ଟାଟା ମୋଟର୍ସ‌ ନାଁରେ ଠକେଇ ମାମଲା : ୩ ବିଜେଡି ନେତାଙ୍କ ସମେତ ୮ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

ଜଣେ ନେତା ପ୍ରଦୀପଙ୍କ ସହ ଚାଟାର୍ଡ଼ ବିମାନରେ ଉଡ଼ିଥିଲେ
ପହଞ୍ଚିଲେ ଡିଏସ୍‌ପି, ୭ ଜଣିଆ ଟିମ୍‌ର ତନାଘନା

ବ୍ରହ୍ମପୁର : ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମ୍‌ବ୍ରାଞ୍ଚ୍‌‌। ଏହି ଠକେଇ ମାମଲାରେ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିବାରୁ ଆଜି ୩ ବିଜେଡି ନେତାଙ୍କ ସମେତ ଠକେଇର ଶିକାର ହୋଇଥିବା ୫ଜଣଙ୍କୁ ଡାକି ମାରାଥନ୍ ଜେରା କରାଯାଇଛି।

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଏବଂ ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି କାରଣରୁ ପ୍ରଦୀପଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରା ଯାଇଥିଲା। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଗତରାତିରୁ ବ୍ରହ୍ମପୁରରେ ରହି ଏହି ଠକେଇ ଘଟଣାର ଖୋଳତାଡ଼ ଜାରି ରଖିଛି। ଆଜି ଦ୍ବିତୀୟ ଦିନରେ ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ପୁଣି ଏକ ୫ଜଣିଆ ଟିମ୍‌ ବ୍ରହ୍ମପୁରରେ ପହଞ୍ଚିଛି। କ୍ରାଇମ୍‌ବ୍ରଞ୍ଚ୍‌ର ସମୁଦାୟ ୭ଜଣିଆ ଟିମ୍‌ ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏହି ଟିମ୍ ଅଭିଯୋଗ ସମ୍ପର୍କିତ ସମସ୍ତ ନଥିପତ୍ର ଯାଞ୍ଚ କରୁଛି। ଆଜି ରାତି ସୁଦ୍ଧା ପ୍ରାୟ ୮ଜଣଙ୍କୁ ମାରାଥନ୍‌ ଜେରା କରି ସାରିଛି। ଆଜି ପୁଣିଥରେ ବିଧାୟକ ପ୍ରଦୀପଙ୍କ ଅନୁଗତ ‌୩ଜଣ ବିଜେଡି ନେତାଙ୍କୁ ଜେରା କରା ଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତନ୍ମଧ୍ୟରେ ଜଣେ ନେତା ବିଧାୟକ ପ୍ରଦୀପଙ୍କ ସହିତ ଚାଟାର୍ଡ଼ ଫ୍ଲାଇଟ୍‌ରେ ଉଡ଼ିଥିବା ଜଣାପଡ଼ିଛି। ଏଥିସହ ଠକେଇର ଶିକାର ହୋଇଥିବା ଟାଟା ବିସ୍ଥାପିତ କଲୋନିର ପ୍ରାୟ ୫ଜଣଙ୍କୁ ଡକାଇ ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରି ଛାଡ଼ି ଦିଆଯାଇଛି। ଆବଶ୍ୟକସ୍ଥଳେ ପୁଣିଥରେ ସେମାନଙ୍କୁ ଡାକରା ହୋଇପାରେ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ କହିଛି। ତେବେ ପୁଲିସ କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ କେହି ଏ ନେଇ ମୁହଁ ଖୋଲୁ ନାହାନ୍ତି। କ୍ରାଇମ୍‌ବ୍ରାଞ୍ଚ୍‌ ଘଟଣାର ତଦନ୍ତ କରୁଥିବା ଯୋଗୁଁ ଏ ସମ୍ପର୍କରେ କୌଣସି ତଥ୍ୟ ନ ଥିବା ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବ୍ରହ୍ମପୁର ଏସ୍‌.ପି. ଗଣମାଧ୍ୟମକୁ କହିଛନ୍ତି।

ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ୍‌ ହାତରେ ବେଶ୍ କିଛି ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି। ପୁଲିସ ଓ ଭିଜିଲାନ୍ସ କ୍ରାଇମ୍‌ବ୍ରାଞ୍ଚକୁ ଏଥିରେ ସହଯୋଗ କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି। ଠକେଇର ଶିକାର ଯୁବକମାନଙ୍କୁ ମୁହଁ ନ ଖୋଲିବା ପାଇଁ ଧମକଚମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରଦୀପଙ୍କ ଲିଙ୍କ୍‌ରେ କଂଗ୍ରେସ ଦୁଇ ଜଣଙ୍କ ନାମରେ ଅଭିଯୋଗ ଆଣିଥିବାବେଳେ ବିଜେପି ୫ଜଣଙ୍କ ନାମରେ ଲିଖିତି ଅଭିଯୋଗ ଆଣି ଏସ୍‌ପିଙ୍କୁ ଦାବିପତ୍ର ଦେଇଛି। କ୍ରାଇମ୍‌ବ୍ରାଞ୍ଚ୍‌ ଏହି ବ୍ୟକ୍ତିମାନଙ୍କୁ ଖୁବ୍‌ ଶୀଘ୍ର ଉଠାଇ ଆଣିପାରେ ବୋଲି କୁହାଯାଉଛି। ସମୁଦାୟ ୬୮ଜଣ ଠକେଇର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏମାନଙ୍କ ଭିତରେ ଟାଟା ବିସ୍ଥାପିତ କଲୋନିର ପ୍ରାୟ ୭/୮ଜଣ ରହିଛନ୍ତି। ତଦନ୍ତ ଜୋର୍‌ ଧରିବା ପରେ ଏହା ଭିତରେ ସେମାନଙ୍କୁ ଅର୍ଥ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ଚର୍ଚ୍ଚା ଜୋର୍‌ ଧରିଛି। ତେଣୁ ଅର୍ଥ ମିଳିଯିବା ଆଶାରେ କିଛି ଲୋକ ମଧ୍ୟ ମୁହଁ ଖୋଲୁ ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର