ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆକାଶଙ୍କୁ ଗୋଟିଏ ମାମଲାରେ ଜାମିନ୍‌

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ସର୍ତମୂଳକ ଜାମିନ୍‌ ମିଳିଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲା ‌ଦୌରାଜଜ୍‌ ଡ. ପ୍ରସନ୍ନ ପଣ୍ଡା ଆକାଶଙ୍କୁ ଗୋଟିଏ ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ୫୦ହଜାର ଟଙ୍କାର ବେଲ୍‌ବଣ୍ଡ ସହିତ ଦୁଇଜଣ ଦାମିନ୍‌ଦାର ହାଜର କରିବା ପରେ ଆକାଶଙ୍କୁ ଜାମିନ୍ ମିଳିଛି। ସେହିପରି ଅନ୍ୟ ଏକ ମାମଲାର ଜାମିନ୍‌ ଖାରଜ୍‌ ହୋଇଛି।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ନେଇ ବିଧାୟକ ପ୍ରଦୀପଙ୍କ ନାମରେ କଟକ କ୍ରାଇମ୍‌ବ୍ରାଞ୍ଚ ଥାନାରେ ଅଭିଯୋଗ ହୋଇଥିଲା। ପ୍ରାୟ ୪୭ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗତ ଡିସେମ୍ବର ମାସରେ ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ଜାନୁଆରି ମାସରେ ମଧ୍ୟ ପୁଣି ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ୩ଟି ମାମଲ‌ାରେ ମୋଟ ୧୪ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗକାରୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଗୋଳନ୍ଥରା ଥାନା ପୁଲିସ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅଙ୍କୁ ଜଡ଼ିତ କରିଥିଲା।

ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ନାମରେ ଗୋଟିଏ ମାମଲା ଯୋଡ଼ା ଯାଇଥିବା ବେଳେ ପୁଅ ଆକାଶ ନାମରେ ଦୁଇଟି ମାମଲା ଯୋଡ଼ିଥିଲା ପୁଲିସ। ଏହି ମାମଲାରେ ଜାମିନ୍‌ ପାଇଁ ଆକାଶ ତାଙ୍କ ଓକିଲ ଜରିଆରେ କୋର୍ଟରେ ଆବେଦନ କରିଥିଲେ। ଗତକାଲି ଜାମିନ୍‌ ଶୁଣାଣି ସରିଥିଲା। ଆଜି କୋର୍ଟ ରାୟ ପ୍ରକାଶ କରିଛନ୍ତି। କୋର୍ଟ ଗୋଟିଏ ମାମଲା (ଜିଆର୍‌-୬୨/୨୧)ରେ ଜାମିନ୍‌ ପ୍ରଦାନ କରିଥିବା ବେଳେ  ଦ୍ବିତୀୟ ମାମଲା (ଜିଆର୍‌୨୨୨୫/୨୦)ରେ ଜାମିନ୍‌ ଖାରଜ୍‌ କରିଛନ୍ତି।  ଆକାଶଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର