ଭୁବନେଶ୍ବର : ତାଙ୍କ ଗୀତ ଯେତିକି ରୋମାଣ୍ଟିକ୍, ଜୀବନ ବି ସେତିକି ରୋମାଞ୍ଚଭରା। ଯେତେବେଳେ ଯାହା ଚାହିଥିଲେ, ସେଇୟା କରିଥିଲେ। ୪ଜଣଙ୍କୁ ବିବାହ କରିଥିଲେ, ସେମାନେ ପୁଣି ଜଣେ ଜଣେ ଅଭିନେତ୍ରୀ। ଭାବିଲେ କଳାକାର ହେବେ, ହେଇଗଲେ। ଭାବଗମ୍ଭୀର ହେଉ କି ହାସ୍ୟାଭିନୟ, ସବୁଥିରେ ‘ବି’ କିମ୍ବା ‘ସି’ ଗ୍ରେଡ୍‌ ନୁହେଁ, ପୂରା ‘ନମ୍ବର ୱାନ୍‌’ ଅଭିନେତା ହୋଇ ଉଭା ହେଲେ। ଭାବିଲେ ଗୀତ ଗାଇବେ, ଏମିତି ଗାଇଲେ ଯେ କିଂବଦନ୍ତି ପାଲଟିଗଲେ। ସେତେବେ‌ଳେ ନାୟକକୁ ଦେଖି ଗୀତ ତିଆରି ହେଉଥିଲା, ହେଲେ ତାଙ୍କ ସମୟରେ ସେ ଧାରା ବଦଳିଗଲା। ତାଙ୍କ ଗୀତକୁ ଦେଖି ଚଳଚ୍ଚିତ୍ରର ନୟକ ସ୍ଥିର କରାଗଲା। ସେ ସେତେବେଳର ବାଦ୍‌ଶାହ ଥି‌ଲେ, କିନ୍ତୁ ଆଜି ବି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କ ଭଳି ଜଣେ ବାଦ୍‌ଶାହର କେବେ ବି ମୃତ୍ୟୁ ହୁଏନା। ଭୁବନେଶ୍ବର କ୍ଲବ୍‌ରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବରେ ‘ୟେ ଶାମ୍‌ ମସ୍ତାନି-ଦ ମ୍ୟାଜିକ୍‌ ଅଫ୍‌ କିଶୋର କୁମାର’ ଶୀର୍ଷକ ଅଧିବେଶନରେ କିଶୋର କୁମାରଙ୍କ ଜୀବନୀ ଲେଖିଥିବା ଦୁଇ ଲେଖକ ଅନିରୁଦ୍ଧ ଭଟ୍ଟାଚାର୍ଜୀ ଓ ପାର୍ଥିବ୍‌ ଧର ଆଜି ଏହା କହିଛନ୍ତି। ତାଙ୍କ ସହ ଆଲୋଚନା କରିଥିଲେ ବାଲାଜୀ ଭିତ୍ତଲ।

Advertisment

କିଶୋର ଦା’ଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲି। କିନ୍ତୁ ଏ ନାମରେ ଖୁବ୍‌ କମ୍‌ ଲୋକ ତାଙ୍କୁ ଜାଣନ୍ତି। ୫୬୦ ପୃଷ୍ଠାର ଏହି ଜୀବନୀ‌ରେ କିଶୋର ଦା’ଙ୍କ ଛାତ୍ର ଜୀବନଠାରୁ ଆରମ୍ଭ କରି ପ୍ରେମ କାହାଣୀ, ସଂଘର୍ଷମୟ ଜୀବନ ଓ ସଫଳତାର ଶୀର୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ କଥାକୁ ଟିକିନିଖି ଉପସ୍ଥାପନ କରିବାକୁ ଉଦ୍ୟମ କରାଯାଇଛି। ତାଙ୍କ ସମୟରେ ଚାଲିଥିବା ଅନେକ ଚର୍ଚ୍ଚାର ମୂଳ ଖୋଜିବାକୁ ଉଦ୍ୟମ ହୋଇଛି। ଯେମିତି ଲତା ମଙ୍ଗେସକର୍‌ ଓ ମହମ୍ମଦ ରଫିଙ୍କ ସହ ତାଙ୍କର ପଡ଼ୁ ନଥିଲା। ‘ଦିଲ୍‌ ଏସା କିସିନେ ମେରା ତୋଡ଼ା’ ଗୀତ ଭଳି ତାଙ୍କର ହୃଦୟ ଅନେକଥର ଭାଙ୍ଗିଛି। କିନ୍ତୁ ଏଭଳି ଅନେକ ଚର୍ଚ୍ଚା ପଛରେ ଅଣାକର ସତ୍ୟତା ନାହିଁ ବୋଲି ଏ ପୁସ୍ତକରେ ଦର୍ଶାଯାଇଛି।

ତାଙ୍କ ସମୟର ଏଭଳି କୌଣସି ପ୍ରସିଦ୍ଧ କିମ୍ବା ବଡ଼ ସଙ୍ଗୀତକାର ନଥିଲେ, ଯାହାଙ୍କ ନିର୍ଦ୍ଦେଶନାରେ ସେ ଗୀତ ଗାଇ ନଥିଲେ। ଏସ୍‌.ଡି ବର୍ମନ ହୁଅନ୍ତୁ ବା ଆର.ଡି ବର୍ମନ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ହୁଅନ୍ତୁ ବା କଲ୍ୟାଣ-ଆନନ୍ଦ; ସମସ୍ତଙ୍କ ସାଙ୍ଗରେ ମିଶି ସେ ତିଆରି କରିଛନ୍ତି ଶହଶହ ଚିରସବୁଜ ଗୀତ। ବଡ଼ଭାଇ ଅଶୋକ କୁମାରଙ୍କ ପ୍ରେରଣାରେ ୧୯୫୦ ମସିହାରେ ସେ ଅଭିନୟରେ ବ୍ୟସ୍ତ ଥିଲେ। ଦିନେ ସଙ୍ଗୀତକାର କଲ୍ୟାଣଜୀ କହିଲେ, ‘ଖରାତରାରେ ବୁଲି କାଇଁ ଅଭିନୟ କରିବ, ଏସି ରୁମ୍‌ରେ ବସି ଗୀତ ଗାଅ।’ ବାସ୍‌, ଏତିକି କଥା ତାଙ୍କୁ ଅଭିନୟରୁ ବିମୁଖ କରିଥିଲା। ଏହା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଲକ୍ଷଲକ୍ଷ ସଙ୍ଗୀତପ୍ରେମୀଙ୍କୁ ବିଭୋର୍‌ କଲା। ତାଙ୍କ କଣ୍ଠକୁ କପି କରି ପରବର୍ତ୍ତୀ ସମୟରେ ଅନେକ ଗାୟକ ନାଁ କଲେ ସିନା ହେଲେ କିଶୋର ଦା’ଙ୍କ ବିକଳ୍ପ ହୋଇପାରିଲେ ନାହିଁ।