ଭୁବନେଶ୍ବର : ବିଶ୍ବରେ ଘଟିଥିବା ୪ଟି ପର୍ଯ୍ୟାୟର ସ୍ଥାନାନ୍ତରଣ ବା ମାଇଗ୍ରେସନ୍ ଭାରତର ଏତେ ବଡ଼ ଜନସଂଖ୍ୟାର କାରଣ। ତେବେ ଜଳବାୟୁ ପରିବର୍ତ୍ତନ ସ୍ଥାନାନ୍ତରଣର ଖୁବ୍ ଶୀଘ୍ର ଆଉ ଏକ କାରଣ ହେବ। ‘ସମ୍ବାଦ’ ସହଯୋଗରେ ଭୁବନେଶ୍ବର କ୍ଲବ୍ରେ ଆୟୋଜିତ ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବରେ ଆଜି ଏପରି ମତ ରଖିଛନ୍ତି ବିଶିଷ୍ଟ ଲେଖକ ଟୋନି ଯୋଶେଫ୍। କାର୍ଯ୍ୟକ୍ରମର ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ‘ଦ ମାଇଗ୍ରେସନ୍ ଦାଟ୍ ମେଡ୍ ଇଣ୍ଡିଆ’ ଶୀର୍ଷକ ଆଲୋଚନାରେ ସୁଜେନ୍ ମୁଖାର୍ଜୀଙ୍କ ସେ ଏହି ଆଲୋଚନା କରିଥିଲେ।
ସେ କହିଥିଲେ, ପ୍ରାୟ ୬୫ରୁ ୭୦ ହଜାର ବର୍ଷ ତଳେ ଆଫ୍ରିକାର ପ୍ରାୟ ୧୬ ହଜାର ଲୋକ ଏଠାକୁ ଚାଲି ଆସିଥିଲେ। ସେମାନଙ୍କୁ ପ୍ରଥମ ଭାରତୀୟ ବୋଲି କୁହାଯାଏ। ସମୁଦାୟ ଜନସଂଖ୍ୟାର ୫୦ରୁ ୬୫ ପ୍ରତିଶତ ସେଠାରୁ ହିଁ ଆସିଛନ୍ତି। ସେହିପରି ପ୍ରାୟ ୧୦ରୁ ୧୨ହଜାର ବର୍ଷ ପୂର୍ବେ, ଭାରତ, ଚୀନ୍, ଇଜିପ୍ଟ, ମେସୋପୋଟାମିଆରେ କୃଷି କ୍ଷେତ୍ରରେ ବିପ୍ଳବ ହୋଇଥିଲା। ଭାରତ, ଚୀନ୍ରେ ଜନସଂଖ୍ୟା ବୃଦ୍ଧିର ଐତିହାସିକ କାରଣ ଏଥିରେ ହିଁ ରହିଛି। ହରପ୍ପା ସଭ୍ୟତା ମଧ୍ୟ ଏଇଥିରୁ ହିଁ ସୃଷ୍ଟି ହୋଇଥିଲା। ୪ହଜାର ବର୍ଷ ପୂର୍ବେ ପୂର୍ବ-ଏସିଆର ଏକ ବୃହତ୍ ଜନସଂଖ୍ୟା ଭାରତକୁ ଆସିଥିଲା। ତା’ ପରଠାରୁ ଭାରତରେ ଖାସି, ମୁଣ୍ଡାରି ଭାଷା ସାମିଲ ହୋଇଥିଲା। ମାତ୍ର ଏହି ସ୍ଥାନାନ୍ତରଣ ନେଇ ଏବେ ବି ଅନେକ ଭୁଲ୍ ବୁଝାମଣା ରହିଛି। ଉପନିବେଶ ପ୍ରତିଷ୍ଠା ପାଇଁ ଚତୁର୍ଥ ସ୍ଥାନାନ୍ତରଣ ହୋଇଥିଲେ ମଧ୍ୟ ଏହା ଭାରତୀୟ ଜନସଂଖ୍ୟାକୁ ସେତେଟା ପ୍ରଭାବିତ କରି ପାରି ନଥିଲା। ୩୯୦୦ ବର୍ଷ ତଳେ ଯେତେବେଳେ ହରପ୍ପା ସଭ୍ୟତାର ପତନ ଆରମ୍ଭ ହେଲା, ସେମାନେ ଭାରତର ସବୁଠି ଖେଳିଗଲେ। ତେଣୁ ସେମାନଙ୍କୁ ଆମେ ଉଭୟ ଉତ୍ତର ଏବଂ ଦକ୍ଷିଣ ଭାରତର ପୂର୍ବଜ ବୋଲି କହିଥାଉ। ସବୁ ସ୍ଥାନାନ୍ତରଣ ସାଂସ୍କୃତିକ ଏବଂ ବଂଶଗତ ଭାବେ ପରସ୍ପର ସହ ମିଶି ଯାଇଛନ୍ତି। ବିଶ୍ବରେ ଘଟିଥିବା ଏହି ୪ଟି ପର୍ଯ୍ୟାୟର ସ୍ଥାନାନ୍ତରଣ ବା ମାଇଗ୍ରେସନ୍ ହିଁ ଭାରତର ଏତେବଡ଼ ଜନସଂଖ୍ୟାର କାରଣ। ତେବେ ଜଳବାୟୁ ପରିବର୍ତ୍ତନ ସ୍ଥାନାନ୍ତରଣର ଆଉ ଏକ କାରଣ ଖୁବ୍ ଶୀଘ୍ର ହୋଇପାରେ ବୋଲି ସେ କହିଥିଲେ।
ଦ୍ବିତୀୟ ଅଧିବେଶନରେ ସମ୍ବାଦପତ୍ର ସ୍ତମ୍ଭ ଏବଂ ବିଶ୍ବସ୍ତ ପାଠକଙ୍କ ମଧ୍ୟରେ ଦୀର୍ଘସ୍ଥାୟୀ ସଂପର୍କ ଉପରେ ଆଲୋଚନା କରି ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ, ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୦୦ ଟଙ୍କା ଦେଇଥିଲେ ଗୋବିନ୍ଦପୁରର ୭୦ ବର୍ଷୀୟା ହାରାମଣି। ୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ହାରାମଣିଙ୍କୁ ଖୋଜିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଇଏ ସାହିତ୍ୟ ପରି ସମ୍ବାଦ ନା ସମ୍ବାଦ ପରି ସାହିତ୍ୟ, ତାହା ଜାଣିବା ଅପରିହାର୍ଯ୍ୟ। ୨୦୦୩ ମସିହାର ଷ୍ଟେଟ୍ସମ୍ୟାନ୍ରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ ଏହା କହିଥିଲେ।
ଓଡ଼ିଆ ସାହିତ୍ୟରେ ଇଂରାଜୀର ପ୍ରୟୋଗ ସଂପର୍କରେ ଶ୍ରୀ ଦାସ କହିଥିଲେ, ଓଡ଼ିଆ ଶବ୍ଦ ଭଣ୍ଡାର ଅତ୍ୟନ୍ତ ସମୃଦ୍ଧ। ଓଡ଼ିଆ ଭାଷା ଗୋଟିଏ ସମୃଦ୍ଧ ଭାଷା ଏବଂ ବିଶ୍ବରେ ଏପରି କୌଣସି ଶବ୍ଦ ନାହିଁ, ଯାହାକୁ ଓଡ଼ିଆରେ ପ୍ରକାଶ କରାଯାଇପାରିବ ନାହିଁ। ସାହିତ୍ୟିକମାନେ ନିଜର ବୌଦ୍ଧିକ ଦେବାଳିଆପଣକୁ ଓଡ଼ିଆ ଅଭିଧାନରେ ଢାଳିବା ଅନୁଚିତ। ଲେଖକମାନେ ଶବ୍ଦର ସାମର୍ଥ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ସାହିତ୍ୟ ନ ଲେଖିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଆଲୋଚିକା ଡ. ସଂଘମିତ୍ରା ଭଞ୍ଜ କହିଥିଲେ, ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗ ହେବା ଉଚିତ, ଯାହା ଦିନେ ଗୋପବନ୍ଧୁ, ହରେକୃଷ୍ଣ ମହତାବ କରୁଥିଲେ। ପାଠକ ମିଳନ୍ତୁ ବା ନ ମିଳନ୍ତୁ, ଲେଖା ଜାରି ରହିବା ଉଚିତ ବୋଲି ଡ. ଭଞ୍ଜ କହିଥିଲେ। ଏହି ଅଧିବେଶନକୁ ସାହିତ୍ୟିକ ଦେବପ୍ରସାଦ ଦାସ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m1.jpg)