ନିରଙ୍କୁଶ ବାକ୍‌ ସ୍ୱାଧୀନତା ସ୍ପୃହଣୀୟ ନୁହେଁ: ରସ୍କିନ୍‌ ବଣ୍ଡ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିନ

ଭାରତରେ ରହୁଥିବାରୁ ଭାଗ୍ୟବାନ୍‌
ପୁସ୍ତକର ସ୍ଥାନ ଲାପ୍‌ଟପ୍‌ ନେଇ ପାରିବନି

ବ୍ରିଟିସ୍‌ ବଂଶୋଦ୍ଭବ ଭାରତୀୟ ତଥା ପ୍ରଖ୍ୟାତ ଲେଖକ ରସ୍କିନ୍‌ ବଣ୍ଡଙ୍କ ସହିତ ସ୍କୁଲ ପିଲାମାନଙ୍କ ଅନ୍ତରଙ୍ଗ ଆଳାପ ସହିତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଦ୍ୱିତୀୟ ଦିବସର ଦ୍ୱିତୀୟ ଅଧିବେଶନକୁ ମଧ୍ୟ ଆକର୍ଷଣୀୟ କରି ତୋଳିଥିଲା। ଭାରତ ପ୍ରତି ଶ୍ରୀ ବଣ୍ଡଙ୍କ ଭଲପାଇବା କେତେ ତାହା ଜଣାପଡ଼ିଥିଲା ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରୁ। ପଞ୍ଚମୀ ମାନୁଉକିଲ୍‌ଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ‘ବାକ୍‌ ସ୍ୱାଧୀନତା ନିରଙ୍କୁଶ ହେବା ଅନୁଚିତ। ଏହା ସୀମା ମଧ୍ୟରେ ରହିବା କଥା। ମୋତେ ଯଦି ପଚରାଯାଅନ୍ତା ଚୀନ, ଭିଏତନାମ୍‌ କି ବାଂଲାଦେଶରେ ବାସ କରିବାକୁ ମୁଁ ପସନ୍ଦ କରିବି କି? ସେହିପରି ସିରିଆ, ଫିଲିପାଇନ୍ସ, ମିଆଁମାର, ଲେବାନନ୍‌ ଦେଶ କଥା କହିଲେ ବି ମୁଁ କହିବି ଭାରତରେ ରହିଥିବାରୁ ମୁଁ ଭାଗ୍ୟବାନ୍‌।

ଏହି ଯୁଗରେ ଲାପ୍‌ଟପ୍‌, ମୋବାଇଲ୍‌ର ବ୍ୟାପକ ବ୍ୟବହାର ଯୋଗୁଁ ପୁସ୍ତକ ପ୍ରତି ବିପଦ ସୃଷ୍ଟି ହୋଇଛି କି ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ପୁସ୍ତକର ସ୍ଥାନ ଲାପ୍‌ଟପ୍‌ ନେଇପାରିବନି। କାରଣ ପୁସ୍ତକ ପଠନ ଜରିଆରେ ଏହା ଜୀବନ ପାଇଁ କିଛି ପ୍ରତିଦାନ ଦେଇଥାଏ। ଜଳବାୟୁ ପରିବର୍ତନ ଘଟୁଥିବା ସେ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ କହିଥିଲେ। ତେବେ ମନୁଷ୍ୟ ନିଜ ଆଖପାଖ ପରିବେଶ ପ୍ରତି ଯତ୍ନ, ଆଦର ନେବା ଦରକାର। ଆମେ ଯେଉଁ ଗ୍ରହରେ ବସବାସ କରୁଛୁ, ସେଥିରେ ସୌନ୍ଦର୍ଯ୍ୟଭରା ଝରଣା, ନଦୀ, ସମୁଦ୍ର, ପାହାଡ଼ ପର୍ବତ ଆଦି ଜୀବନ ସତ୍ତାକୁ ସମ୍ଭବ କରୁଛି। ନିର୍ଜନତା ପ୍ରକୃତିର ନିକଟତର। ତେବେ ଲେଖାଲେଖି ପାଇଁ ନିର୍ଜନତା ସେ ଖୋଜନ୍ତି ନାହିଁ। ଯେ କୌଣସି ସ୍ଥାନରେ ଥାଇ ସେ ଲେଖିପାରିବେ। ଲେଖାଲେଖି ନିମନ୍ତେ ପ୍ରତ୍ୟୁଷ ହେଉଛି ତାଙ୍କ ପାଇଁ ଶ୍ରେଷ୍ଠ ସମୟ ବୋଲି ବଣ୍ଡ କହିଥିଲେ।

ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ସେ କହିଲେ, ଲେଖାଲେଖି ବୃତ୍ତି ଅତ୍ୟନ୍ତ କଠିନ। ଏଥିରେ ଅନେକ ବିପଦ ରହିଛି। ଏହି ବୃତ୍ତିରେ ଅର୍ଥ ଉପାର୍ଜନ ଆଶା ଯଥେଷ୍ଟ କମ୍‌। ଭଲ ଲେଖିବା ଏକ ଉପହାର ସଦୃଶ। ଏହା ଜନ୍ମଗତ ବୋଲି କୁହାଯାଏ। ତେବେ ଏଭଳି ବୃତ୍ତିକୁ ଆପଣାଉଥିବା କିଶୋର କିଶୋରୀଙ୍କୁ ତାଙ୍କର ପରାମର୍ଶ ହେଉଛି ଯେଉଁ ଭାଷାରେ ଲେଖୁଛି ସେହି ଭାଷାକୁ ସମ୍ମାନ ଦିଅ। ତା’ ଉପରେ ପାଣ୍ଡିତ୍ୟ ଅର୍ଜନ କର। ଲେଖକୀୟ ବୃତ୍ତିରେ ବାରମ୍ବାର ହତାଶା ଆସିପାରେ। ସେଥିପାଇଁ ପ୍ରସ୍ତୁତ ରୁହ। ଲେଖକ ନିଜ ପାଇଁ ଏବଂ ନିଜର ଖୁସି ନିମନ୍ତେ ପ୍ରଥମେ ଲେଖିବା ଉଚିତ ବୋଲି ରସ୍କିନ୍‌ ବଣ୍ଡ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର