ବ୍ରହ୍ମପୁର: ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଦ୍ବାରା ହୋଇଥିବା ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣା ଓ ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତିର ତଦନ୍ତ ଲାଗି ବ୍ରହ୍ମପୁରରେ ପୁଣି ପହଞ୍ଚିଛି କ୍ରାଇମବ୍ରାଞ୍ଚ୍‌ ଟିମ୍‌। ଜଣେ ଡିଏସ୍‌ପି, ୨ଜଣ ଇନ୍ସପେକ୍ଟଟର୍‌ଙ୍କୁ ନେଇ ଗଠିତ ୫ଜଣିଆ ଟିମ୍ ‌ପୁଣି ଆଜି ଠାରୁ ଖୋଳତାଡ଼ ଆରମ୍ଭ କରିଛି। ସେପଟେ କ୍ରାଇମବ୍ରାଞ୍ଚ୍‌ ଆକାଶଙ୍କୁ ୫ ଦିନିଆ ରିମାଣ୍ଡ୍‌ରେ ଆଣି ଜେରା କରୁୁଥିବା ବେଳେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ତ୍ବରାନ୍ବିତ କରିଛି। କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଆଜି ବୋରିଗାଁ ସରପଞ୍ଚ ବସନ୍ତ ସାହୁ ଏବଂ ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁଙ୍କୁ ଆଣି ଦୀର୍ଘ ସମୟ ଜେରା କରିଥିବା ନିର୍ଭରଯୋଗ୍ୟ ସୂ୍ତ୍ରରୁ ଜଣାପଡ଼ିଛିି। କମ୍ବୁପାଣି ସାହୁ ବ୍ରହ୍ମପୁର ସିଟି କଲେଜ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୨୦୧୬ ଏପ୍ରିଲ ୩୦ ରୁ ୨୦୧୮ ମାର୍ଚ୍ଚ ୩୧ ଭିତରେ ଉକ୍ତ କଲେଜର ଅଧ୍ୟକ୍ଷ ରହିଥିଲେ। ଏହି ସମୟରେ ଉକ୍ତ କଲେଜର ପରିଚାଳନା କମିଟି ସଭାପତି ଥିଲେ ଗୋପାଳପୁୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକଙ୍କ ଆକାଉଣ୍ଟ୍‌କୁ ୨୦୨୦ ସେପ୍ଟେମ୍ବର ୧ତାରିଖରେ କମ୍ବୁପାଣି ୨୦ଲକ୍ଷ ଟଙ୍କା ପଠାଇଥିଲେ। ତେବେ ଏତେ ପରିମାଣ ଅର୍ଥ ଶ୍ରୀ ସାହୁ କାହିଁକି ପଠାଇଥିଲେ କ୍ରାଇମବ୍ରାଞ୍ଚ ତାହାର ଖୋଳତାଡ଼ କରୁଛି। ଶ୍ରୀ ସାହୁଙ୍କୁ ଆଜି ସେ ସମ୍ପର୍କରେ ପଚରାଉଚରା କରିଛି। ସେହିପରି ବୋରିଗାଁ ସରପଞ୍ଚଙ୍କ ବସନ୍ତ ସାହୁଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ପଚରାଉଚରା କରୁଛି।

Advertisment

ପ୍ରକାଶଯୋଗ୍ୟ, ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଆଇଏଫ୍ଏସ୍‌ ଅଫିସର ଅଭୟ ପାଠକ୍‌ଙ୍କ ପୁଅ ଆକାଶ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ପରେ ଟାଟା ମୋଟର୍ସ ଗତ ସେପ୍ଟମ୍ବର ମାସରେ କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର୍‌ ସେଲ୍‌ରେ ଅଭିଯୋଗ ଦାଖଲ କରିଥିଲା। ଏହାକ ଆଧାରରେ କ୍ରାଇମ୍‌ବ୍ରାଞ୍ଚ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୧୦ଜଣିଆ ଟିମ୍‌ ଗତ ନଭେମ୍ବର ୨୯ତାରିଖରେ ବ୍ରହ୍ମପୁରରେ ପହଞ୍ଚି ପ୍ରଥର୍ମ ପର୍ଯ୍ୟାୟରେ ଦୀର୍ଘ ୭ଦିନ ଧରି ତଦନ୍ତ, ଖୋଳତାଡ଼ କରି ଗତ ଶନିବାର ‌ଫେରିଥିଲେ। ତଦନ୍ତ ସମୟରେ ଟିମ୍‌ ପ୍ରାୟ ୧୮ଜଣଙ୍କ ବୟାନ୍‌ ରେକର୍ଡ଼ କରିଥିଲା। ଏଥିସହ ଠକେଇର ଶିକାର ହୋଇଥିବା ଲୋକଙ୍କ ବୟାନ ଓ ବ୍ୟାଙ୍କ୍‌ ବିବରଣୀ ମଧ୍ୟ ସଂଗ୍ରହ କରିଥିଲା। ବିଭିନ୍ନ ବ୍ୟାଙ୍କ୍‌ରେ ଥିବା ବିଧାୟକ ପ୍ରଦୀପଙ୍କ ଆକାଉଣ୍ଟ୍‌ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲା।