ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ସମାବେଶ ଉଦ୍‌ଯାପିତ: ଦୁଷ୍କର୍ମ ରୋକିପାରିବ ସତର୍କତା, ସଚେତନତା, ଶିକ୍ଷା

ଭୁବନେଶ୍ବର: ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଦୁଷ୍କର୍ମ ସୁନାମି କି ଭୂମିକମ୍ପ ନୁହେଁ ଯେ ତାହାକୁ ରୋକା ଯାଇପାରିବନି। ୯୫ପ୍ରତିଶତ ଦୁଷ୍କର୍ମ ଚିହ୍ନାଜଣା ଭିତରେ ଘଟୁଛି। ତେଣୁ ସତର୍କତା, ସଚେତନତା ସହ ମହିଳାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ମହୋତ୍ସବରେ ଏପରି ମତ ପ୍ରକାଶ ପାଇଛି। ଟାଟା ଷ୍ଟିଲ୍‌ ପକ୍ଷରୁ ଏକ୍ସଆଇଏମ୍‌ବି ପରିସରରେ ଆୟୋଜିତ ‘ନୋ କଣ୍ଟ୍ରି ଫର୍‌ ୱମେନ୍‌’ ତଥା ‘ନାରୀ ପାଇଁ ଦେଶରେ ସୁରକ୍ଷିତ ଜାଗାଟିଏ ଅଛି କି?’ ଶୀର୍ଷକ ବିଷୟ ଉପରେ ବକ୍ତାମାନେ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ହିଂସା ଓ ଏହାର ସମାଧାନ ଦିଗରେ ଏହି ମତ ରଖିଛନ୍ତି।

ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ କଥାକାର ପାରମିତା ଶତପଥୀ ନିଜର ମତ ରଖି କହିଲେ, ନାରୀମାନଙ୍କ ସଂଖ୍ୟା ୫୦ ଭାଗ। ମାତ୍ର ଏବେ ବି ନାରୀ ଆଶଙ୍କା ଓ ଭୟରେ ବଞ୍ଚେ। ରାତିରେ ମହିଳାଟିଏ ଯେ ସୁରକ୍ଷିତ ଭାବେ ଚାଲି ଯାଇପାରିବ, ତାହା ଏବେ ପ୍ରଶ୍ନବାଚୀ। ଦେଶରେ ୩ ଜଣରୁ ଜଣେ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ମହିଳାଙ୍କୁ ମନୋରଂଜନର ବସ୍ତୁ ଭାବେ ବ୍ୟବହାର କରିବାର ମାନସିକତା ବସା ବାନ୍ଧିଛି। ଏଣେ ସରକାରୀ ସୂତ୍ରରୁ ନିରାପତ୍ତା ପାଇଁ ଯେତେ‌ ସବୁ ଯୋଜନା ପ୍ରସ୍ତୁତ ହେଉଛି, ତାହା ବି ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ।

କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା କହ‌ିଲେ, କନ୍ୟା ସନ୍ତାନଟିଏ ମା’ ଗର୍ଭରେ ଥିବାଠୁ ଜୁଇକୁ ଯିବା ପର୍ଯ୍ୟନ୍ତ ପ୍ରତିଟି ପାଦ ଅସୁରକ୍ଷିତ। ଦେଶରେ ବର୍ଷକୁ ୩୫ରୁ ୪୦ଲକ୍ଷ କନ୍ୟାଭ୍ରୂଣକୁ ମା’ ଗର୍ଭରେ ହିଁ ମାରି ଦିଆଯାଉଛି। ପୁରୁଷତନ୍ତ୍ରର ମାନସିକତା ଯୋଗୁଁ ସମାଜରେ ମହିଳାମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯାଏ ନାହିଁ। ପୁଣି ନାରୀ ସହ ଘଟୁଥିବା ଅନେକ ହିଂସା କିମ୍ବା ଦୁଷ୍କର୍ମ ମାମଲା ଲୋକଲଜ୍ଜା ଓ ନାଲି ଆଖି ଯୋଗୁଁ ଥାନା ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ। ପୁଲିସର ଉଦାସୀନତା ଓ ନ୍ୟାୟ ବ୍ୟବସ୍ଥାରେ ବିଳମ୍ବ ଯୋଗୁଁ ଏପରି ଘଟେ। ଶିକ୍ଷାର ଅଭାବ, ସମାଜରେ ପ୍ରଚଳିତ ଚିନ୍ତାଧାରା, ‌ଇଣ୍ଟରନେଟ୍‌ ଓ ଗଣମାଧ୍ୟମରେ ଉତ୍ତେଜିତ ଦୃଶ୍ୟ ପାଇଁ ଅପରାଧର ମାତ୍ରା ବଢ଼ି ଚାଲିଛି। ତେଣୁ କଡ଼ା ଆଇନ ସହ ତ୍ବରିତ ନ୍ୟାୟ ବ୍ୟବସ୍ଥା, ପାତରଅନ୍ତର ନ କରିବା ଦ୍ବାରା ହିଁ ହିଂସା ଓ ଦୁଷ୍କର୍ମରେ ରୋକ୍‌ ଲଗା ଯାଇପାରିବ।

‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ବହୁ ଅପରାଧ ଚିହ୍ନାଜଣାରେ ଘଟୁଛି। ବାପା ମା’ମାନେ ଏଥିପ୍ରତି ସତର୍କ ରହିବା ଉଚିତ। ଝିଅମାନଙ୍କୁ ସମ୍ଭାଳିବା ବହୁତ ହେଇଗଲା, ଏଣିକି ପୁଅମାନଙ୍କୁ ପରାମର୍ଶ ଦିଆଯାଉ। ବାସ୍ତବରେ ଶିକ୍ଷିତ ପରିବାର ଓ ସହରାଞ୍ଚଳରେ ଘରୋଇ ହିଂସା ବେଶି ଘଟୁଛି। ଶିକ୍ଷାଠୁ ନେଇ ଅନ୍ୟ କ୍ଷେତ୍ରରେ ପୁଅ ଝିଅ ମଧ୍ୟରେ ପାତରଅନ୍ତର କରାଯାଉଛି। ତେଣୁ ଏଥିପ୍ରତି ଯତ୍ନବାନ ହେବା ସହ ସଜାଗ ରହିବା ଉଚିତ ବୋଲି ସେ କହିଛନ୍ତି।

ପୂର୍ବାହ୍ନରେ ବିଶିଷ୍ଟ ସିତାର ବାଦକ ବିଲ୍ୟାନ୍ତ ଖାନ୍‌ଙ୍କ ଜୀବନୀ ଓ ସଂଗୀତ ବିଷୟରେ ନମିତା ଦେବୀଦୟାଲଙ୍କ ସହ ଆଲୋଚନା କରିଥିଲେ ସୁମନ୍ୟୁ ଶତପଥୀ। ‘କ୍ରାଇମ୍‌ସ ଅଫ୍‌ ଦି ହାର୍ଟ’ ବିଷୟରେ ବାଚି କାରକାରିଆଙ୍କ ସହ ଆଲୋଚନା କରିଥିଲେ ସମ୍ପଦ ପଟ୍ଟନାୟକ। ପରେ ଗାଳ୍ପିକ ତଥା ହିନ୍ଦୀ ଧାରାବାହିକ ଲେଖକ ଆନନ୍ଦ ନୀଳକଣ୍ଟନଙ୍କ ପୁସ୍ତକ ‘ଅସୁର’ ଉପରେ ଲେଖକଙ୍କ ସହ ଆଲୋଚନା କରି ବହୁ ରହସ୍ୟ ଉପରୁ ପରଦା ଉଠାଇଥିଲେ ପଞ୍ଚମୀ ମାନୁ ଉକିଲ୍‌। ଅପରାହ୍‌ଣରେ ଅନୁବାଦକ ତଥା କବି ମନୁ ଦାଶ ଓ ଗାୟତ୍ରୀବାଳା ପଣ୍ଡା କବିତା ପାଠ କରିଥିଲେ। ପରବର୍ତୀ ଅଧିବେଶନରେ ବିଶିଷ୍ଟ ଲେଖକ କୁନାଲ ବାସୁଙ୍କ ‘ସରୋଜିନୀସ ମଦର’ ପୁସ୍ତକ ଉପରେ ଚନ୍ଦ୍ରହାସ ଚୌଧୁରୀ ଆଲୋଚନା କରିଥିଲେ। ଅଧିବେଶନରେ ସରୋଜିନୀସ ମଦର ପୁସ୍ତକ ଲୋକାର୍ପିତ ହୋଇଥିଲା। ଚନ୍ଦ୍ରହାସ ଚୌଧୁରୀଙ୍କ ଲିଖିତ ‘ଅର୍ଜି ଦି ଡ୍ବାର୍ଫ’ର ସିନ୍ଧୁବାଳା ଚୌଧୁରୀଙ୍କ ଅନୁଦିତ ପୁସ୍ତକ ଉନ୍ମୋଚନ ହେବା ସହ ଅନୁବାଦକ ମନୁ ଦାଶଙ୍କ ସହ କବି ଆଲୋଚନା କରିଥିଲେ। ଟାଟା ଷ୍ଟିଲ୍‌ର କୁଲଭିନ୍‌ ସୁରି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷ‌ରେ ବିଶ୍ବ କଲ୍ୟାଣ ରଥଙ୍କ ଷ୍ଟାଣ୍ଡଅପ୍‌ କମେଡିରେ ଦର୍ଶକ ହସିହସି ଗଡ଼ିଥିଲେ। ସୁକନ୍ୟା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହୋତ୍ସବର ନିର୍ଦେଶିକା ମାଳବିକା ବାନାର୍ଜୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର