ଭୁବନେଶ୍ବର : ସାହିତ୍ୟଠାରୁ ବହୁ ଊର୍ଦ୍ଧ୍ବରେ ଓଡ଼ିଆ ସାହିତ୍ୟ ଜଗତ। ଆମ ସାହିତ୍ୟିକମାନେ ନିଜ କୃତିରେ ଖାଲି ଅତୀତକୁ ସାଇତି ନାହାନ୍ତି, ଆମକୁ ବଞ୍ଚିବାର କଳା ମଧ୍ୟ ଶିଖାଇଛନ୍ତି। ବିନାଶମୁଖୀ ମଣିଷକୁ ସେମାନେ ଜଙ୍ଗଲ, ପାହାଡ଼, ଜଳବାୟୁ ସୁରକ୍ଷା ଓ ଆଦିବାସୀମାନଙ୍କ ଜୀବନଶୈଳୀ ସମ୍ପର୍କରେ ସଚେତନ କରାଇଛନ୍ତି। ‘ସମ୍ବାଦ’ ସହଯୋଗରେ ଭୁବନେଶ୍ବର କ୍ଲବ୍‌ରେ ଆଜିଠାରୁ ଆରମ୍ଭ ହୋଇଥିବା ‘ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ’କୁ ଉଦ୍‌ଘାଟନ କରି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଅମିତାଭ ଘୋଷ ଏହା କହିଛନ୍ତି।

Advertisment

‘ଔପନ୍ୟାସିକମାନେ ଆମକୁ ବଞ୍ଚିବାର କଳା ଶିଖାଇଛନ୍ତି’

publive-image

ଦିଗ୍‌ଗଜ ଓଡ଼ିଆ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉଦାହରଣ ଦେଇ ସେ କହିଥିଲେ, ଗୋପୀନାଥଙ୍କ ପ୍ରସିଦ୍ଧ ଉପନ୍ୟାସ ‘ପରଜା’ ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ଆଦିବାସୀଙ୍କ ଜୀବନୀ ପ୍ରତି ତାଙ୍କର ସ୍ନେହ ଓ ସମବେଦନା ତାଙ୍କ ଲେଖାଗୁଡ଼ିକୁ ସ୍ବତନ୍ତ୍ର କରିଛି। ନିଜ ଲେଖାରେ ସେ ଆଦିବାସୀଙ୍କ ଗୁରୁତ୍ବପୂର୍ଣ୍ଣ ଓ ମୂଲ୍ୟବାନ ଜିନିଷଗୁଡ଼ିକର ପ୍ରଶଂସା କରିବା ସହ ଦୁଃଖ, ଯନ୍ତ୍ରଣା ଓ ଧ୍ବଂସର କଥା ଉପସ୍ଥାପନ କରିଛନ୍ତି। ରାଜନୈତିକ ଧ୍ବଂସଲୀଳା ବ୍ୟତିରେକ ଜଳବାୟୁ ପରିବର୍ତ୍ତନ, ଜୈବବିବିଧତାରେ ଅସନ୍ତୁଳନ ଆଦି ବିଭିନ୍ନ କାରଣରୁ ଆମେ ଏକ ଅନିଶ୍ଚିତ ଓ ବିନାଶକାରୀ ଭବିଷ୍ୟତ ଆଡ଼କୁ ଗତି କରୁଛେ। ତେଣୁ ଏ ସମୟରେ ଆମକୁ ଆଦିବାସୀଙ୍କ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନକୁ ମନେ ପକାଇବା ଉଚିତ ବୋଲି ସେ କହିଥିଲେ। ଗୋପୀନାଥଙ୍କ ସାହିତ୍ୟକୃତି ଏ‌ ଦିଗରେ ଆମକୁ ସାହାଯ୍ୟ କରୁଛି। ଆଦିବାସୀମାନଙ୍କ ଜୀବନ ଯେ କେତେ ପ୍ରାଚୁର୍ଯ୍ୟମୟ, ତାହା କଳନା କରିବା ଆମ ପକ୍ଷେ ସମ୍ଭବ ନୁହେଁ। ଜଣେ ଜଙ୍ଗଲରେ ରହୁଥିବା ବ୍ୟକ୍ତିର ହୁଏତ ମୁଣ୍ଡ ପିଛା ଆୟ ହିସାବକୁ ଆସି ନପାରେ, କିନ୍ତୁ ଆମ୍ଭମାନଙ୍କଠାରୁ ସେ ବହୁ ଗୁଣରେ ଧନୀ। ହୁଏତ ପ୍ରତି ମାସରେ ତା’ ବ୍ୟାଙ୍କ ଜମା ଖାତାରେ ଦରମା ଜମା ହୁଏ ନାହିଁ, କିନ୍ତୁ ସେ ଜଙ୍ଗଲରୁ ଗ୍ରହଣ କରୁଥିବା‌ ମୁକ୍ତ ଓ ଶୁଦ୍ଧବାୟୁ, ପ୍ରାକୃତିକ ବନାନୀ ଓ ବିଶୁଦ୍ଧ ଜଳର କୌଣସି ମୂଲ୍ୟ ନଥାଏ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ମାଟି ମା’ର ଋଣ ପରିଶୋଧ କରିବାର ସମୟ ଆସିଛି। ଏବେ ଆମକୁ ହିସାବ ରଖିବାକୁ ହେବ, ଆମେ ମାଟି ମା’କୁ କେତେ ଦେଉଛୁ ଓ କ’ଣ ଦେଉଛୁ। ଏଥିସହ ଆମକୁ ଏହା ବି ଧ୍ୟାନ ରଖିବାକୁ ପଡ଼ିବ, ଆମେ ମାଟି ମା’କୁ ଅଧିକ ଦେବା ସିନା କମ୍‌ ଦେବା ନାହିଁ। ଏଭଳି ସାହିତ୍ୟ ଉତ୍ସବର ଆୟୋଜନ ଏହି ଦେବା ପ୍ରକ୍ରିୟାର ଅୟମାରମ୍ଭ ମାତ୍ର ବୋଲି ସେ କହିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ୍‌ (କର୍ପୋରେଟ ସର୍ଭିସେସ୍‌)ର ଚାଣକ୍ୟ ଚୌଧୁରୀ ଉପସ୍ଥିତ ଥିଲେ। ମାଳବିକା ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।