ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବର ଦ୍ୱିତୀୟ ଦିବସ : ଅନୁଭୂତି ବଖାଣିଲେ ଚୌରାସିଆ, ନନ୍ଦିତା

ଅମ‌େଲା ପାଲେକରଙ୍କ ଅଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଟାଟା ଷ୍ଟିଲ୍‌ ଭୁବନେଶ୍ୱର ସାହିତ୍ୟ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ। ଏଥିରେ ସାହିତ୍ୟିକଙ୍କଠାରୁ ଆରମ୍ଭ କରି ସଂସ୍କୃତି ବିଶାରଦଙ୍କ ଭିଡ଼ ଜମିଥିଲା। ସମୁଦାୟ ୯ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ତାମିଲ ଲେଖକ ପେରୁମଲ୍‌ ମୁରୁଗାନ ନିଜ ପୁସ୍ତକ ‘ଆମ୍ମା’ ବିଷୟରେ ଆଲୋଚନା କରିଥିଲେ। ଏହି ପୁସ୍ତକ ତାଙ୍କ ମା’ଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି। ଏହାକୁ ଇଂରାଜୀ ଭାଷାରେ ଅନୁବାଦ କରାଯାଇଥିବା ବେଳେ ଏଥିରେ ଜଣେ ଦୃଢ଼ ଓ ସ୍ବାଧୀନ ମହିଳାଙ୍କ ଜୀବନର ମୁହୂର୍ତ୍ତଗୁଡ଼ିକ ବର୍ଣ୍ଣନା କରାଯାଇଥିବା ଶ୍ରୀ ମୁରୁଗାନ୍ କହିଥିଲେ। ଏଭଳି ସ୍ମରଣିକାକୁ ପ୍ରସ୍ତୁତ କରିବା ସମୟରେ ଅନୁଭୂତିକୁ ସେ ଦର୍ଶକଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ। ତାଙ୍କ ସହ ଆଲୋଚନା କରିଥିଲେ ଭୁବନେଶ୍ୱର ସାହିତ୍ୟ ମହୋତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ।

ସେହିପରି ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆ ନିଜର ସ୍ମରଣିକା ‘ଦି ଗୋଲଡେନ୍‌ ବ୍ରେଥ୍’ ସଂପର୍କରେ ଆଲୋଚନା କରିଥିଲେ। ଲେଖକ ସତ୍ୟ ସରଣଙ୍କ ସହ ମିଶି ଶ୍ରୀ ଚୌରାସିଆ ନିଜର ସଂଘର୍ଷମୟ ସମୟର ଅନ୍ତରଙ୍ଗ ମୁହୂର୍ତଗୁଡ଼ିକ ସ୍ମରଣିକାରେ ସ୍ଥାନ ପାଇଛି। ଶାନ୍ତନୁ ରାୟ ଚୌଧୁରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଚୌରାସିଆଙ୍କ ଜୀବନ କାହାଣୀ ଦର୍ଶକଙ୍କୁ ବେଶ୍‌ ଅଭିଭୂତ କରିଥିଲା। ଦ୍ବିତୀୟ ଦିବସର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିଥିଲା ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଅଧିବେଶନ ‘ମଣ୍ଟୋ ଏଣ୍ଡ ଆଇ’। ନମିତା ଦେବୀଦୟାଲଙ୍କ ସହ ଆଲୋଚନା ସମୟରେ ନନ୍ଦିତା ନିଜର ବ୍ୟକ୍ତିଗତ ଓ ସିନେମା ଯାତ୍ରା ସଂପର୍କରେ ନିଜର ଅନୁଭୂତି ପ୍ରକାଶ କରି ଉପସ୍ଥିତ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ।

ସଂଧ୍ୟାର ଶେଷ ଅଧିବେଶନ‌ରେ ବିଶିଷ୍ଟ ଅଭିନେତା ଅମୋଲ ପାଲେକର ରବୀନ୍ଦ୍ର ମଣ୍ଡପରେ ନାଟକ କସୁର (ଦି ମିଷ୍ଟେକ୍‌) ଜରିଆରେ ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଡେନମାର୍କର ଗୁସ୍ତଭ ମୋଲର ଏମିଲ୍‌ ଏନ ଆଣ୍ଡରସନ୍‌ଙ୍କ ଦ୍ବାରା ରଚିତ ଅପରାଧ ଓ ରୋମାଞ୍ଚଭରା କାହାଣୀ ‘ଡେନ୍ ସ୍କାଏଲିଜ୍‌’ରୁ ଅନୁପ୍ରାଣୀତ ଏହି ନାଟକକୁ ସଂଧ୍ୟା ଗୋଖଲେ ରଚନା କରିଛନ୍ତି। ଅନ୍ୟ ଅଧିବେଶନରେ ବିକ୍ରମ ଗ୍ରେୱାଲ ଓଡ଼ିଶାର ପକ୍ଷୀମାନଙ୍କ ସଂପର୍କରେ ପଞ୍ଚମୀ ମନୁ ଉକିଲଙ୍କ ସହିତ ଆଲୋଚନା କରିଥିଲେ। ଏହାର ବିଷୟବସ୍ତୁ ରହିଥିଲା ‘ଦି ବାର୍ଡସ ଅଫ୍ ଓଡ଼ିଶା’। ସେହିପରି ‘ଦି ଅନେଷ୍ଟ ବୋସୱେଲ’ରେ ଅଜୟ ବୋଷ ଓ ରୁବେନ ବାନାର୍ଜୀ ସଚ୍ଚୋଟତାର ସହ ଜୀବନୀ ରଚନା କରିବାରେ କି ପ୍ରକାର ଆ୍ବହାନର ସମ୍ମୁଖୀନ ହେବାକୁ ପଡ଼ିଥାଏ, ସେ ସଂପର୍କରେ ମତ ରଖି‌ଥିଲେ। ଏହି ଅଧିବେଶନରେ ଦୁହିଁଙ୍କ ସହିତ ଆଲୋଚନା କରିଥିଲେ ଯତୀନ୍ଦ୍ର ନାୟକ। ଶ୍ରୀଦେବୀଙ୍କ ଜୀବନକୁ ନେଇ ରଚିତ ପୁସ୍ତକ ଶ୍ରୀଦେବୀ: ଦି ଇଟରନାଲ ସ୍କ୍ରିନ୍ ଗଡେସ୍‌ ଉନ୍ମୋଚିତ ହୋଇଥିଲା। ଏହାକୁ ରଚନା କରିଛନ୍ତି ସତ୍ୟାର୍ଥ ନାୟକ। ଏହି ଅଧିବେଶନରେ ତାଙ୍କ ସହିତ ଆଲୋଚନା କରିଥିଲେ ଶାନ୍ତନୁ ରାୟ ଚୌଧୁରୀ। ‘ୱାଚିଂ ଏ ପୋଏମ୍‌’ ଅଧିବେଶନରେ ସୁକନ୍ୟା ଦାସଙ୍କ ସହ ଆଲୋଚନା କରିଥିଲେ ପ୍ରିୟା ମଲ୍ଲିକ୍ ଓ ରୋଜି ଗାର୍ଲାଣ୍ଡ। ଏଥିରେ ଦୁହେଁ ମଞ୍ଚରେ ଉପସ୍ଥିତ ରହି ଜଣେ ପ୍ରଦର୍ଶନକାରୀ ଭାବେ ଲେଖକଙ୍କ ଭୂମିକାକୁ ବର୍ଣ୍ଣନା କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ଦି ରାଇମ୍‌ସ ଦେ ଆର ଏ ଚେଞ୍ଜିଂ’ରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କ ସହ ଆଲୋଚନା କରିଥିଲେ ସୀତାକାନ୍ତ ମହାପାତ୍ର, ଅନନ୍ତ ମହାପାତ୍ର, ସୁବୋଧ ପଟ୍ଟନାୟକ ଓ ସୁଚେତା ମିଶ୍ର।

ସମ୍ବନ୍ଧିତ ଖବର