ଟାଟା ମୋଟର୍ସରେ ଠକେଇ ମାମଲା: ଚାକିରି ପାଇଁ ବିଧାୟକଙ୍କ ଭାଇଙ୍କୁ ଟଙ୍କା ଦେଇ ନାହିଁ ବୋଲି କ୍ରାଇମବ୍ରାଞ୍ଚକୁ କହିଲେ ସରପଞ୍ଚ

ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ସମେତ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚର ଦିନ ତମାମ ଜେରା

ବ୍ରହ୍ମପୁର: ଟାଟା ମୋଟର୍ସ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁରରେ ଗତକାଲିଠାରୁ ଡେରାପକାଇ ଖୋଳତାଡ଼ ଜାରି ରଖିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରସ୍ଥ ଆଇପିଏସ୍‌ ମେସ୍‌ରେ ପୁଲିସର କ୍ରାଇମ୍‌ବ୍ରାଞ୍ଚର ଏହି ଖୋଳତାଡ଼ ଚଲାଇଛି। ଆଜି (ଶନିବାର) କ୍ରାଇମବ୍ରାଞ୍ଚ ସମୁଦାୟ ୪ ଜଣଙ୍କୁ ଆଣି ପଚରାଉଚରା କରିଛି।

ଗତକାଲି ରାତିରେ ବ୍ରହ୍ମପୁର ସହର ଉପକଣ୍ଠସ୍ଥ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ସରପଂଚ ବସନ୍ତ କୁମାର ସାହୁ ଓ ବହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅମ୍ବୁପାଣି ସାହୁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ ଗତକାଲି ଜେରା କରିଥିଲା। ଆଜି ମଧ୍ୟ ଏ ଦୁହେଁଙ୍କୁ ଜେରା କରିଛି। ଜେରା ପରେ ବୋରିଗାଁ ସରପଂଚ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲି କ୍ରାଇମବ୍ରାଞ୍ଚ ଡାକୁଛି କହି ପୁଲିସ ମୋତେ ଆଣିଥିଲା। ଆଜି ମଧ୍ୟ ମୋତେ ଡକା ହୋଇଥିଲା।

ବିଧାୟକଙ୍କ ଭାଇଙ୍କୁ ଟଙ୍କା ଦେଇ ନ ଥିଲି: ବସନ୍ତ

ଗୋପାଳପୁର ବିଧାୟକଙ୍କ ଭାଇ ଦିଲୀପ ପାଣିଗ୍ରାହୀ ମୋତେ ବାୟୋଡାଟା ପଠାଇବା ପାଇଁ କହିଥିଲେ ବୋଲି ସରପଂଚ ବସନ୍ତ କୁମାର ସାହୁ କହିଛନ୍ତି। ଟାଟା ମୋଟର୍ସରେ ଚାକିରି ପାଇଁ ମୋ ପୁତୁରାର ବାୟୋଡାଟା ଦିଲୀପ ପାଣିଗ୍ରାହୀଙ୍କ ପାଖକୁ ପଠାଇଥିଲି। ଗତ ଦେଢ଼ରୁ ୨ ମାସ ତଳେ ଏହି ବାୟୋଟାଟା ପଠାଇଥିବା ବେଳେ ସେ ମୋତେ ଅର୍ଥ ମାଗି ନାହାନ୍ତି କି, ମୁଁ କୌଣସି ଅର୍ଥ ଦେଇ ନାହିଁ ବୋଲି କହିଛନ୍ତି।

ପୂର୍ବତନ ଅଧ୍ୟକ୍ଷଙ୍କୁ ୬ ଘଣ୍ଟା ଜେରା

ଅନ୍ୟପକ୍ଷରେ ପୂର୍ବତନ ଅଧ୍ୟକ୍ଷ କମ୍ଭୁପାଣି ସାହୁଙ୍କୁ ପୁଲିସ  ବିଭିନ୍ନ ପ୍ରଶ୍ନ ପଚାରି ଦିନସାରା ଜେରା କରିଛି। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶ୍ରୀ ସାହୁଙ୍କୁ ପୁଲିସ ଲଗାତର ପଚରାଉଚରା କରିଛି। ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସାହୁ ବ୍ରହ୍ମପୁର ସିଟି କଲେଜର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ। ୨୦୧୬ ଏପ୍ରିଲ ୩୦ରୁ ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଉକ୍ତ କଲେଜର ଅଧ୍ୟକ୍ଷ ରହିଥିଲେ। ଏହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉକ୍ତ କଲେଜର ପରିଚାଳନା ପରିଷଦର ସଭାପତି ଥିଲେ। ଏହା ପରେ ବିଧାୟକଙ୍କ ସହିତ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର ନିବିଡ଼ତା ବଢ଼ିଥିଲା। ଗୋପାଳପୁର ବିଧାୟକ ଟାଟା ମୋଟର୍ସ ମାମଲାରେ ଛନ୍ଦି ହେବା ପରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ବିବରଣୀ ଭାଇରାଲ ହୋଇଥିଲା। ସେଥିରେ ଗତ ସେପଟେମ୍ବର ୧ ତାରିଖରେ କମ୍ଭୁପାଣି ବିଧାୟକଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିବା ପଦାରେ ପଡ଼ିଥିଲା। ଏହା ପରଠାରୁ କମ୍ଭୁପାଣି କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିଥିଲେ। ବିଧାୟକଙ୍କୁ ଏତେ ପରିମାଣରେ ଟଙ୍କା କାହିଁକି ଦେଲେ, କ’ଣ ପାଇଁ ଦେଲେ ଏସବୁକୁ ପଚରାଉଚରା କରିବା ସହ ଖିଅ ଖୋଜିଛି କ୍ରାଇମବ୍ରାଞ୍ଚ।

ପ୍ରକଶ ଥାଉ କି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାମରେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ବିଗତ ଦିନରେ ଅଭିଯୋଗ ଆସିଥିଲା। ଟାଟା ମୋଟର୍ସର ଅଭିଯୋଗ କ୍ରମେ ଗତ ସେପଟେମ୍ବର ମାସରେ ସାଇବର ସେଲରେ ସେଲରେ ୨୬ ନମ୍ବର କେସ ରୁଜୁ ହୋଇଥିଲା। ଗତ ନଭେମ୍ବର ୨୯ ତାରିଖରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ୧୦ ଜଣିଆ ଟିମ ବ୍ରହ୍ମପୁରରେ ଡେରା ପକାଇ ଗତ ୫ ତାରିଖ ପର୍ଯ୍ୟନ୍ତ ଖୋଳତାଡ଼ କରିଥିଲେ। ଠକେଇର ଶିକାର ଯୁବକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ସମେତ ମୋଟ ୧୮ ଜଣଙ୍କୁ ପଚରାଉଚରା କରିଥିଲେ। ଏଥି ସହିତ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ବ୍ୟାଙ୍କ ବିବରଣୀ ତଥ୍ୟ ସଂଗ୍ରହ କରି ଫେରିଥିଲେ।

ସମ୍ବନ୍ଧିତ ଖବର