ଉଦ୍‌ଘାଟନ କରିବେ ମନୋଜ ଦାସ, ରସ୍କିନ୍‌ ବଣ୍ଡ୍‌

ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ ୧୧ରୁ

ଭୁବନେଶ୍ୱର : ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ‘ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌’। ସ୍ଥାନୀୟ ହୋଟେଲ ଟ୍ରାଇଡେଣ୍ଟରେ ‘ସମ୍ବାଦ ଗ୍ରୁପ୍‌’ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାରୋହକୁ ଉଦ୍‌ଘାଟନ କରିବେ ଦୁଇ ବିଶିଷ୍ଟ ଲେଖକ ମନୋଜ ଦାସ ଓ ରସ୍କିନ୍‌ ବଣ୍ଡ। ପ୍ରଖ୍ୟାତ ସାମ୍ବାଦିକ ତଥା ଲେଖକ ମାର୍କ ଟଲିଙ୍କ ସମେତ ଦେଶ ଓ ରାଜ୍ୟର ବହୁ ଖ୍ୟାତନାମା ବ୍ୟକ୍ତି, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର, ସାମ୍ବାଦିକ, ରାଜନେତା ଏହି ସମାରୋହର ଯୋଗଦେବେ। ବିଭିନ୍ନ ଅଧିବେଶନରେ ସେମାନେ ବିିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ମତ ବିନିମୟ କରିବେ। ସମାରୋହର ଅନ୍ତିମ ଦିବସରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ନେଇ ରାଜ୍ୟର ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ବେଶ୍‌ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି।

ଉଦ୍‌ଘାଟନୀ ଅଧିବେଶନରେ ମନୋଜ ଦାସ ତାଙ୍କ ସାମଗ୍ରୀକ ଲେଖା ଉପରେ ବକ୍ତବ୍ୟ ରଖିବା ପରେ ରସ୍କିନ୍‌ ବଣ୍ଡ୍‌ ଏବଂ ମାର୍କ ଟୁଲିଙ୍କ ସହ ଆଲୋଚନା କରିବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ଦ୍ୱିତୀୟ ଦିନର ଅଧିବେଶନରେ ଲେଖକ ମନୋଜ ଦାସ, ରସ୍କିନ୍‌ ବଣ୍ଡ, ପଞ୍ଚମୀ ମାନୁ ଉକିଲ, ବ୍ରିଟିଶ କବୟିତ୍ରୀ ନିଆ ଡେଭିସ୍‌, କନ୍ନଡ଼ ଲେଖିକା ମମତା ସାଗର, ମରାଠୀ ଲେଖକ କିରଣ ନାଗରକର, ସାମ୍ବାଦିକ ତଥା ଔପନ୍ୟାସିକ ପ୍ରୟାଗ ଆକବର, ମାଳବିକା ବାନାର୍ଜୀ, ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ପଞ୍ଚାନନ ମହାନ୍ତି, ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଦେବାଶିଷ ପାଣିଗ୍ରାହୀ, ଲେଖିକା ପ୍ରତିଭା ଶତପଥୀ ଓ ପାରମିତା ଶତପଥୀ, ଅନନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେବେ। ମଧ୍ୟାହ୍ନରେ ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା ରହିଛି।

ଶେଷଦିନର ଅଧିବେଶନରେ ପି. ଚିଦମ୍ବରମଙ୍କ ସହ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକା ତଥା ଏନ୍‌ଡିଟିଭିର ପୂର୍ବତନ ଉପସ୍ଥାପିକା ବର୍ଖା ଦତ୍ତ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଜାତୀୟ ଅର୍ଥନୀତି ନେଇ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସୀତାଙ୍କ ରାମାୟଣ ଏବଂ ପିଲାଙ୍କ ମହାଭାରତର ରଚୟିତା ସଂହିତା ଆର୍ଣ୍ଣି, ତେଲୁଗୁ ଲେଖିକା ଭୋଲ୍‌ଗା, ନୃତ୍ୟାଙ୍ଗନା ଅନିତା ରତ୍ନମ୍‌, ଅଭିନେତ୍ରୀ ନନ୍ଦିତା ଦାଶ, ରସିକା ଦୁଗ୍ଗଲ, ସାମ୍ବାଦିକ ଅର୍ଣ୍ଣବ ରାୟ, ଲେଖକ ରବି ସୁବ୍ରମଣ୍ୟମ, ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା, ଗୌରହରି ଦାସ, ଯତୀନ୍ଦ୍ର ନାୟକ, ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର, ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ କଂଗ୍ରେସ ନେତା ମନୀଷ ତିଓ୍ଵାରି ପ୍ରମୁଖ ସମାରୋହରେ ଯୋଗ ଦେଇ ବକ୍ତବ୍ୟ ରଖିବେ।

ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଟିକଟର ବ୍ୟବସ୍ଥା ନାହିଁ। ଯେକୌଣସି ଆଗ୍ରହୀ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର