ଟାଟା ପାୱାର ଜୁଲମ୍‌ ସୀମା ଟପିଲା, ବିଲ୍‌ ଆଦାୟରେ ନିୟୋଜିତ କର୍ମଚାରୀଙ୍କ ଦାଦାଗିରି

ବିଲ୍‌ ପୈଠ ପରେ ମଧ୍ୟ ମାଗୁଛନ୍ତି ଟଙ୍କା,ମହିଳାଙ୍କୁ ଅଶୋଭନୀୟ ବ୍ୟବହାର, ଟାଟା ପାୱାର କର୍ତ୍ତୃପକ୍ଷଙ୍କ ପରୋକ୍ଷ ସମର୍ଥନ

ରାଉରକେଲା: ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଡବ୍ଲ୍ୟୁଓଡିଏଲ୍‌)ର ଜୁଲୁମ୍‌ ବଢ଼ିବାରେ ଲାଗିଛି। ଜାଣିଶୁଣି ବିଲ୍‌ ଦେବାରେ ଅହେତୁକ ବିଳମ୍ବ କରାଯାଉଛି। କିନ୍ତୁ ବିଲ୍‌ ପୈଠ କରିବାରେ ସାମାନ୍ୟ ବିଳମ୍ବ ହେଲେ ଉପଭୋକ୍ତାଙ୍କ ଉପରେ ବିଭାଗୀୟ କର୍ମଚାରୀ ନାଲି ଆଖି ଦେଖାଉଥିବା ଅଭିଯୋଗ ଢ଼େର୍‌ ପୁରୁଣା। ଏବେ, ବିଲ୍‌ ପୈଠ ହୋଇସାରିଥିବା ସତ୍ତ୍ବେ ପୁନର୍ବାର ଉପଭୋକ୍ତାଙ୍କ ଘରକୁ ଯାଇ ଦେୟ ମାଗିବା ଅଭିଯୋଗ ହେଉଛି।

ସ୍ଥାନୀୟ ଛେଣ୍ଡ୍‌ ଅଞ୍ଚଳରେ ରହୁଥିବା ଜଣେ ଗ୍ରାହକଙ୍କ ଜୁନ ମାସର ବିଦ୍ୟୁତ ଭଡ଼ା ବାବଦକୁ ୧୬୧୨ ଟଙ୍କା ଆସିଥିଲା। ଗତ ଜୁଲାଇ ୨୦ ତାରିଖରେ ବିଲ୍‌ ହସ୍ତଗତ ହେବାପରେ ଉକ୍ତ ଦିନ ମଧ୍ୟରାତ୍ରୀରେ ହିଁ ସେ ବିଲ୍‌ ପୈଠ କରିଦେଇଥିଲେ। ଏମିତିକି ଉକ୍ତ ଗ୍ରାହକଙ୍କ ନାଁରେ ଆଉ କୌଣସି ବକେୟା ନ ଥିବା ସଂସ୍ଥା ପକ୍ଷରୁ ମେସେଜ୍‌ ମଧ୍ୟ ଆସିଥିଲା। ତେବେ ବିଲ୍‌ ପୈଠ ହେବାର ପ୍ରାୟ ମାସେ ପରେ, ଅର୍ଥାତ୍‌ ଗତ ବୁଧବାର ଦିନ ଅପରାହ୍ନ ପ୍ରାୟ ୫ଟାରେ ନିଜକୁ ଟିପିଡବ୍ଲ୍ୟୁଓଡିଏଲ୍‌ର କର୍ମଚାରୀ ପରିଚୟ ଦେଇ ଦୁଇ ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ତଳେ ରହୁଥିବା ଜଣେ ମହିଳାଙ୍କୁ ପ୍ରଥମେ ଚଳିତ ମାସର ‌ବକେୟା ଦେବାକୁ କହିଥିଲେ। ତେବେ ଘରେ କେହି ଉପସ୍ଥିତ ନ ଥିବାରୁ ବିଳମ୍ବିତ ସନ୍ଧ୍ୟାରେ ପୈଠ କରିବାକୁ ମହିଳା ଜଣକ କହିଥିଲେ। କିନ୍ତୁ ଦୁଇ କର୍ମଚାରୀ କିଛି ନ ଶୁଣି ତାଙ୍କୁ କୁଆଡ଼େ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ।

ଏମିତିକି ଉପର ମହଲାରେ ରହୁଥିବା ଅନ୍ୟ ଜଣେ ଉପଭୋକ୍ତାଙ୍କ ବକେୟା ଥିବା ଦର୍ଶାଇ ଗେଟ୍‌ ଖୋଲିବାକୁ କହିଥିଲେ। ତେବେ ମହିଳା ଜଣକ ଘରେ କେହି ପୁରୁଷ ସଦସ୍ୟ ନ ଥିବାରୁ ଦିନକପରେ ଆସିବାକୁ କହିଥିଲେ ମଧ୍ୟ ଦୁଇ କର୍ମଚାରୀ କିଛି ଶୁଣିନଥିଲେ। ଫଳରେ ଭୟଭୀତ ମହିଳା ଜଣକ ଗେଟ୍‌ ଖୋଲିବାରୁ ସେମାନେ ଉପରକୁ ଯାଇଥିଲେ। କେବଳ ଛେଣ୍ଡ୍‌ରେ ନୁହେଁ; ପ୍ରାୟ ସବୁ ଅଞ୍ଚଳରେ ବିଲ୍‌ ଆଦାୟକୁ ନେଇ ଉପଭୋକ୍ତା ଏଭଳି ନିର୍ଯାତନାର ଶିକାର ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ନିୟମିତଭାବେ ନିର୍ଦ୍ଧାରିତ ସମୟରେ ବିଲ୍‌ ଦିଆଯାଉନି। ପ୍ରାୟତଃ ମାସ ଶେଷ ହେବାପର ୧୫/୨୦ ଦିନ ପରେ ବିଲ୍‌ ଦିଆଯାଉଛି।

ତେବେ ବିଲ୍‌ ପୈଠ କରିବାରେ ସାମାନ୍ୟ ଦିନଟିଏ ବିଳମ୍ବ ହେଲେ ବିଲ୍‌ ଆଦାୟରେ ନିୟୋଜିତ କର୍ମଚାରୀଙ୍କ ଦାଦାଗିରର ସମ୍ମୁଖୀନ ହେଉଛନ୍ତି। ପ୍ରକୃତରେ ବିଲ୍‌ ଆଦାୟ ପାଇଁ ନିୟୋଜିତ ଠିକା ସଂସ୍ଥା ‘ସ୍ବସ୍ତିକ ଇଞ୍ଜିନିଅର୍ସ’ କର୍ମଚାରୀଙ୍କ ଅଧିକ କମିସନ ଲୋଭ ଲାଳସା ଯୋଗୁଁ ଏଭଳି ହେଉଥିବା ଉପଭୋକ୍ତା ଅଭିଯୋଗ କରିଛନ୍ତି। ଏନେଇ ଠିକାସଂସ୍ଥା ‘ସ୍ବସ୍ତିକ ଇଞ୍ଜିନିଅର୍ସ’ ଏଜିଏମ୍‌ ଦେବୀ ପ୍ରସାଦ ମହାନ୍ତିଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଟିପିଡବ୍ଲ୍ୟୁଓଡିଏଲ୍‌ ଛେଣ୍ଡ୍‌ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ପଚାରିବାରୁ କହିଲେ, ଏନେଇ ଆମ ପାଖକୁ ଅଭିଯୋଗ ଆସିଛି। ଏ ପ୍ରସଙ୍ଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସମେତ ଠିକାସଂସ୍ଥା ‘ସ୍ବସ୍ତିକ ଇଞ୍ଜିନିଅର୍ସ’ର ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର