କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବିନା କାରଣରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ଅସନ୍ତୋଷ ଦେଖାଦେଇଛି। ରଥଯାତ୍ରା ସମୟରେ ନେତ୍ରୋତ୍ସବଠାରୁ ହେରାପଂଚମୀ ପର୍ଯ୍ୟନ୍ତ ଦୈନିକ ପାଞ୍ଚ ଘଣ୍ଟା ଲେଖାଁଏ ବିଦ୍ୟୁତକାଟ ହେଉଥିବାରୁ ଭକ୍ତଙ୍କ ମହଲରେ ନାହିଁ ନ ଥିବା କ୍ଷୋଭ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରବିବାର ପୂର୍ବାହ୍ନରେ କେନ୍ଦୁଝର ପୁରୁଣା ସହରର ଶତାଧିକ ବ୍ୟକ୍ତି  ଟାଟା ପାୱାର କାର୍ଯ୍ୟାଳୟ ଆସି ସେଠାରେ ଉପସ୍ଥିତ ଥିବା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି।

Advertisment

କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀ ବଳଦେବଜିଉଙ୍କ ନବ ଦିନାତ୍ମକ କାର୍ଯ୍ୟକ୍ରମ ସମୟରେ ରଥଯାତ୍ରା ସମୟରେ ବିଦ୍ୟୁତ୍ କାଟ କରାଯିବ ନାହିଁ ବୋଲି ଟାଟା ପାୱାର ପକ୍ଷରୁ ପ୍ରସ୍ତୁତି ବୈଠକରେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ପ୍ରତିଶ୍ରୁତି ରକ୍ଷା କରିବାରେ ଟାଟା ପାୱାର ଫେଲ ମାରିଛି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ବଡ଼ଦାଣ୍ଡ ଓ ପୁରୁଣା ସହର ଅଞ୍ଚଳରେ ବିନା କାରଣରେ ଘଣ୍ଟାଘଣ୍ଟା ବିଦ୍ୟୁତ୍ କାଟ ଓ  ରଥଯାତ୍ରା ଅବସରରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତିରେ ପବିତ୍ର ହେରା ପଞ୍ଚମୀ ଅବସରରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଥିଲା। ତେଣୁ ଉତ୍ତ୍ୟକ୍ତ ହୋଇ ରବିବାର ପୂର୍ବାହ୍ନରେ ଶତାଧିକ ଲୋକ ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ କରି ଏହାର ସ୍ଥାୟୀ ପ୍ରତିକାର ଦାବି କରିଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।