ଟାଟା କାରଖାନାରେ ଶ୍ରମିକ ମୃତ୍ୟୁ ମାମଲା : ଚାକିରି ହରାଇଲେ ତିନି ଅଧିକାରୀ

କାଳିଆପାଣି : ଟାଟାଷ୍ଟିଲ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍‌ କାରଖାନାରେ ଜଣେ ଠିକା ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ କଂପାନିର ୩ ଜଣ ଅଧିକାରୀଙ୍କୁ ଚାକିରି ହରାଇବାକୁ ପଡିଛି।

ଗତ ଜୁଲାଇ ମାସ ୧୧ ତାରିଖରେ କାରଖାନା ପରିସରରେ ଥିବା ଏକ ପରିତ୍ୟକ୍ତ ଘରର କାନ୍ଥ ଭାଙ୍ଗିଯିବାରୁ ଜଣେ ଶ୍ରମିକଙ୍କର ପ୍ରାଣହାନି ଘଟିଥିଲା। ଏହି ଶ୍ରମିକ ହେଲେ ଘସିିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗାଁ ଚନ୍ଦନ ମୁଖୀଙ୍କ ପୁଅ ରମେଶ(୩୦)। ଏହାକୁ ନେଇ ଶ୍ରମିକ ଓ କର୍ମଚାରୀ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନ ମଧ୍ୟ ହୋଇଥିଲା। ଏହି ମାମଲାରେ ଟାଟା କର୍ତ୍ତୃପକ୍ଷ ସଂପୃକ୍ତ ପରିବାରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲେ। ଏଥିସହ ମୃତକଙ୍କ ପତ୍ନୀଙ୍କୁ କାରଖାନାରେ ସପରିବାର ଥଇଥାନ କରାଯାଇଥିଲା। କମ୍ପାନି କର୍ତ୍ତୃପକ୍ଷ ଉକ୍ତ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ବିଭାଗୀୟ ତଦନ୍ତ ଜାରି ରଖିଥିଲେ। ତଦନ୍ତ ପରେ ତଦନ୍ତ ପରେ ଉକ୍ତ କାରଖାନାର ଉତ୍ପାଦନ ବିଭାଗ ବରିଷ୍ଠ ପ୍ରବନ୍ଧକ ଇଂ ଶୁଭେନ୍ଦୁ କୁମାର ବାରିକ, ନିର୍ମାଣ ବିଭାଗ ସହ ପ୍ରବନ୍ଧକ ଇଂ ଇନ୍ଦ୍ରସେନ ସିଂ ଓ ନିରାପତ୍ତା ଅଧିକାରୀ ସୁନିଲ ଦାସଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଛି। ତିନି ଅଧିକାରୀ ଗତ ଗୁରୁବାର ସଂଧ୍ୟା ନିଜ ନିଜର ଇସ୍ତଫା ପତ୍ର କାରଖାନା ମୁଖ୍ୟ ଉମେଶ ଚନ୍ଦ୍ର ରଥଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର