ସୌରଶକ୍ତି ଉତ୍ପାଦନ ପାଇଁ ଟାଟା ପାୱାର ଦେବ ପ୍ରୋତ୍ସାହନ

ସମ୍ବଲପୁର : ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇସାରିଥିବା ଦ୍ବିତୀୟ ପର୍ଯ୍ୟାୟର ଛାତ ଉପରେ ସୈାରଶକ୍ତି (ରୁଫ୍‍ଟପ୍‍ ସୋଲାର) ଉତ୍ପାଦନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ବିଦ୍ୟୁତ୍‍ ବିତରକ କମ୍ପାନୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ପଶ୍ଚିମ ଓଡିଶାର ବିଦ୍ୟୁତ୍‍ ବିତରକ କଂପାନି ଟିପିଡବ୍ଲୁଓଡିଏଲ୍‌ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ସହିତ ନିୟୋଜିତ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦିଆଯାଇଛି। କଂପାନି ପକ୍ଷରୁ ଉକ୍ତ ଯନ୍ତ୍ରପାତି ସ୍ଥାପନ କରିବା ଏବଂ ତା’ର ଆବଶ୍ୟକ ରକ୍ଷଣାବେକ୍ଷଣ ନିମନ୍ତେ ବୈଷୟିକ ଜ୍ଞାନ ଥିବା ସଂସ୍ଥାମାନଙ୍କ ସହିତଚୁକ୍ତି ସ୍ୱାକ୍ଷର କରିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ସୈାରଶକ୍ତି ଉତ୍ପାଦନ ନିମନ୍ତେ ବାସଗୃହ, ସରକାରୀ/ବ୍ୟବସାୟିକ ସଂସ୍ଥାମାନେ ମଧ୍ୟ ଲଗାଇପାରିବେ।

ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଇଂ. ଗଜାନନ କାଲେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତି ଅନୁଯାୟୀ ଉପଭୋକ୍ତାମାନଙ୍କୁ ରିହାତି ପ୍ରଦାନ କରାଯିବ। ଏହା ଅତିଶୀଘ୍ର କଂପାନିର ୱେବ୍‍ସାଇଟ୍‍ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଉପଭୋକ୍ତାମାନେ ଅନେକ ସୁବିଧା ଉପଭୋଗ କରିପାରିବେ ଏବଂ ବହୁତ ମାତ୍ରାରେ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ମଧ୍ୟ କରାଯାଇପାରିବ। ଏହାର ସ୍ଥାପନ ଏବଂ ରକ୍ଷଣାବେକ୍ଷଣ ପ୍ରଣାଳି ଅତିସହଜ ଓ ସରଳ ହୋଇଥିବାରୁ ପଶ୍ଚିମ ଓଡିଶାର ଯେକୈାଣସି ଜାଗାରେ ଏହା ସ୍ଥାପନ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ଟିପିଡବ୍ଲୁଓଡିଏଲ୍‌ ଏକା ସାଙ୍ଗରେ ତାର ୫ଟି ଯାକ ମଣ୍ଡଳ ସମ୍ୱଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି ଏବଂ ରାଉରକେଲାରେ କାର୍ଯ୍ୟକାରୀ କରାଯାଉଛି ‌ବୋଲି ଇଂ.କାଲେ କହିଛନ୍ତି।

ସମ୍ବନ୍ଧିତ ଖବର