ ନେଇଥିବା ଏବଂ ମାର୍ଚ୍ଚ ମାସରେ ଫେରାଇବେ ବୋଲି ପ୍ରତିଶ୍ରୁୂତି ଦେଇଥିବା ଗତ କିଛି ଦିନ ତଳେ ଫିଲିଙ୍ଗ ଷ୍ଟେସନର ମ୍ୟାନେଜର ଗଣମାଧ୍ୟମକୁ କହିଥିଲେ। କିନ୍ତୁ ସୂର୍ଯ୍ୟଙ୍କୁ କ୍ରାଇମବ୍ରାଞ୍ଚ ଆଣି ପଚରାଉଚରା କରିପାରେ ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ଟା‌ର୍ଗେଟରେ ଏହି ୫ ବଡ଼ ମୁଣ୍ଡ ରହିଥିବା ଏବେ ଚର୍ଚ୍ଚା ଧରିଛି।

ପ୍ରକାଶ ଯେ, ଗୋପାଳପୁର ନିର୍ବାଚନମଣ୍ଡଳୀର ଅନେକ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାମରେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା ବିଗତ ଦିନରେ ଅଭିଯୋଗ ଆସିଥିଲା। ଟାଟା ମୋଟର୍ସର ଅଭିଯୋଗ କ୍ରମେ ଗତ ସେପ୍ଟେମ୍ବର ମାସରେ ସାଇବର୍‌ ସେଲ୍‌ରେ କେସ୍ ନମ୍ବର ୨୬ ଅନୁସାରେ ମାମଲା ରୁଜୁ ହୋଇଥିଲା। ଗତ ନଭେମ୍ବର ୨୯ ତାରିଖରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ୍‌ର ୧୦ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇ ଖୋଳତାଡ଼ କରିଥିଲା। ଏହି ମାମଲାରେ ଗୋପାଳପୁର ବିଧାୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧିତ ଖବର