ଅତ୍ୟଧିକ ଜରିମାନା କରି ଟାଟା ପାୱାର କର୍ମଚାରୀ ହଟହଟା: ୭ ଘଣ୍ଟା ଅଟକ ରଖିଲେ ଉପଭୋକ୍ତା

ଦଶରଥପୁର: ବିଦ୍ୟୁତ୍‌ ବିଭାଗର ଜୁଲମ ଓ ମନଇଚ୍ଛା ଜରିମାନା ଆଦାୟ କରିବା ଅଭିଯୋଗରେ ଟାଟା ପାୱାର କର୍ମଚାରୀଙ୍କୁ ଉପଭୋକ୍ତାମାନେ ଘେରିବା ସହ ସେମାନେ ବ୍ୟବହାର କରୁଥିବା ୨ଟି ଗାଡ଼ିକୁ ଦୀର୍ଘ ୭ ଘଣ୍ଟାଧରି ଅଟକ ରଖିଛନ୍ତି। ଜରିମାନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଉପଭୋକ୍ତା ଓ ଗ୍ରାମବାସୀ ରାସ୍ତା ଉପରେ ଧାରଣାରେ ବସିଥିଲେ। ଦଶରଥପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ ଗୋପାଳପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଆଜି ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ ଗ୍ରାମର ୩୫ ଜଣ ଉପଭୋକ୍ତା ବେଆଇନ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଅଭିଯୋଗ କରି ଟାଟା ପାୱାର କର୍ମଚାରୀମାନେ ୧୫ ଦିନ ତଳେ ସେମାନଙ୍କ ଘରେ ବଳପୂର୍ବକ ପ୍ରବେଶ କରିଥିଲେ। ଘର ଭିତର ଫଟୋ ଉଠାଇଥିଲେ। କିଛି ଗୃହକର୍ତ୍ତା ଏହାର ବିରୋଧ କରିବାରୁ ସଂପୃକ୍ତ କର୍ମଚାରୀମାନେ ପୁଲିସ୍ କେସ୍‌ରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏଥିସହ ଏହି ୩୫ ଉପଭୋକ୍ତାଙ୍କ ଉପରେ ମନଇଚ୍ଛା ଜରିମାନା କରିଥିଲେ। ଏହାପରେ ସଂପୃକ୍ତ ଉପଭୋକ୍ତାମାନେ ଦଶରଥପୁର ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ସମସ୍ୟାର ସମାଧାନ କରିବାକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ପୁଣି ଦିନ ପ୍ରାୟ ୧୦ ଟାରେ ଟାଟା ପାୱାର କର୍ମଚାରୀ ୨ଟି ଚାରିଚକିଆ ଗାଡ଼ିରେ ଗୋପାଳପୁର ଗ୍ରାମକୁ ଯାଇ ତୁରନ୍ତ ଜରିମାନା ଅର୍ଥ ପୈଠ କରିବାକୁ କହିଥିଲେ। ନଚେତ୍ ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ ତତ୍‌କ୍ଷଣାତ୍ ବିଚ୍ଛିନ୍ନ କରାଯିବ ବୋଲି ଧମକ ଦେଇଥିଲେ। ଏହା ଶୁଣି ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉତ୍ତେଜନା ବଢ଼ିବାରୁ ଗ୍ରାମବାସୀ ଏକାଠି ହୋଇ ଟାଟା ପାୱାର କର୍ମଚାରୀ ଓ ୨ଟି ଗାଡ଼ିକୁ ଗାଁ ମଝିରେ ଅଟକ ରଖିଥିଲେ। ଲୋକମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ।

ଖବର ପାଇ ମଙ୍ଗଳପୁର ଥାନାର ଏସ୍‌ଆଇ ପାର୍ବତୀ ମଲ୍ଲିକ, ଏଏସ୍‌ଆଇ ପି.କେ. ରାଉତରାୟ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଉପଭୋକ୍ତାଙ୍କୁ ବୁଝାସୁଝା କରିଥିଲେ। ବହୁ ସମୟ ପରେ ଅଟକ ଟାଟା ପାୱାର କର୍ମଚାରୀଙ୍କୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ। ଜରିମାନା ଅର୍ଥ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବାଯାଏ ୨ ଗୋଟି ଗାଡ଼ିକୁ ଛାଡ଼ିବେ ନାହିଁ ବୋଲି ଲୋକମାନେ ଜିଦ୍ ଧରି ରାସ୍ତା ଉପରେ ବସିରହିଥିଲେ। ଏ ବିଷୟରେ ଏସ୍‌ଆଇ ପାର୍ବତୀ ମଲ୍ଲିକ ଦଶରଥପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ବ୍ରଜକିଶୋର ଧଳଙ୍କ ସହିତ ମୋବାଇଲ୍‌ରେ କଥା ହୋଇ ଘଟଣାସ୍ଥଳକୁ ଆସିବାକୁ କହିଥିଲେ ମଧ୍ୟ ସେ ଆସି ନଥିଲେ। ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ବିଦ୍ୟୁତ୍‌ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରି ଆସନ୍ତା ଦୁଇଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଅଟକ ୨ଟି ଗାଡ଼ିକୁ ମୁକୁଳାଇବାରେ ପୁଲିସ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର