ଭୁବନେଶ୍ବର : ଆଜିଠାରୁ ଅର୍ଥାତ୍ ୧୧ରୁ ୧୩ ତାରିଖ ଯାଏ ଭୁବନେଶ୍ବର କ୍ଲବ୍ଠାରେ ଆୟୋଜିତ ହେବାକୁ ଯାଉଛି ‘ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ଉତ୍ସବ’। ‘ସମ୍ବାଦ’ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇ ପର୍ଯ୍ୟଟନ, ପରିବେଶ ଓ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବୌଦ୍ଧିକ ଆଲୋଚନା କରିବେ। ଉତ୍ସବକୁ ପ୍ରଖ୍ୟାତ କବି ରମାକାନ୍ତ ରଥ ଉଦ୍ଘାଟନ କରିବେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅତିଥି ଭାବେ ଯୋଗ ଦେବେ। ଏଥିସହ ଉତ୍ସବରେ ଆୟୋଜିତ ବିଭିନ୍ନ ଆଲୋଚନାଚକ୍ରରେ ସନ୍ଦୀପ ରାୟ, ତନୟା ପଟ୍ଟନାୟକ, ରସ୍କିନ୍ ବଣ୍ଡ୍, ରାକେଶ ଖାନ୍ନା, ଟୋନି ଯୋଶେଫ୍, କଥାକାର ଗୌରହରି ଦାସ, ଦେବପ୍ରସାଦ ଦାଶ, ସଂଘମିତ୍ରା ଭଞ୍ଜ, ପ୍ରଫେସର ଯତୀନ୍ଦ୍ର ନାୟକ, ସୋନମ୍ କାଲରା, ଅନ୍ତରା ସଲିଲ୍ ଚୌଧୁରୀ, ସୂର୍ଯ୍ୟ ଦେଓ, ନନ୍ଦନ ନିଲକେନି, ତନୁଜ ଭୋଜୱାନି, ମୋନିକା ନୈୟାର ପଟ୍ଟନାୟକ, ରାହୁଲ ବୋଷ, ଜୟନ୍ତ କୃପାଲିନୀ, ଆର୍. ବାଲ୍କ୍ରିଷ୍ଣନ୍, ଟୋନି ଯୋଶେଫ୍, ଯଶୋଧାରା ମିଶ୍ର, ସଂଘମିତ୍ରା ମିଶ୍ର ଓ ହିରଣ୍ମୟୀ ମିଶ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏଥିସହ ୧୨ ତାରିଖ ଦିନ ସଂଧ୍ୟା ୬ଟାରେ ରେଳ ଅଡିଟୋରିୟମ୍ଠାରେ ଲଲେଟ ଦୁବେଙ୍କ ନୂଆ ନାଟକ ‘ଲକ୍ଡାଉନ୍ ଲିଆନ୍ସନ୍ସ୍’ ଓ ୧୪ ତାରିଖ ଦିନ ସୋନମ୍ କାଲରା ଓ ତାଙ୍କ ଦଳ ପକ୍ଷରୁ ‘ଶାମ୍-ଏ-ସୁଫିଆନା’ ଗଜଲ ସଂଧ୍ୟା ଆୟୋଜିତ ହେବ। ରେଳ ଅଡିଟୋରିୟମ୍ରେ ଆୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ନିମନ୍ତେ ପାସ୍ର ଆବଶ୍ୟକତା ରହିବ। ଭୁବନେଶ୍ବର କ୍ଲବ୍ ସାମ୍ନା ଡେସ୍କ ସହ ଅକ୍ସଫୋଡ୍ ବୁକ୍ଷ୍ଟୋର୍ରେ ପାସ୍ ଉପଲବ୍ଧ ହେଉଛି।